ଏଣିକି ମେଡିକାଲ-ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଫି ଧାର୍ଯ୍ୟ କରିପାରିବେନି କଲେଜ, ସରକାର ନେବାକୁ ଯାଉଛନ୍ତି ଏହି ପଦକ୍ଷେପ

ନୂଆଦିଲ୍ଲୀ: ଏଣିକି ଛାତ୍ରଛାତ୍ରୀଙ୍କ ଫି ଧାର୍ଯ୍ୟ କରିପାରିବେନି ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷ। ପୂର୍ବରୁ ଯେପପରି ମନଇଚ୍ଛା ଫି ଆଦାୟ କରୁଥିଲେ ତାହା ଉପରେ ରୋକ ଲାଗିବା ଏକପ୍ରକାର ସ୍ଥିର ହୋଇଛି। କେନ୍ଦ୍ର ସରକାର ଖୁବଶୀଘ୍ର ଫିସ୍‌ କମିଟି ଗଠନ କରିବାକୁ ଯାଉଛନ୍ତି। ଛାତ୍ରୀଛାତ୍ରଙ୍କଠାରୁ କେତେ ଫି ଆଦାୟ କରାଯିବ ସେ ସମ୍ପର୍କରେ କମିଟି ନିଷ୍ପତ୍ତି ନେବ। ୨୦୨୦-୨୧ ଶିକ୍ଷା ବର୍ଷରୁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ଜଣାପଡ଼ିଛି।

ସେହିପରି କେନ୍ଦ୍ର ସରକାରଙ୍କ ମେଡିକାଲ ଡିମ୍‌ଡ ଟୁ ବି ୟୁନିଭର୍ସିଟି ଅନ୍ତର୍ଗତ କଲେଜଗୁଡ଼ିକର ଫି ମଧ୍ୟ ଫିସ କମିଟି ଧାର୍ଯ୍ୟ କରିବ ବୋଲି ୟୁଜିସିର ଫିସ ନିର୍ଦ୍ଧାରଣ କମିଟି ଏହାର ରିପୋର୍ଟରେ ସୁପାରିସ କରିଛି। କମିଟି ସମସ୍ତ ୧୨୬ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ଫି ଉପରେ ଲଗାମ ଲଗାଇବାକୁ ପ୍ରଥମ ଡିମ୍‌ଡ ଟୁ ବି ୟୁନିଭର୍ସିଟି ଫିସ ରେଗୁଲେଶନ ପ୍ରସ୍ତୁତ କରିଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ମାଡ୍ରାସ ହାଇକୋର୍ଟ ମେଡିକାଲ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ଫି ଉପରେ ଲଗାମ ଲଗାଇବା ସମ୍ପର୍କରେ ସରକାରଙ୍କୁ ଆଦେଶ ଦେଇଥିଲେ। ଏହା ପରେ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ମେଡିକାଲ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ଫିସ ଉପରେ ଲଗାମ ଲଗାଇବା ସକାଲେ ଏକ କମିଟି ଗଠନ କରିଥିଲା। କମିଟି ଚଳିତ ସପ୍ତାହରେ ସରକାରଙ୍କୁ ନିଜର ରିପୋର୍ଟ ପ୍ରଦାନ କରିଛି। ଡିମ୍‌ଡ ଟୁ ବି ୟୁନିଭର୍ସିଟିର ମେଡିକାଲ , ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ସମେତ ସମସ୍ତ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନକୁ କମିଟି ରିପୋର୍ଟରେ ସାମିଲ କରିଛି। ଏଥିରେ ସରକାର, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ଡିମ୍‌ଡ ଟୁ ବି ୟୁନିଭର୍ସିଟି ରହିଛନ୍ତି। ଏହି ନିୟମ ସମସ୍ତ ପ୍ରକାର ୧୨୬ ଡିମ୍‌ଡ ଟୁ ବି ୟୁନିଭର୍ସିଟି ଉପରେ ଲାଗୁ ହେବ।

Comments are closed.