କବରଖାନାରେ ପାଳନ କଲେ ନିଜ ବିବାହ ବାର୍ଷିକୀ

0

କଲାବୁରାଗି : କର୍ଣ୍ଣାଟକ କଲାବୁରାଗି ଜିଲାର ଏକ ଦମ୍ପତ୍ତି ଅଭିନବ ଢଙ୍ଗରେ ନିଜ ବିବାହ ବାର୍ଷିକୀ ପାଳନ କରିଛନ୍ତି। କୌଣସି ବଡ଼ ହୋଟେଲ କିମ୍ବା ଘର ପରିବର୍ତ୍ତେ ସେମାନେ କବରଖାନାରେ ନିଜ ୧୮ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ବର୍ତ୍ତମାନ ସମ୍ପୂର୍ଣ୍ଣ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
କଲାବୁରାଗି ସ୍ଥିତ ନନ୍ଦୀକୁର ଗ୍ରାମ ନିବାସୀ ଅନୀତା ଓ ପବନ କୁମାରଙ୍କ ଏହି ବିଚିତ୍ର ବିବାହ ବାର୍ଷିକୀ ଉତ୍ସବରେ ସେମାନଙ୍କ ପରିବାର, ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ମଧ୍ୟ ଉପସ୍ଥିତ ଥିଲେ। ଏହି ଦମ୍ପତ୍ତି ଗାଁ’ରେ ଥିବା କବରଖାନାରେ ବସି ପରସ୍ପରକୁ ମାଳ ପିନ୍ଧାଇଥିଲେ। ସେଠାରେ ତାଙ୍କ ସମ୍ପର୍କୀୟମାନେ ଆଡ଼ମ୍ବର ସହିତ ତାଙ୍କ ବିବାହ ବାର୍ଷିକୀ ପାଳନ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେମାନେ ଏହି ଉତ୍ସବ ଅବସରରେ କବରଖାନାରେ ବୃକ୍ଷରୋପଣ ମଧ୍ୟ କରିଛନ୍ତି। ଖବର ମୁତାବକ ଅନୀତା ପୂର୍ବରୁ ଜିଲା ପଞ୍ଚାୟତର ଉପାଧ୍ୟକ୍ଷା ଥିଲେ। ଅପର ପକ୍ଷରେ ତାଙ୍କ ସ୍ୱାମୀ ପବନ କୁମାର ବାଲାକେରୀ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରନ୍ତି। ସେମାନେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ବିରୋଧରେ ଜନଜାଗରଣ ସୃଷ୍ଟି କରୁଛନ୍ତି। ଦମ୍ପତ୍ତିଙ୍କ କହିବା ଅନୁସାରେ, ସେମାନେ ଚାହୁଁଛନ୍ତି ଗାଁ’ର କବରଖାନା ସଫା ସୁତୁରା ରହୁ, କାରଣ ଅବହେଳା ଯୋଗୁଁ ସେଠାରେ ବହୁତ ଅନାବନା ଗଛଲତା ଓ ଘାସ ଆଦି ଉଠି ବହୁତ ଅପରିଷ୍କାର ହେଉଛି। ସେଥିପାଇଁ ସେମାନେ ନିଜ ବିବାହ ବାର୍ଷିକ ସେହି କବରଖାନାରେ ପାଳନ କଲେ। ଏହାଦ୍ୱାରା ସେହି ସ୍ଥାନ ପରିଷ୍କାର ହେବା ସହ ସେଠାରେ ବୃକ୍ଷରୋପଣ ମଧ୍ୟ କରାଯାଇ ପାରିଲା। ଅନିତାଙ୍କ କହିବା ଅନୁସାରେ, ପ୍ରଥମେ ତାଙ୍କ ସମ୍ପର୍କୀୟ ଏହି ସ୍ଥାନକୁ ଆସିବାକୁ କୁଣ୍ଠାବୋଧ କରୁଥିଲେ, କିନ୍ତୁ ପରେ ଦୁହେଁ ସେମାନଙ୍କୁ ବୁଝେଇ କବରଖାନାରେ ଏହି ଅଭିନବ ପର୍ବ ପାଳନ କରିଥିଲେ।

Leave A Reply