ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁମତି

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜରେ ଚଳିତ ବର୍ଷଠାରୁ ଡାକ୍ତରୀ ପାଠ୍ୟକ୍ରମ ଖୋଲିବାପାଇଁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ(ଏମ୍‍ସିଆଇ) ଏପ୍ରିଲରେ ସବୁଜ ସଙ୍କେତ ଦେଇଥିବାବେଳେ ଶନିବାର ବିଧିବଦ୍ଧ ଭାବେ ଅନୁମତି ପତ୍ର(ଏଲ୍‍ଓପି)ପ୍ରଦାନ କରିଛି। ଯାହାଦ୍ୱାରା କି ଚଳିତବର୍ଷଠାରୁ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜରେ ୧୦୦ଲେଖାଏଁ ସିଟ୍‍ରେ ମେଡିକାଲ ପାଠ୍ୟକ୍ରମ ଆରମ୍ଭ ହୋଇପାରିବ। ସେହିପରି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ବାରିପଦାସ୍ଥିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଲାଗି ଚଳିତବର୍ଷର ନବୀକରଣ ପତ୍ର ମଧ୍ୟ ଏମ୍‍ସିଆଇ ପ୍ରଦାନ କରିବା ସହିତ କଟକସ୍ଥିତ ଏସ୍‍ସିବି କଲେଜ, ବ୍ରହ୍ମପୁରସ୍ଥିତ ଏମ୍‍କେସିଜି ପାଇଁ ୨୫୦ ସିଟ୍‍ରେ ପାଠ୍ୟକ୍ରମ ପାଇଁ ଅନୁମତି ଦେଇଛି। ଏହାକୁ ନେଇ ରାଜ୍ୟ ସରକାର ଆଶ୍ୱସ୍ତି ଲାଭ କରିଥିବାବେଳେ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଯୋଗ୍ୟ ଯେ ଏପ୍ରିଲ ୨୬ରେ ନୂଆଦିଲ୍ଲୀଠାରେ ଏମ୍‍ସିଆଇର କାର୍ଯ୍ୟକାରିଣୀ ବୈଠକରେ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଭିତ୍ତିଭୂମି ସୁଦୃଢ଼ ଓ ଷ୍ଟାଫ୍‍ ନିଯୁକ୍ତି ପ୍ରସଙ୍ଗରେ ଦର୍ଶାଯାଇଥିଲା। ଏମିତିକି ବିଭାଗୀୟ ଶାସନ ସଚିବ ଡା. ପ୍ରମୋଦ ମେହେର୍ଦା ଏବଂ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏସମ୍ପର୍କରେ ବ୍ୟକ୍ତିଗତ ଭାବେ ଏମ୍‍ସିଆଇକୁ ପତ୍ର ଲେଖି ତୁରନ୍ତ ଅନୁମତି ପତ୍ର ପ୍ରଦାନ ଲାଗି ଅନୁରୋଧ କରିଥିଲେ। ବୈଠକ ଅବସରରେ ସଚିବ ଡା. ମେହେର୍ଦାଙ୍କ ଅଣ୍ଡରଟେକିଂ ପରେ ଏମ୍‍ସିଆଇ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜକୁ ଚଳିତବର୍ଷଠାରୁ ଡାକ୍ତରୀ ପାଠ୍ୟକ୍ରମ ଆରମ୍ଭ ଲାଗି ସବୁଜ ସଙ୍କେତ ଦେଇଥିଲେ।
ଅନ୍ୟପକ୍ଷରେ ଆଦିବାସୀବହୁଳ ମୟୂରଭଞ୍ଜ ଜିଲା ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାପାଇଁ ରାଜ୍ୟ ସରକାର ବାରିପଦାଠାରେ ୨୦୧୭-୧୮ ବର୍ଷରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ। ଇତିମଧ୍ୟରେ ଗୋଟିଏ ବର୍ଷ ପାଠ୍ୟକ୍ରମ ଶେଷ ହେବାକୁ ଯାଉଥିବାବେଳେ ମେଡିକାଲ କଲେଜରେ ନାମଲେଖା ଓ ଦ୍ୱିତୀୟବର୍ଷର ନବୀକରଣ ନେଇ ଅନିଶ୍ଚିତତା ଲାଗି ରହିଥିଲା। ଆଜି ଏମ୍‍ ସିଆଇର ଏଲ୍‍ଓପି ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି।

Leave A Reply