ମଦ୍ୟପ ଯୁବକର କାଠ ଫାଳିଆ ମାଡ଼ରେ ୩ ଜଣ ମୃତ

0

ପାଟକୁରା/ମାର୍ଶାଘାଇ : ପାଟକୁରା ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମରେ ଶନିବାରା ରାତିରେ ଜଣେ ମଦ୍ୟପ ଯୁବକଙ୍କ କାଠ ଫାଳିଆମାଡରେ ୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇ କଟକ ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଫେରାର ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ଘଟଣାରୁ ପ୍ରକାଶ ଯେ ଶନିବାର ରାତି୧୧ଟା ସମୟରେ ପାଟକୁରା ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମପଞ୍ଚାୟତ ମଧୁସୂଦନପୁର ଗ୍ରାମର ଅକ୍ଷୟ ଦାସଙ୍କ ବଡପୁଅ ଅମର ବିକ୍ରମ ଦାସ (୩୭) ନିଶାସକ୍ତ ଅବସ୍ଥାରେ ଘରକୁ ଆସି ସ୍ତ୍ରୀ ତଅପୋଇ ସହିତ ବଚସା ଓ ପାଟିତୁଣ୍ଡ କରିଥିଲା। ପରେ ବିକ୍ରମ ତଅପୋଇଙ୍କୁ ଏକ କାଠଫାଳିଆରେ ନିର୍ଧୁମ ପିଟିଥିଲା। ବିକ୍ରମର ଏପରି କ୍ରୋଧକୁ ଦେଖି ବାପା ଅକ୍ଷୟ ଏବଂ ସ୍ତ୍ରୀ ଉଭୟେ ଅଟକାଇବାକୁ ଉଦ୍ୟମ କଲେ; ମାତ୍ର ମଦ୍ୟପ ବିକ୍ରମ ବାପା ଅକ୍ଷୟ ଓ ମା’କେତକୀଙ୍କୁ ପିଟିବା ଆରମ୍ଭ କରିଥିଲା। ମାଡ ଭୟରେ କୌଶଳକ୍ରମେ ଅକ୍ଷୟ ଘରୁ ବାହାରି ପଳାଇଯାଇଥିଲା ବେଳେ ସ୍ତ୍ରୀ ତଅପୋଇ ସମ୍ପର୍କର୍ୀୟ ଜେଜେ ବାପା ଧ୍ରୁବ ସାହୁଙ୍କ ଘରେ ପଶିଯାଇଥିଲେ; ହେଲେ ଉତ୍ତ୍ୟକ୍ତ ବିକ୍ରମର ହାବୁଡରେ ପଡିଗଲେ ଜେଜେ ବାପା ଧ୍ରୁବ ଦାସ (୬୭) ଓ ଜେଜେମା’ ସରସ୍ୱତୀ ଦାସ (୬୨) ଓ ସ୍ୱାମୀ ପରିତ୍ୟକ୍ତା ପିଉସୀ ମା’ ପ୍ରତିମା ଦାସ (୪୫)। ଏମାନେ ସମସ୍ତେ ଗୋଟିଏ ଘରେ ଶୋଇଥିଲେ। ମଦ୍ୟପ ବିକ୍ରମ କାଠ ଫାଳିଆରେ ଜଣକ ପରେ ଜଣକୁ ପିଟି ଚାଲିଥିଲା। ସେମାନେ ସମସ୍ତେ ରକ୍ତ ଜୁଡୁବୁଡୁ ହୋଇ ପଡିଯାଇଥିଲେ। ପାଟିତୁଣ୍ଡ ଶୁଣି ପାଖ ପଡୋଶୀ ଓ ଗ୍ରାମବାସୀ ପହଞ୍ଚିଯାଇଥିଲେ। ମୁମୂର୍ଷୁ ଅବସ୍ଥାରେ ୪ଜଣଙ୍କୁ ଗ୍ରାମବାସୀ ତୁରନ୍ତ ଉଦ୍ଧାର କରି କେନ୍ଦ୍ରାପଡା ମେଡିକାଲ ନେଇଥିଲେ। ସେଠାରେ ପହଞ୍ଚିଲା ବେଳକୁ ଜେଜେବାପା ଧ୍ରୁବ ସାହୁ ଏବଂ ଜେଜେ ମା’ ସରସ୍ୱତୀଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ପିଉସୀ ମା’ ପ୍ରତିମା ଓ ମା’ କେତକୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା; ହେଲେ କଟକ ଯିବା ବାଟରେ ପିଉସୀ ମା’ ପ୍ରତିମାଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଛି। ଗୁରୁତର ଥିବା ମା’ କେତକୀଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ। ରବିବାର ପାଟକୁରା ଥାନା ଅଧିକାରୀ ସୁଜିତ୍‍ ପ୍ରଧାନ, କେନ୍ଦ୍ରାପଡା ପୁଲିସ ଏସ୍‍ଡିପିଓ ରାଜିବ ଲୋଚନ ପଣ୍ଡା ଓ ସାଇଣ୍ଟିଫିକ୍‍ ଟିମ୍‍ ସଦଳବଳ ପହଞ୍ଚି ଘଟଣାର ଅନୁସନ୍ଧାନ କରି ଫେରିଛନ୍ତି। ପୁଲିସ ରକ୍ତ ଭିଜା ଦୁଇଟି କାଠ ଫାଳିଆକୁ ଜବତ କରିଛି। ଅଭିଯୁକ୍ତ ବିକ୍ରମ ଫେରାର ହୋଇଯାଉଥିବାବେଳେ ସବଇନ୍ସପେକ୍ଟର ମହମ୍ମଦ ଜାମସେଦ୍‍ ଓ କେନ୍ଦ୍ରାପଡା ସ୍ପେଶାଲ ସ୍କ୍ୱାଡ ପୁଲିସ୍‍ ପି.କେ. କାନୁନ୍‍ଗୋଙ୍କ ନେତୃତ୍ୱରେ ଏକ ଟିମ୍‍ ପାଟକୁରା ଥାନା ଅନ୍ତର୍ଗତ ଉଦୟପୁର-ବିନ୍ଦୋଳ ଗ୍ରାମର ଗହୀରରୁ କାବୁ କରିଥିଲେ। ପୁଲିସ ଅଭିଯୁକ୍ତକୁ ପଚରାଉଚୁରା କରୁଛି।
ସୂଚନାଯୋଗ୍ୟ ଯେ ଦୀର୍ଘଦିନ ହେଲା ଧ୍ରୁବ ଦାସଙ୍କ ସହ ଜମିବାଡି ବିବାଦକୁ ନେଇ ଅସନ୍ତୋଷ ଲାଗି ରହିଥିଲା। ଏହି ସମସ୍ୟାର କୌଣସି ସମାଧାନ ହୋଇନପାରିବାରୁ ବିକ୍ରମ ଦୈନିକ ମଦପିଇ ଘରକୁ ଆସୁଥିଲା। ତେଣୁ ଏହି ହତ୍ୟାକାଣ୍ଡ ଜମିବାଡି ବିବାଦରୁ ଘଟାଇଛି ବୋଲି ଅଭିଯୁକ୍ତ ବିକ୍ରମ ପୁଲିସ ଆଗରେ ପ୍ରକାଶ କରିଛି। ପୂର୍ବରୁ ମଧ୍ୟ ବିକ୍ରମ ମଦପିଇ ବାପାମା’ ଏବଂ ସ୍ତ୍ରୀଙ୍କୁ ମାରପିଟ କରେ। ଏନେଇ ଗ୍ରାମବାସୀ ବହୁବାର ବିକ୍ରମକୁ ବୁଝାସୁଝା ମଧ୍ୟ କରିଛନ୍ତି। ଅଭିଯୁକ୍ତ ବିକ୍ରମର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply