ଓଡିଶା ଅଦର୍ଶ ବିଦ୍ୟାଳୟରେ ପାଣି ସମସ୍ୟା

0

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ଲକ୍ଷ୍ମଣାସାହି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଣି ସମସ୍ୟା ଚିନ୍ତାର କାରଣ ପାଲଟିଛି। ପାଣି ସମସ୍ୟା ପାଇଁ ବିଦ୍ୟାଳୟରେ ପିଇବା, ହାତ ମୁହଁ ଧୋଇବା ଆଦି ଯାବତୀୟ କାମ ପାଇଁ ୩୦୦ ମିଟର ଦୂର ଲକ୍ଷ୍ମଣା ସାହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ନଳକୂପ ଉପରେ ନିର୍ଭର କରିବାକୁ ପଡୁଛି। ବିଦ୍ୟାଳୟରେ ବର୍ତ୍ତମାନ ଷଷ୍ଠ, ସପ୍ତମ ଓ ଅଷ୍ଟମ ତିନୋଟି ଶ୍ରେଣୀରେ ୨୩୨ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ନବମ ଓ ଦଶମକୁ ମିଶାଇ ପାଞ୍ଚଟି ଶ୍ରେଣୀରେ ପିଲା ସଖ୍ୟା ୪୦୦କୁ ବୃଦ୍ଧି ପାଇବା ସହ ପାଣିର ଆବଶ୍ୟକତା ମଧ୍ୟ ବଢିଯିବ ବୋଲି ଜଣାପଡିଛି। ୨୦୧୭ ମସିହାରେ ଉକ୍ତ ଆଦର୍ଶ ବିଦ୍ୟାଳୟରେ ପ୍ରଥମ କରି ଛାତ୍ରଛାତ୍ରୀ ମାନେ ପ୍ରବେଶ କରିଥିଲେ। ବିଦ୍ୟାଳୟର ପରିସରର ପାଣିର ଆବଶ୍ୟକତା ପୂରଣ ପାଇଁ ଏକ ବୋରୱେଲ ବ୍ୟବହୃତ ହୋଇଆସୁଛି। ତେବେ ଉକ୍ତ ବୋରୱେଲ ବିଦ୍ୟାଳୟର ପାଣି ଚାହିଦା ମେଣ୍ଟାଇ ପାରୁନି। ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଠାରୁ ଖାଇବା, ହାତ ଓ ବାସନ ଧୋଇବା, ରନ୍ଧନ ସରଞ୍ଜାମ, ସଫା କରିବା ପାଇଁ ପାଣିର ଅଭାବ ଲାଗିରହୁଥିବାରୁ ପିଲାମାନେ ବିଦ୍ୟାଳୟ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଦୂରରେ ଥିବା ନଳକୂପକୁ ଧାଡିବାନ୍ଧି ଚାଲିଚାଲି ଯାଇଥାନ୍ତି। ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୀଷା ମହାକୁଡଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ନଭେମ୍ବର ମାସରୁ ବିଦ୍ୟାଳୟ ବୋରୱେଲରୁ ପର୍ଯ୍ୟାପ୍ତ ପାଣି ଉପଲବ୍ଧ ହେଉନଥିବା ସେ କହିଥିଲେ। ପ୍ରତିଦିନ ଯାହା ପାଣି ମିଳୁଛି ତାହା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ପିଲାଙ୍କ ହାତମୁହଁ ଓ ବାସନ ଧୋଇବା ପାଇଁ ନିଅଣ୍ଟ ପଡୁଛି। ଅନ୍ୟପକ୍ଷେ ଛାତ୍ରାବାସ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇନଥିବାରୁ ସେଠାରେ ଥିବା ବୋରୱେଲକୁ ମଧ୍ୟ ବ୍ୟବହାର କରିହେଉନାହିଁ। ପାଣି ସମସମ୍ୟାର ସମାଧାନ ବାବଦରେ ବହୁ ପୂର୍ବରୁ ବିଦ୍ୟାଳୟ କମିଟିରେ ପ୍ରସ୍ତାବ ଦିଆଯାଇଛି। ତେବେ ପାଣି ସମସ୍ୟା ବାବଦରେ ‘ସମାଜ’ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯିବା ପରେ ଉକ୍ତ ସମସ୍ୟାର ଜରୁରୀ ପ୍ରତିକାର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଖୁଣ୍ଟା ବିଡିଓ ଦେବଦତ୍ତ ପଣ୍ଡା ଓ କପ୍ତିପଦା ଉପଜିଲାପାଳ ଭଗବାନ ବେହେରା କହିଛନ୍ତି।

Leave A Reply