ତ୍ରିପୁରାରେ ବନ୍ୟା, ହଜାରେରୁ ଊର୍ଦ୍ଧ୍ବ ଗୃହ ନଷ୍ଟ

ଅଗରତାଲା : ମୂଷଳଧାରାରେ ବର୍ଷା ପରେ ତ୍ରିପୁରାର ମାନୁ, ଜୁରି, କାକତି ନଦୀରେ ବନ୍ୟା ଆସିଛି। ବନ୍ୟା ଯୋଗୁଁ ଉତ୍ତର ତ୍ରିପୁରା, ଉନାକୋଟି ଏବଂ ଧାଲାଇ ଜିଲା ସର୍ବାଧିକ କ୍ଷତି ଘଟିଛି। ସରକାରୀ ସୂଚନା ଅନୁସାରେ ବନ୍ୟାରେ ୧୦୩୯ଟି ଘର ନଷ୍ଟ ହୋଇଯାଇଛି। ଜୀବନ ବଞ୍ଚାଇବା ପାଇଁ ଲୋକଙ୍କୁ ଘର ଛାଡ଼ି ଅନ୍ୟତ୍ର ଯିବାକୁ ପଡୁଛି। ତ୍ରିପୁରାର ୮ଟି ଜିଲାରେ ପରିସ୍ଥିତି ଗମ୍ଭୀର ରହିଛି। ଏପର୍ଯ୍ୟନ୍ତ କାହାର ମୃତ୍ୟୁ ଖବର ମିଳିନାହିଁ।

ଜାତୀୟ ବିପର୍ଯ୍ୟୟ ତ୍ୱରିିତ ବାହିନୀ (ଏନ୍‍ଡିଆରଏଫ) ସହ ତ୍ରିପୁରା ଷ୍ଟେଟ୍‍ ରାଇଫଲ୍ସ, ଜିଲା ପ୍ରଶାସନର ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ୯ଟି ସ୍ପିଡ ଏବଂ ୪୦ଟି ଉଦ୍ଧାରକାରୀ ବୋଟକୁ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି। ଏନଡିଆରଏଫ ଅନୁସାରେ ମାନୁ, ଜୁରି ଏବଂ କାକତି ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। କେତେକ ଲୋକ ନିଜ ଘରେ ଫସି ରହିଥିବା କୁହାଯାଉଛି। ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ ଶିବିରକୁ ନିଆଯାଉଛି। ତେବେ ଧାଲାଇ ଜିଲାରେ ସର୍ବାଧିକ କ୍ଷତି ଘଟିଛି। ବନ୍ୟା ଯୋଗୁଁ ଉନାକୋଟିରେ ୩୫୮ଟି ଘର, ଉତ୍ତର ତ୍ରିପୁରାରେ ୩୮୧ ଘର ନଷ୍ଟ ହୋଇଛି। ସରକାରଙ୍କ ରିଲିଫ ଶିବରରେ ୭୦୦ରୁ ଊର୍ଦ୍ଧ୍ବ ଲୋକ ଶରଣାର୍ଥୀ ଭାବେ ରହୁଛନ୍ତି। ପାଣିପାଗ ବିଭାଗ ଅନୁଯାୟୀ ଏବେ ବି ତ୍ରିପୁରାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହୁଛି। ଏବେ ପାଣିପାଗରେ ସୁଧାର ଆସିବାର କୌଣସି ସଂକେତ ଦେଖାଯାଉନାହିଁ।

Comments are closed.