କେବଳ ଆମ୍ବ ନୁହେଁ, ଏହାର ପତ୍ର ମଧ୍ୟ ଗୁଣକାରୀ

0

ବର୍ଷା ଋତୁରେ ମଧ୍ୟ ଭାରତର ବିଭିନ୍ନ ପ୍ରାନ୍ତରେ ଆମ୍ରପଲ୍ଲୀ ଓ ସୁନ୍ଦରୀ ଆମ୍ବର ପସରା ଦେଖିବାକୁ ମିଳୁଛି। ଫଳର ରାଜା ଭାବେ ଜଣାଯାଉଥିବା ଏଇ ଆମ୍ବ ଭାରତରେ ପ୍ରାୟ ୪ହଜାର ବର୍ଷ ତଳେ ଚିହ୍ନଟ ହୋଇଥିବାର ବିଶେଷଜ୍ଞଙ୍କ ମତ। ବିଶ୍ବସ୍ତରରେ ଉତ୍ପାଦିତ ହେଉଥିବା ଆମ୍ବ ମଧ୍ୟରୁ କେବଳ ୫୦ ପ୍ରତିଶତ ଆମ୍ବ ଭାରତରୁ ଉତ୍ପାଦନ ହେଉଥିବାର ଜଣାଯାଏ। ବିଦେଶୀ ରାଷ୍ଟ୍ରରେ ମଧ୍ୟ ଭାରତୀୟ ଆମ୍ବର ଖୁବ୍ ଆଦର। ଆମେରିକାର ବଡ଼ବଡ଼ ଫୁଡ୍ ମାର୍ଟରେ ଭାରତୀୟ ଆମ୍ବ କିଲୋ ପିଛା ୯୦୦ ଟଙ୍କାରୁ ୨୧୦୦ଟଙ୍କାରେ ବିକ୍ରି ହେଉଥିବାର ପ୍ରକାଶ।

ଆମ ପରମ୍ପରା ଅନୁସାରେ ଆମ୍ବ ଫଳ ଓ ପତ୍ରକୁ ବେଶ୍ ଶୁଭଙ୍କର ମନେକରାଯାଏ। ସେଥିପାଇଁ ବିଭିନ୍ନ ପୂଜା ତଥା ପର୍ବପର୍ବାଣିରେ ଆମ୍ ପତ୍ରର ଉପଯୋଗ ହୋଇଥାଏ। ଦକ୍ଷିଣ ଭାରତର ଅଧିକାଂଶ ଘରର ସମ୍ମୁଖରେ ଆମ୍ବପତ୍ର ଟଙ୍ଗାଯାଇଥାଏ। ଏହା ଶୁଭଙ୍କର ବୋଲି ସ୍ଥାନୀୟ ଲୋକଙ୍କ ମତ।
ଆମ୍ବ ଗଛର ଉତ୍ପତ୍ତି ୨.୫-୩କୋଟି ବର୍ଷ ପୂର୍ବେ ହୋଇଥିବାର ପରୀକ୍ଷାରୁ ଅନୁସନ୍ଧାନ କରାଯାଇଛି। ପୂର୍ବ ଭାରତରେ ଏହାର ଉତ୍ପତ୍ତି ହୋଇଥିବାବେଳେ ପରେ ଏହା ଦକ୍ଷିଣ ଭାରତରେ ପହଞ୍ଚିଥିଲା। ସର୍ବପ୍ରଥମେ ସେଠାରେ ହିଁ ଏହି ଫଳର ନାମକରଣ ‘ଆମ ଫଳ’ କରାଗଲା। ବୈଦିକ ସାହିତ୍ୟରେ ଏଇ ଫଳକୁ ରସାଳ ଓ ସାହାକାର ନାମରେ ଜଣାଗଲା। ସମୟକ୍ରମେ ଫଳର ନାମ ‘ଆମ କାୟ’ ହେଲା ପରେ ଅପଭ୍ରଂଶ ହୋଇ ‘ମାମକାୟ’ ହେଲା। ମାଲାୟଲମ୍ ଲୋକେ ନିଜ ଭାଷା ଅନୁସାରେ ଫଳକୁ ‘ମାଙ୍ଗା’ ନାମରେ ସମ୍ବୋଧନ କଲେ। ପରବର୍ତ୍ତୀ ସମୟରେ ପର୍ତ୍ତୁଗାଲ ଲୋକେ ସେଠାରେ ପହଞ୍ଚି ନିଜ ଦେଶକୁ ଏଇ ଫଳ ନେଇଯିବା ସହ ଫଳର ନାମ ‘ମ୍ୟାଙ୍ଗୋ’ ରଖିଥିଲେ।

ଆମ୍ବ ଫଳରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ଓ ସି ପୋଷକତତ୍ତ୍ବ ରହିଛି। କପର, ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଖଣିଜତତ୍ତ୍ବ ଥିବା ଏହି ଫଳ ସମସ୍ତଙ୍କ ନିମନ୍ତେ ଉପକାରୀ। ତେବେ ମଧୁମେହ ରୋଗୀ ଓ ଅମ୍ଳ ରୋଗୀ ଅଳ୍ପ ପରିମାଣରେ ଆମ୍ବ ଖାଇବା ଉଚିତ।

ଆମ୍ବ ପତ୍ର ଭିଟାମିନ୍ ‘ଏ’,‘ବି’ ଓ ‘ସି’ର ଉତ୍ତମ ସ୍ରୋତ। ଆମ୍ବ ପତ୍ରର ଉପଯୋଗ ବିଭିନ୍ନ ଔଷଧରେ ମଧ୍ୟ ହୋଇଥାଏ।
ସୁଆଦିଆ ଫଳ ଆମ୍ବ ଅଧିକ ପରିମାଣରେ ଖାଇବା ମଧୁମେହ ରୋଗୀଙ୍କ ନିମନ୍ତେ କ୍ଷତିକାରକ ହୋଇଥିବାବେଳେ ଏହାର ପତ୍ର ପ୍ରତ୍ୟହ ଖାଇଲେ ରକ୍ତଚାପ ଓ ମଧୁମେହ ନିୟନ୍ତ୍ରଣ କରେ।

Leave A Reply