ଲକ୍ଷ୍ମଣ ରେଖା ଅତିକ୍ରମ ନ କରନ୍ତୁ ଜନ ପ୍ରତିନିଧି

ଭୁବନେଶ୍ୱର: ସମ୍ବାଦ ଓ ସାମ୍ବାଦିକ ଉଭୟ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଏବଂ ସାମ୍ବାଦିକମାନେ ଅବାଧ ଓ ମୁକ୍ତ ଭାବରେ କାର୍ଯ୍ୟ କଲେ ହିଁ ସାମାଜିକ ବ୍ୟବସ୍ଥାରେ ରହିଥିବା ତ୍ରୁଟି ବିଚ୍ୟୁତି ପ୍ରତିଫଳିତ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି। ଗୁରୁବାର ଭୁବନେଶ୍ୱରରେ ବିଭିନ୍ନ ଛାପା ଓ ବୈଦୁତିକ ଗଣମାଧ୍ୟମର ସାମ୍ବାଦିକମାନେ ଆସନ୍ତା ବିଧାନସଭା ଅଧିବେଶନରେ ସାମ୍ବାଦିକ ସୁରକ୍ଷା ବିଲ୍ ଆଣିବାକୁ ଦାବି କରିଛନ୍ତି। ଅନେକ ସମୟରେ ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ଅଶାଳୀନ ବ୍ୟବହାର ଆଦୌ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ସେମାନେ କହିବା ସହ ଜନ ପ୍ରତିନିଧିମାନେ ଲକ୍ଷ୍ମଣ ରେଖା ଅତିକ୍ରମ ନ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଜଣେ ଘରୋଇ ଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଆଜି ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକମାନେ ଭୁବନେଶ୍ୱର ସୂଚନା ଭବନ ନିକଟରେ ପ୍ରତିବାଦ କରିଥିଲେ। ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଗୃହ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ପ୍ରଦାନ କରିଛନ୍ତି। ଦାବି ପତ୍ରରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଗାମୀ ବିଧାନସଭା ଅଧିବେଶନରେ ସାମ୍ବାଦିକ ସୁରକ୍ଷା ବିଲ୍ ଆଣିବା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କରିବା ପ୍ରସଙ୍ଗ ରହିଛି। ଅନ୍ୟ ପକ୍ଷରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ସାମ୍ବାଦିକମାନେ ଏହି ଘଟଣାର ପ୍ରତିବାଦ ସହ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।

Comments are closed.