ଆଜିଠୁ ବଳକା ୨୩୩ସିଟ୍‍ ପାଇଁ ସ୍ପଟ୍‍ କାଉନ୍‍ସେଲିଂ

0

ଭୁବନେଶ୍ୱର : ଓଡ଼ିଶାର ୧୦ଟି ମେଡ଼ିକାଲ୍‍ କଲେଜରେ ମୋଟ ୧୧୭୦ ସିଟ୍‍ ରହିଛି। ସେଥିମଧ୍ୟରୁ ୯୩୪ଟି ସିଟ୍‍ରେ ନାମଲେଖା ହୋଇଥିବାବେଳେ ୨୩୩ସିଟ୍‍ ବଳକା ରହିଛି। ଚଳିତ ବର୍ଷ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ଏସବୁ ସିଟ୍‍ ବଳକା ରହିଛି। ରାଜ୍ୟର ସରକାରୀ ଓ ଘରୋଇ ମେଡ଼ିକାଲ୍‍ କଲେଜଗୁଡ଼ିକରେ ଏହି ବଳକା ସିଟ୍‍ଗୁଡ଼ିକରେ ନାମଲେଖା ଲାଗି ଆସନ୍ତାକାଲିଠାରୁ ସ୍ପଟ କାଉନ୍‍ସେଲିଂ ଅନୁଷ୍ଠିତ ହେବ ଏବଂ ଏହା ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଲିବ। ବଳକା ସିଟ୍‍ ପାଇଁ ଗଣ୍ଡମୁଣ୍ଡା ଓଜେଇ ସେଲ୍‍ରେ ଏମ୍‍ବିବିଏସ୍‍ ଏବଂ ବିଡିଏସ୍‍ ପାଠ୍ୟକ୍ରମରେ ନାମଲେଖା ଲାଗି କାଉନ୍‍ସେଲିଂ କରାଯିବ। କେଉଁ କଲେଜରେ କେତେ ସିଟ୍‍ ବଳକା ରହିଛି ତାହା ଛାତ୍ରଛାତ୍ରୀଙ୍କୁ ରିପୋଟିଂ ସମୟରେ ଜଣାଇ ଦିଆଯିବ ଏମ୍‍ବିବିଏସ୍‍ ଏବଂ ବିଡିଏସ୍‍ ମେଧାତାଲିକାରେ ସ୍ଥାନପାଇଥିବା ସମସ୍ତ ଛାତ୍ରଛାତ୍ରୀ ସ୍ପଟ୍‍ କାଉନ୍‍ସେଲିଂରେ ଅଂଶଗ୍ରହଣ କରିପାରିବେ ବୋଲି ଓଜେଇ ଅଧ୍ୟକ୍ଷ ସୁଦୀପ୍‍ କୁମାର ଚାନ୍ଦ ସୂଚନା ଦେଇଛନ୍ତି।
କଟକ ଏସ୍‍ସିବି ମେଡ଼ିକାଲ୍‍ କଲେଜ, ବ୍ରହ୍ମପୁର ଏମ୍‍କେସିଜି ମେଡ଼ିକାଲ୍‍ କଲେଜ, ବୁର୍ଲା ଭିଏସ୍‍ଏସ୍‍ ଇମ୍‍ସାର, ବାଲେଶ୍ୱର ଓ ବଲାଙ୍ଗୀର ସରକାରୀ ମେଡ଼ିକାଲ୍‍ କଲେଜ, ବାରିପଦା ପଣ୍ଡିତ୍‍ ରଘୁନାଥ ମୁର୍ମୁ ମେଡ଼ିକାଲ୍‍ କଲେଜ, କୋରାପୁଟ ଏସ୍‍ଏଲ୍‍ଏନ୍‍ ମେଡ଼ିକାଲ୍‍ କଲେଜ ଆଣ୍ଡ୍‍ ହସ୍‍ପିଟାଲରେ ୯୫ଟି ଏମ୍‍ବିବିଏସ୍‍ ସିଟ୍‍ ରହିଥିବାବେଳେ ହାଇଟେକ୍‍ ମେଡ଼ିକାଲ୍‍ କଲେଜରେ ୩୬ଟି ଏମ୍‍ବିବିଏସ୍‍ ସିଟ୍‍ ରହିଛି। ସେହିପରି ଏସ୍‍ସିବି ଡେଣ୍ଟାଲ୍‍ କଲେଜରେ ବିଡିଏସ୍‍ ସିଟ୍‍ ୧୨ଟି ଏବଂ ହାଇଟେକ୍‍ ମେଡ଼ିକାଲ୍‍ କଲେଜରେ ୯୨ଟି ଡେଣ୍ଟାଲ୍‍ ସିଟ୍‍ ରହିଥିବା ଜଣାପଡ଼ିଛି।

Leave A Reply