ଫଳ ମଧ୍ୟରେ ରାଜା ଆମ୍ବ

0

ଗରମଦିନେ ଭାରତର ପ୍ରତ୍ୟେକ ପ୍ରାନ୍ତରେ ଆମ୍ବର ପସରା ମେଲିଥାଏ। ସମସ୍ତ ବର୍ଗର ଲୋକେ ସୁଆଦିଆ ଆମ୍ବର ମଜା ନେଇଥାନ୍ତି। ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆକୁ ପ୍ରତି ବର୍ଷ ଭାରତରୁ କୋଟିକୋଟି ଟଙ୍କାର ଆମ୍ବ ରପ୍ତାନୀ ହୋଇଥାଏ। ସେଠା ଲୋକଙ୍କ ମତରେ ଭାରତୀୟ ଆମ୍ବର ସୁଆଦ ଶୀର୍ଷରେ। ଆମ ଦେଶରେ ୧୫୦୦ରୁ ଅଧିକ ପ୍ରଜାତିର ଆମ୍ବ ଫଳୁଥିବାବେଳେ ୧୨ ପ୍ରଜାତିର ଆମ୍ବର ବିକ୍ରି ସବୁଠୁ ଅଧିକ ହୋଇଥାଏ।
ଭିଟାମିନ୍ ସି’ ଓ ଏ’ର ଉତ୍ତମ ଉତ୍ସ ଭାବେ ଜଣାଯାଉଥିବା ଆମ୍ବ ଭାରତ, ପାକିସ୍ତାନ ଓ ଫିଲିପାଇନ୍ସର ଜାତୀୟ ଫଳ ଭାବେ ପରିଚିତ।


ସର୍ବପ୍ରଥମେ ସଂସ୍କୃତ ଭାଷା ‘ଆମ୍ର’ରୁ ଆମ୍ବ ଶବ୍ଦର ଉତ୍ପତ୍ତି ହୋଇଥିବାର ବିଶେଷଜ୍ଞଙ୍କ ମତ। ହିନ୍ଦୀ, ମରାଠୀ, ବଙ୍ଗଳା, ମୈଥିଳୀ ଭାଷାରେ ଏହି ସୁଆଦିଆ ଫଳଟି ଆମ୍ବ ଭାବେ ପରିଚୟ ପାଇଥିଲା। ୧୪୯୦ରେ ପର୍ତ୍ତୁଗାଲ ଲୋକେ ଭାରତ ଆସି ଆମ୍ବ ଫଳ ନେବା ସହ ଏହାର ନାମ ମଧ୍ୟ ନେଇଯାଇଥିଲେ। ତାମିଲରେ ଏହି ଫଳକୁ ‘ମେନ୍-କୋ’ ଅବା ‘ମେନ୍-ଗୋ’ କୁହାଯାଉଥିଲା। ବିଦେଶୀ ରାଇଜରେ ଏହି ଶବ୍ଦ ଅପଭ୍ରଂଶ ହୋଇ ‘ମେଙ୍ଗୋ’ ନାମରେ ପରିଚିତ ହେଲା। ଆମ୍ବର ବୈଜ୍ଞାନିକ ନାମ ‘ମେଙ୍ଗୋଫେରା ଇଣ୍ଡିକୋ’।
ଆମ୍ବର ଉତ୍ପତ୍ତି ମାଳଦ୍ବୀପରୁ ହୋଇଥିବାର ଅନୁମାନ କରାଯାଏ। ଖ୍ରୀଷ୍ଟପୂର୍ବ ସମୟରେ ଉତ୍ତର-ଭାରତର ଜଙ୍ଗଲରେ ଆମ୍ବର ବିଭିନ୍ନ ପ୍ରଜାତି ଫଳୁଥିବାର ବିଶେଷଜ୍ଞଙ୍କ ମତ। ୧୮୦୦ ଶତାବ୍ଦୀବେଳକୁ ଏହି ଫଳ ବ୍ରାଜିଲ୍ ଓ ୱେଷ୍ଟଇଣ୍ଡିଜ୍‌ରେ ପହଞ୍ଚିଥିଲା।
ଆମ୍ବର ଲୋକପ୍ରିୟତା ଭାରତରେ ସର୍ବାଧିକ। ଏହାର ପରିଚୟ ଏଠାରେ ଅନୁଷ୍ଠିତ ହେଉଥିବା ଆମ୍ବ ମେଳାରୁ ହିଁ ସ୍ପଷ୍ଟ ଜଣାପଡ଼େ। ଲକ୍ଷ୍ନୌରେ ପ୍ରତିବର୍ଷ ‘ଆମ୍ବ ଉତ୍ସବ’ ବେଶ୍ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥାଏ। ଏଠାରେ ଭାରତର ପ୍ରତ୍ୟେକ ପ୍ରଜାତି ଆମ୍ବର ସମାହାର ଦେଖିବାକୁ ମିଳେ। ଏଭଳି ଉତ୍ସବ ଦିଲ୍ଲୀ ଓ ଗୋଆରେ ମଧ୍ୟ ଅନୁଷ୍ଠିତ ହୋଇଥାଏ।


ଲୋକକଥା ଅନୁସାରେ, ଲେଙ୍ଗଡ଼ା ଆମ୍ବର ନାମକରଣ ପଛରେ ସୁନ୍ଦର କାହାଣୀଟିଏ ରହିଛି। ୨୫୦ ବର୍ଷ ପୂର୍ବେ ବାରାଣସୀର ଶିବ ମନ୍ଦିରରେ ଜଣେ ସାଧୁ ଆଶ୍ରୟ ନେଲେ। ମନ୍ଦିର ପରିସରରେ ସେ ଦୁଇଟି ଆମ୍ବ ଚାରାରୋପଣ କଲେ। ମନ୍ଦିରର ପୂଜକଙ୍କୁ ସାଧୁଜଣକ ଅନୁରୋଧ କଲେ ଯେ ଏଇ ଗଛର ଫଳ ହେବା ପରେ ସମସ୍ତଙ୍କୁ ଦେବା ନିମନ୍ତେ। ପୂଜକଙ୍କର ଗୋଟିଏ ଗୋଡ଼ ଛୋଟା ଥିଲା। ଯଥା ସମୟରେ ଗଛରେ ଫଳ ହେବା ପରେ ପୂଜକ ସ୍ଥାନୀୟ ଲୋକଙ୍କୁ ଫଳ ବାଣ୍ଟିବାକୁ ଲାଗିଲେ। ପୂଜକଙ୍କ ଗୋଟିଏ ଗୋଡ଼ ଛୋଟା ଥିବାରୁ ଫଳଟି ‘ଲେଙ୍ଗେଡ଼ା’ ଫଳ ନାମରେ ପରିଚିତ ହେଲା। ଆଜିର ସମୟରେ ଭାରତର ୩ଲକ୍ଷ ହେକ୍ଟର ଜମିରେ ଲେଙ୍ଗଡ଼ା ପ୍ରଜାତିର ଆମ୍ବ ଚାଷ ହେଉଛି।


ଆମେରିକାର ଧନିକ ଲୋକେ କିଲୋ ପିଛା ୯୦୦-୧୫୦୦ଟଙ୍କା ମୂଲ୍ୟରେ ଅନ୍-ଲାଇନ୍‌ରେ ଭାରତୀୟ ଆମ୍ବ ବଜାରରୁ ଏହା କିଣୁଥିବାର ପ୍ରକାଶ।

Leave A Reply