ମାରୁତି ସୁଜୁକି​ରେ ‌ମାନ୍ଦାବସ୍ଥା ପ୍ରଭାବ : ୨ ଦିନ ପାଇଁ ବନ୍ଦ ରହିବ ଗୁରୁଗ୍ରାମ, ମାନେସର ପ୍ଲାଣ୍ଟ

ନୂଆଦିଲ୍ଲୀ : ଦେଶର ଆର୍ଥିକ ସ୍ଥିତି ବେଶ ଖରାପ। ଏହାର ପ୍ରଭାବ ବିଭିନ୍ନ ଶିଳ୍ପ ଉପରେ ପଡ଼ିଛି। ତେବେ ଏଥିରୁ ବାଦ୍ ପଡ଼ିନି ଦେଶର ସର୍ବବୃହତ୍‌ କାର୍‌ କମ୍ପାନୀ ମାରୁତି ସୁଜୁକି। ଅଟୋମୋବାଇଲ ଶିଳ୍ପରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି କମ୍ପାନୀ ଏହାର ହରିୟାନାସ୍ଥିତ ମାନେସର ଏବଂ ଗୁରୁଗ୍ରାମସ୍ଥିତ ୨ କାରଖାନାକୁ ୨ ଦିନ ପାଇଁ ବନ୍ଦ ରଖିବାକୁ ଯାଉଛି। ଚଳିତ ମାସ ୭ ଓ ୯ ତାରିଖ ଏହି ୨ଟି ପ୍ଲାଣ୍ଟରେ କାର୍‌ ନିର୍ମାଣ ହେବ ନାହିଁ। ଏହି ଦୁଇ ଦିନକୁ କମ୍ପାନୀ ‘ଶୂନ ଉତ୍ପାଦନ’ ଦିବସ ଭାବେ ପାଳନ କରିବ ବୋଲି କହିଛି ା କାରବାର କ୍ଷତିରେ ଚାଲୁଥିବା ଦେଖି ଗତବର୍ଷ ତୁଳନାରେ ଚଳିତମାସ ଉତ୍ପାଦନ କ୍ଷମତା ୩୪% କମ୍ କରିବା ପାଇଁ ମାରୁତି ସୁଜୁକି ନିଷ୍ପତ୍ତି ନେଇଥିଲା। ମାରୁତି ସୁଜୁକିର ଛୋଟ କାର ଅଲ୍ଟୋ ଏବଂ ୱାଗନର ଭଳି କାର ନିର୍ମାଣ ୬୩% କମ୍ କରିଛି। ଏବେର ସବୁଠୁ ଲୋକପ୍ରିୟ ମଡେଲ ବଲେନୋ ଏବଂ ସ୍ବିଫ୍ଟ କାର୍‌ ନିର୍ମାଣ ମଧ୍ୟ ୩୪% କମ୍ ରହିଛି। ଦେଶର ଏହି ଖ୍ୟାତନାମା କାର୍‌ କମ୍ପାନୀ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ୨ ଦିନ ପାଇଁ ନିଜର ୨ଟି ପ୍ଲାଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

Comments are closed.