ଏଥର ସହିଦଙ୍କୁ ନେଇ ରାଜନୀତି

0

ନୂଆଦିଲ୍ଲୀ : ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି। ପୁଲୱାମା ଆକ୍ରମଣ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇସାରିଛି। ଆକ୍ରମଣ ଘଟଣା ପରେ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ବୟାନବାଜି ଜୋର ଧରିଥିବା ବେଳେ ଆକ୍ରମଣରେ ପ୍ରାଣ ହରାଇଥିବା ସିଆରପିଏଫ୍‍ ଯବାନଙ୍କୁ ସହିଦ ମାନ୍ୟତା ନିର୍ବାଚନୀ ପ୍ରସଙ୍ଗ ପରିସରକୁ ଆସିଯାଇଛି।
ଆତଙ୍କବାଦ ଘଟଣା ଓ ନିରାକରଣ ପଦକ୍ଷେପ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ମଧ୍ୟରେ ଅତୀତରୁ ବାଦବିବାଦ ଲାଗି ରହିଛି। ସୀମାପାର ଆତଙ୍କବାଦ ବିରୋଧରେ କଂଗ୍ରେସ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ବୋଲି ବିଜେପି ଅଭିଯୋଗ କରି ଆସୁଥିବା ବେଳେ ଏନଡିଏ ଅମଳରେ ଅଧିକ ସଂଖ୍ୟକ ଯବାନ ସହିଦ ହୋଇଛନ୍ତି ବୋଲି ବିଭିନ୍ନ ସମୟରେ କଂଗ୍ରେସ ପ୍ରବକ୍ତା ଅଭିଯୋଗ ଆଣୁଥିବା ଖବର ପ୍ରକାଶ ପାଉଛି। ଉରି ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ୍‍ ଷ୍ଟ୍ରାଇକ୍‍କୁ ଆତଙ୍କବାଦ ବିରୋଧରେ ଏନ୍‍ଡିଏ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିଜେପି କହୁଛି। ଅପରପକ୍ଷରେ ସର୍ଜିକାଲ୍‍ ଷ୍ଟ୍ରାଇକକୁ ନେଇ କଂଗ୍ରେସ ସମେତ ଅନ୍ୟ କେତେକ ବିରୋଧୀ ଦଳ ସନ୍ଦେହ ପ୍ରକାଶ କରିଛନ୍ତି। ଏହିକ୍ରମରେ ନିର୍ବାଚନ ଅବ୍ୟବହିତ ପୂର୍ବରୁ ପୁଲୱାମା ଆକ୍ରମଣକୁ ନେଇ ରାଜନୀତି ଜୋର ଧରିଛି।
ପୁଲୱାମା ଆକ୍ରମଣରେ ୪୪ ଜଣ ସିଆରପିଏଫ୍‍ ଯବାନଙ୍କ ମୃତ୍ୟୁ ଘଟିବା ପରେ ବିହାରରେ ଏକ ସାଧାରଣ ସଭାରେ ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଥିଲେ ଯେ ଏବେ କେନ୍ଦ୍ରରେ କଂଗ୍ରେସ ନୁହେଁ, ବିଜେପି ନେତୃତ୍ୱାଧୀନ ଏନ୍‍ଡିଏର ଶାସନ ଚାଲିଛି। ତେଣୁ ଆତଙ୍କବାଦ ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପାଲଟା ଆକ୍ରମଣ କରିବାକୁ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧୀ କହିଥିଲେ ଯେ ଯେତେବେଳେ ଆକ୍ରମଣ ଘଟିଲା ଓ ଯବାନମାନେ ମୃତାହତ ହେଉଥିବା ଖବର ସମଗ୍ର ଦେଶ ଶୁଣୁଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ଥିଲେ। ଏବେ ଆଉ ଦୁଇ ପାଦ ଆଗେଇ ଯାଇ ରାହୁଲ୍‍ କହିଛନ୍ତି ଯେ ଯଦି କଂଗ୍ରେସ ଶାସନ କ୍ଷମତାକୁ ଆସେ ତେବେ ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କୁ ଯୁଦ୍ଧ କିମ୍ବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁପରେ ସହିଦ ମାନ୍ୟତା ମିଳିବ।
ଭାରତୀୟ ସାମରିକ ସଂହିତାରେ କେବଳ ତିନି ସେନାବାହିନୀରେ ସହିଦ ମାନ୍ୟତା ବ୍ୟବସ୍ଥା ପ୍ରଚଳିତ ଅଛି। ଅର୍ଥାତ୍‍ ଯୁଦ୍ଧରେ ସେନା ବାହିନୀର ଯବାନମାନଙ୍କ ମୃତ୍ୟୁ ଘଟିଲେ ସେମାନଙ୍କୁ ସହିଦ ମାନ୍ୟତା ଦିଆଯାଉଛି। ସିଆରପିଏଫ୍‍ ଓ ଅନ୍ୟ ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କ କ୍ଷେତ୍ରରେ ସହିଦ ମାନ୍ୟତା ଲାଗୁ ହେଉନାହିଁ। ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ସହିଦ ପରିବାର ଓ ଯବାନମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ବୋଲି ମତ ପ୍ରକାଶ ପାଇଛି।
ଜବାହରଲାଲ୍‍ ନେହରୁ ଷ୍ଟାଡିୟମରେ ଆୟୋଜିତ ଏକ ଯୁବ ସମାବେଶରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ ବେଳେ ଶ୍ରୁତି ଗୌତମ ନାମକ ଜଣେ ପିଏଚ୍‍ଡି ଛାତ୍ରଙ୍କ ପ୍ରଶ୍ନର ଉତ୍ତରରେ ରାହୁଲ୍‍ କହିଥିଲେ ଯେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କ ମୃତ୍ୟୁ ଘଟିଲେ ସେମାନଙ୍କୁ ସହିଦ ମାନ୍ୟତା ଦିଆଯାଉନାହିଁ। କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସିଲେ ନୂଆ ପରମ୍ପରା ଆରମ୍ଭ କରିବ।
ଏହି ପ୍ରସଙ୍ଗରେ ରାହୁଲ୍‍ଙ୍କ ସହିତ ସ୍ୱର ମିଳାଇ ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ସିଆରପିଏଫ୍‍, ଆଇଟିବିପି ଓ ବିଏସ୍‍ଏଫ୍‍ ଯବାନଙ୍କର କର୍ତ୍ତବ୍ୟ ସମ୍ପାଦନ ବେଳେ ମୃତ୍ୟୁ ଘଟିଲେ ସହିଦ ମାନ୍ୟତା ଓ ଆର୍ଥିକ ସହାୟତା ପ୍ରଦାନ କରାଯାଉନଥିବାରୁ ସେମାନଙ୍କ ପରିବାର ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି। ତେଣୁ ସେମାନଙ୍କୁ ସହିଦ ମାନ୍ୟତା ପ୍ରଦାନ କରାଯିବା ଆବଶ୍ୟକ। ଏହାପୂର୍ବରୁ ରାହୁଲ୍‍ ଗାନ୍ଧି ସିମ୍‍ଲାରେ ଏକ ସହିଦ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ରାହୁ୍‍ଲ କହିଥିଲେ ଯେ ମୋର ଜେଜେମା’ ଓ ପିତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ତେଣୁ ସେହି ବ୍ୟଥା ଓ ଯନ୍ତ୍ରଣା ମୁଁ ଅନୁଭବ କରିପାରୁଛି।

Leave A Reply