ଆସନ୍ତାକାଲିଠାରୁ ମିଶନ ଇନ୍ଦ୍ରଧନୁଷର ନୂଆ ଅଭିଯାନ : ୨୮ ରାଜ୍ୟର ୨୭୨ଜିଲାରେ ଟିକାଦାନ

ଓଡ଼ିଶାର ୬ଟି ଜିଲାରେ ଟିକାକରଣ

ଭୁବନେଶ୍ୱର : ମିଶନ ଇନ୍ଦ୍ରଧନୁଷର ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଅଭିଯାନ ସୋମବାର ଅର୍ଥାତ ଆସନ୍ତାକାଲିଠାରୁ  ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଦେଶର ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୭୨ଟି ଜିଲାକୁ ସାମିଲ କରାଯିବ। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ଢ଼େଙ୍କାନାଳ ଓ ରାୟଗଡ଼ା ସାମିଲ ହୋଇଛି।
ଅଧିକାଂଶ ଶିଶୁ ଟିକାଦାନରୁ ବଞ୍ଚିତ ହେବାଦ୍ବାରା ବହୁ ଶିଶୁ ଗୁରୁତର ରୋଗର ଶିକାର ହେଉଛନ୍ତି। ଟିକା ସମ୍ପର୍କରେ ସମାଜରେ କିଛି ଭ୍ରାନ୍ତ ଧାରଣା ଥିବାରୁ ୯୦ପ୍ରତିଶତ ଟିକାକରଣ ଲକ୍ଷ୍ୟ ପୂରଣ ହୋଇପାରୁନି। ସାମାଜିକ ପ୍ରତିବନ୍ଧକ ଦୂର କରିବା ସହିତ କୌଣସି ଶିଶୁ ଯେପରି ଟିକା ସୁଯୋଗରୁ ବଞ୍ଚିତ ନହେବେ ସେ ଦିଗରେ ସଚେନତତା ସୃଷ୍ଟି କରିବା କ୍ଷେତ୍ରରେ ଗଣମାଧ୍ୟମର ଗୁରୁଦାୟିତ୍ବ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ କମିଶନର(ଇମୁନାଇଜେସନ) ଡ.ଏସ.କେ.ସିକଦାର ମତପୋଷଣ କରିଛନ୍ତି। ‘ଇଣ୍ଟେନସିଫାଏଡ଼ ମିଶନ ଇନ୍ଦ୍ରଧନୁଷ-୨.୦’ ଶୀର୍ଷକରେ ଆୟୋଜିତ ଏକ ଜାତୀୟ ଗଣମାଧ୍ୟମ କର୍ମଶାଳାରେ ସେ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ଦୁଇ ବର୍ଷରୁ କମ ବୟସର ପ୍ରତ୍ୟେକ ଶିଶୁ ଓ ଗର୍ଭବତୀଙ୍କୁ ଟିକା ପ୍ରଦାନ କରାଯିବା ପ୍ରକ୍ରିୟା ତ୍ବରାନ୍ବିତ କରାଯିବ। ସାମାଜିକ ପ୍ରତିବନ୍ଧକ ହଟାଇ ଲୋକଙ୍କୁ ଟିକା ବିଷୟରେ ସଚେତନ କରାଯିବ।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ପରାମର୍ଶଦାତା ଡ.ପ୍ରଦୀପ ହାଲଦାର ଜାତୀୟ ସ୍ବାସ୍ଥ୍ୟ ମିଶନ ତଥ୍ୟ ଆଧାରରେ କହିଥିଲେ ଯେ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକାରୀ ସତ୍ତ୍ବେ ସହରାଞ୍ଚଳରେ ଟିକାଦାନ ହାର ୫୭ରୁ ୬୩ପ୍ରତିଶତକୁ ବଢ଼ିଥିବା ବେଳେ ଗ୍ରାମାଞ୍ଚଳରେ ୩୮ରୁ ୬୧ପ୍ରତିଶତକୁ ବଢ଼ିଛି। ତେଣୁ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରାଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ୟୁନିସେଫ ସହାୟତାରେ ଅାୟୋଜିତ କାର୍ଯ୍ୟକ୍ରମରେ ୟୁନିସେଫର ଡ.ଭୃଗୁ କାପୁରିଆ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଡ.ଦାନିସ ଅହମ୍ମଦ ପ୍ରମୁଖ ଏହି ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଭିନ୍ନ ରାଜ୍ୟର ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ସ୍ବାସ୍ଥ୍ୟ ମନ୍ତ୍ରାଳୟ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବରିଷ୍ଠ ଅଧିକାରୀ ଆଇଏମଆଇ ନିୟମାବଳୀ, ଟିକାଦାନ କାର୍ଯ୍ୟକ୍ରମ ଉପରେ ଖବର ପରିବେଷଣ ସମୟରେ କିପରି ସତର୍କତା ଅବଲମ୍ବନ କରିବାକୁ ହେବ ସେ ବିଷୟରେ ଆଲୋଚନା ହୋଇଥିଲା।
୨୦୨୦ରେ ୯୦ପ୍ରତିଶତ ଟିକାକରଣ ଲକ୍ଷ୍ୟ ନେଇ ୨୦୧୭ ଅକ୍ଟୋବରରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଆଇଏମଆଇ-୨.୦ ହେଉଛି ଇଣ୍ଟେନସିଫାଏଡ଼ ମିଶନ ଇନ୍ଦ୍ରଧନୁଷର ଦ୍ବିତୀୟ ପର୍ଯ୍ୟାୟ ଟିକାଦାନ କାର୍ଯ୍ୟକ୍ରମ। ଏହି ପର୍ଯ୍ୟାୟରେ ଟିକାଦାନ କ୍ଷେତ୍ରରେ ପଛରେ ଥିବା ୨୮ଟି ରାଜ୍ୟର ୨୭୨ଟି ଜିଲାରେ ଟିକାଦାନ ତ୍ବରାନ୍ବିତ କରାଯିବାର ଲକ୍ଷ୍ୟ ରହିଛି। ୨୦୧୪ରେ ମିଶନ ଇନ୍ଦ୍ରଧନୁଷ ଆରମ୍ଭ ହୋଇଥିବାବେଳେ ୨୦୧୫ ଏପ୍ରିଲରୁ ୨୦୧୭ ଜୁଲାଇ ଭିତରେ ୨୫.୫ ନିୟୁତ ଶିଶୁ ଓ ୬.୯ନିୟତ ଗର୍ଭବତୀଙ୍କୁ ଟିକା ଦିଆଯାଇଥିଲା। ଏହାଦ୍ବାରା ଟିକାଦାନ ୭.୯ପ୍ରତିଶତ ବଢ଼ିଥିଲା। ତେବେ ୯୦ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇପାରି ନଥିଲା। ନୂଆ ଅଭିଯାନରେ ଆକାଂକ୍ଷୀ ଜିଲା, ଟିକାଦାନ କ୍ଷେତ୍ରରେ ପଛୁଆ ଜିଲା ଓ ସହରାଞ୍ଚଳକୁ ଗୁରୁତ୍ବ ଦିଅାଯିବ। ଅଗମ୍ୟ ଓ ଅପହଞ୍ଚ ଅଞ୍ଚଳରେ ଶିଶୁ ଓ ଗର୍ଭବତୀଙ୍କୁ ଟିକାଦାନ ନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରହିଛି। ଓଡ଼ିଶାରେ ଏହାକୁ ସଫଳ କରିବା ପାଇଁ ଆଜି ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦା ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ ଟିକାଦାନ ହେବାକୁ ଥିବା ୬ଟି ଜିଲାର ଜିଲାପାଳ, ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ମିଶନ ଇନ୍ଦ୍ରଧନୁଷ-୨ରେ ଓଡ଼ିଶାର ଉପରୋକ୍ତ ୬ଟି ଜିଲାରେ ଆସନ୍ତା ଡ଼ିସେମ୍ବର ୨ରୁ ପ୍ରଥମ ପର୍ଯ୍ୟାୟ ଏବଂ ୨୦୨୦ ଜାନୁଆରୀ ୬ରେ ଦ୍ବିତୀୟ ଏବଂ ମାର୍ଚ୍ଚ ୨ରେ ତୃତୀୟ ପର୍ଯ୍ୟାୟ ଟିକାକରଣ କରାଯିବ।

Comments are closed.