ମାଓବାଦୀଙ୍କ ପକ୍ଷରୁ ମାଲକାନଗିରିରେ ବନ୍ଦ ଡାକରା

0

ମାଲକାନଗିରି : ପୁଲିସର ମିଥ୍ୟା ଗୁଳିବିନିମୟ ଘଟଣାକୁ ବିରୋଧ କରି ମାଓ ସଂଗଠନ ପକ୍ଷରୁ ମଙ୍ଗଳବାର ଦିନ ମାଲକାନଗିରି ଜିଲା ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲା ସଦର ମହକୁମା ଠାରୁ ସହର ମଧ୍ୟରେ ପ୍ରବେଶ କରୁଥିବା ସମସ୍ତ ଯାନବାହାନକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳଛି। ଏଥିସହ ଜିଲାର ମାଓ ଉପଦ୍ରବ ଅଂଚଳରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଥିବା ବେଳେ ପ୍ରତ୍ୟେକ ଥାନାକୁ ଏଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖାଯାଇଥିବା ଜଣାପଡ଼ିଛି। ଏଥିସହ ଜିଲା ସୀମାବର୍ତ୍ତି ଅଞ୍ଚଳରେ ତଲାସୀ ଅଭିଯାନକୁ ବ୍ୟାପକ କରାଯାଇଛି। ଗତ ଅକ୍ଟୋବର ୧୨ ତାରିଖରେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ଅନ୍ତର୍ଗତ ପଣସପୁଟ ନିକଟରେ ଗୁଳି ବିନିମୟ ଘଟଣାରେ ମାଓ ନେତ୍ରୀ ମୀନାଙ୍କ ମୃତ୍ୟୁ ଘଟଣାକୁ ମାଓ ସଂଗଠନ ମିଥ୍ୟା ଏନକାଉଣ୍ଟର ବୋଲି କହିଥିଲେ। ଏହାସହ ନଭେମ୍ବର ୦୫ ତାରିଖରେ ସିନ୍ଦୁରପାଲ୍ଲୀ ନିକଟରେ ଗୁଳି ବିନିମୟ ଘଟଣାରେ ୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁବରଣ କରିଥିବା ବେଳେ ଏହାକୁ ମଧ୍ୟ ମିଥ୍ୟା ଏନକାଉଣ୍ଟର ବୋଲି ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର କାର୍ୟ୍ୟଦର୍ଶୀ ଜଗବନ୍ଧୁ ଗଣମାଧ୍ୟମକୁ ଜାରି କରିଥିଲେ। ସେହି ପତ୍ରରେ ଉଲ୍ଲେଖ କରିଥିଲେ ଯେ, ଏହି ମିଥ୍ୟା ଏନକାଉଣ୍ଟର ଘଟଣାକୁ ବିରୋଧ କରି ମାଓ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ଦୃଷ୍ଟିରେ ରଖି ଆଜି ଜିଲାର ସବୁ ସରକାରୀ ବସ ଚଳାଚଳ ବନ୍ଦ ରଖାଯାଇଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply