ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି

0

ଆରଡି : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗୁରୁବାର ହୋଇ ଉଠିଥିଲା ଚଳଚଞ୍ଚଳ। ମନ୍ଦିରର ଦୈନଦିନ ନୀତିନୀର୍ଘଣ୍ଟ ଅନୁଯାୟୀ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳଆଳତୀ, ଘର୍ଷଣଲାଗି, ଜଳାଭିଷେକ, ବେଲ୍ୱପତ୍ର ଲାଗି କରାଯିବା ପରେ ନବବସ୍ତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା। ପରେ ଆଗନ୍ତୁକ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ସକାଳ ୫ଟା ଠାରୁ ଦିବା ୧ଟା ପର୍ଯ୍ୟନ୍ତ ମନ୍ଦିର ସାହାଣ ମେଲା କରାଯାଇଥିଲା। ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ମଣିବାବାଙ୍କ ପାଖରେ ମାନସିକ ପୂଜାର୍ଚ୍ଚନା କରିବା ସହିତ ପ୍ରସିଦ୍ଧ ଘର୍ଷଣଭୋଗ ଲାଗି କରିଥିଲେ। ଅପରାହ୍ଣ ଠାରୁ ଆରମ୍ଭ ହୋଇଥିଲା ଦେବସ୍ନାନ ନୀତି। ଏଥିପାଇଁ ମନ୍ଦିର ଗମ୍ଭୀରା ଘରକୁ ମାର୍ଜନା କରାଯିବା ପରେ ମଣିବାବାଙ୍କୁ ଜଳାଭିଷେକ କରାଯାଇ ଚନ୍ଦନ, ଫୁଲ, ବେଲ୍ୱପତ୍ର ସମେତ କିଲୋକିଲୋ ରୂପା ଅଳଙ୍କାରରେ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇଥିଲା ମଣିବାବାଙ୍କୁ। ଏହି ପଞ୍ଚାନନ ବେଶ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା। ମନ୍ଦିରର ରୀତିନୀତି ଅନୁଯାୟୀ ସମସ୍ତ ସକାଳ ନୀତିକାନ୍ତି ଅପରାହ୍ଣ ୩ଟା ସୁଧା ସରିବା ପରେ ମହାସ୍ନାନ ଜଳ ଆଣିବା ପାଇଁ ସେବାୟତମାନେ ଏକ ବଡ ପଟୁଆର ସହ ଘଣ୍ଟ, କିର୍ତ୍ତନ, ଛତ୍ର, ଚାମର ଆଲଟ ଆଦି ଧରି ବାହାରିଥିଲେ ବୈତରଣୀ ନଦୀ ଅଭିମୁଖେ। ଦୀର୍ଘ ୨କିମି ଚାଲିଚାଲି ବୈତରଣୀ ନଦୀରୁ ୫୧ଗୋଟି ପିତଳ ଗରାରରେ ଜଳ ଆଣିବା ପରେ ଷୋଡଶ ଉପଚାରରେ ଜଳ ଗରା ଗୁଡିକୁ ଚନ୍ଦନ, କର୍ପୁର, ଅଗୁର, ଆଦିରେ ସୁବାଷିତ କରାଯାଇ ମଣିବାବାଙ୍କୁ ମହାସ୍ନାନ କରାଯାଇଥିଲା। ଏଥିସହ ଘିଅ, ମହୁ, କଦଳୀ, ଛେନା ଆଦିରେ ସେବାୟତମାନେ ମଣିବାବାଙ୍କ ପାଖରେ ଲାଗି କରିଥିଲେ। ପରେ ପୁର୍ନବାର ମନ୍ଦିର ଗର୍ଭଗୃହକୁ ସଫେଇ କରାଯାଇ ଚନ୍ଦନ, ଫୁଲ ଓ ବେଲ୍ୱପତ୍ରରେ ନିର୍ମିତ ଟାହିଆ ଆଦି ଲାଗି କରାଯାଇ ବଡସିଂହାର ବେଶରେ ସଜ୍ଜିତ କରାଯାଇ ଥିଲା ମଣିବାବାଙ୍କୁ। ସଂଧ୍ୟାରେ ଶୋଡଷ ପୂଜା ଓ ଆଳତୀ କରାଯିବା ସହିତ ରାତ୍ର ୧୦ଟାରେ ଶେଷଧୂପ ବାଟୁଳା ନୀତି ସମ୍ପନ୍ନ ହେବା ପରେ ପହୁଡ କରାଯିବ ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି। ଅଗଣିତ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Leave A Reply