ସଂଖ୍ୟାଲଘୁ ମାନ୍ୟତା ପାଇଁ ମାନଦଣ୍ଡ ନିର୍ଦ୍ଧାରଣ ; ଆଟର୍ଣ୍ଣି ଜେନେରାଲଙ୍କ ମତାମତ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସଂଖ୍ୟାଲଘୁ ସମ୍ପ୍ରଦାୟ ଚିହ୍ନଟ ଲାଗି ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳଙ୍କ ମତାମତ ଲୋଡିଛନ୍ତି। ଜାତୀୟ ସ୍ତରର ତଥ୍ୟକୁ ଭିତ୍ତି କରି ସଂଖ୍ୟାଲଘୁ ଚିହ୍ନଟ କରିବା ବେଆଇନ। ଏଣୁ ଏଥିନେଇ ରାଜ୍ୟ ସ୍ତରୀୟ ତଥ୍ୟ ଲୋଡାଯିବା ଆବଶ୍ୟକ ବୋଲି ଦର୍ଶାଇ ଅଶ୍ବିନୀ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ‘ସଂଖ୍ୟାଲଘୁ’ର ସଂଜ୍ଞା ନିରୂପଣ ସହିତ ଏହାକୁ ଚିହ୍ନଟ ନିମନ୍ତେ ଏକ ଦିଗନିର୍ଦେଶାବଳୀ ଜାରି କରିବା ଲାଗି କେନ୍ଦ୍ର ନିର୍ଦେଶ ଦେବାକୁ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ଏହାଦ୍ବାରା ସାମାଜିକ, ଆର୍ଥିକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଅବହେଳିତ ତଥା କମ ଜନସଂଖ୍ୟା ବିଶିଷ୍ଟ ବର୍ଗର ଲୋକେ ଧାରା ୨୯-୩୦ ଅଧୀନରେ ସଂଖ୍ୟାଲଘୁଙ୍କ ପାଇଁ ଉଦ୍ଦିଷ୍ଟ ଅଧିକାର ଓ ସୁରକ୍ଷା ଲାଭ କରିବେ ବୋଲି ସେ ଦର୍ଶାଇଛନ୍ତି। ଏଥିସହ ଜାତୀୟ ସଂଖ୍ୟାଲଘୁ କମିସନ ଆଇନ-୧୯୯୨ ଧାରା (ସି) ଉଚ୍ଛେଦ କରିବାକୁ ସେ ନିବେଦନ କରିଛନ୍ତି। ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧମାନଙ୍କୁ ସଂଖ୍ୟାଲଘୁ ଘୋଷଣା କରି ୧୯୯୩ରେ କେନ୍ଦ୍ର ସରକାର ଜାରି କରିଥିବା ଏକ ନୋଟିସକୁ ଉଚ୍ଛେଦ ନ କରିବାକୁ ମଧ୍ୟ ସେ ଅଦାଲତଙ୍କୁ ନିବେଦନ କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ଦୀପକ ଗୁପ୍ତା ଏବଂ ଅନିରୁଦ୍ଧ ବୋଷଙ୍କ ପୀଠ ଏହି ଆବେଦନ ଉପରେ ବିଚାର କରି ଏହାର ଏକ ନକଲ ଆଟର୍ଣ୍ଣି ଜେନେରାଲଙ୍କୁ ପ୍ରଦାନ କରିବାକୁ ଆବେଦନକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

Comments are closed.