ବୀମା ଟଙ୍କା ପାଇଁ ସୁପାରୀ ଦେଇ ନିଜର ହତ୍ୟା କରାଇଲେ ବ୍ୟକ୍ତି

0

ଜୟପୁର : ରାଜସ୍ଥାନ ଭୀଲୱାରାରେ ଘଟିଥିବା ଏକ ହତ୍ୟାକାଣ୍ଡରେ ପୁଲିସ ଚମକାଇଲା ଭଳି ସତ୍ୟ ଉନ୍ମୋଚନ କରିଛି। ନିଜ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଯୋଗାଇ ଦେବା ପାଇଁ ମୃତକ ଜଣକ ଅପରାଧୀଙ୍କୁ ସୁପାରୀ ଦେଇ ନିଜ ହତ୍ୟା କରାଇଥିବା ପୁଲିସ କହିଛି। ଏହି ଘଟଣାରେ ପୁଲିସ ୨ ହତ୍ୟାକାରୀଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଭୀଲୱାରାର ମଙ୍ଗରୋପ ଗାଁରେ ୭ ଦିନ ତଳେ ବଳବୀର ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା। ମୃତକଙ୍କ ହାତ-ଗୋଡ଼ ବିଦ୍ୟୁତ ତାରରେ ବନ୍ଧା ହୋଇଥିଲା ଓ ତଣ୍ଟି ଚିପି ହତ୍ୟା କରାଯାଇଥିଲା। ଅନୁସନ୍ଧାନ ପରେ ପୁଲିସର କହିବା କଥା, ମୃତକ ଜଣକ ନିଜେ ହିଁ ଏହି ସମ୍ପୂର୍ଣ୍ଣ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲେ। ବଳବୀର ପରିବାରକୁ ୫୦ ଲକ୍ଷ ଟଙ୍କାର ବିମା ରାଶି ଯୋଗାଇଦେବା ପାଇଁ ନିଜର ହତ୍ୟା କରାଇଥିଲେ। ଏଥିପାଇଁ ସେ ସୁପାରୀ ଦେଇ ସୁନୀଲ ଯାଦବ ନାମକ ବ୍ୟକ୍ତିକୁ ଉତ୍ତର ପ୍ରଦେଶରୁ ଡକାଇଥିଲେ। ସୁନୀଲ ଓ ରାଜବୀର ନାମକ ଦୁଇ ବ୍ୟକ୍ତି ୮୦ ହଜାର ଟଙ୍କା ସୁପାରୀ ନେଇ ବଳବୀରଙ୍କ ହତ୍ୟା କରିଥିଲେ।

ପୁଲିସର କହିବାନୁସାରେ, ମୃତକ ବଳବୀର କିଛି ଲୋକଙ୍କଠାରୁ ୨୦ ଲକ୍ଷ ଟଙ୍କା କରଜ ନେଇଥିଲେ। ଏହି ଟଙ୍କାକୁ ଅନ୍ୟ ଲୋକଙ୍କୁ ସେ ସୁଧରେ ଦେଇଥିଲେ। ଏହାପରେ ତାଙ୍କୁ ମୂଳଧନ ମିଳୁଥିଲା ସତ କିନ୍ତୁ ସୁଧ ମିଳୁ ନ ଥିଲା। ଏହାକୁ ନେଇ ଗତ ୬ ମାସ ଧରି ସେ ଚିନ୍ତିତ ଥିଲେ। ଏହାପରେ ସେ ଏକ ବୀମା କମ୍ପାନୀରେ ନିଜର ୫୦ ଲକ୍ଷ ଟଙ୍କାର ବୀମା କରାଇଥିଲେ। ଏହା ବଦଳରେ ସେ ୮ ଲକ୍ଷ ୪୩ ହଜାର ୨ ଶହ ଟଙ୍କା ବୀମା କିସ୍ତି ମଧ୍ୟ ଜମା କରିଥିଲେ। ଏହାପରେ ବଳବୀର ବୀମା ଉଠାଇବା ଉଦ୍ଦେଶ୍ୟରେ ନିଜ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ। ଅନ୍ୟପକ୍ଷରେ ଏହି ବୀମା ବିଷୟରେ କିଛି ଜାଣି ନ ଥିବା ବଳବୀରଙ୍କ ପରିବାର ଲୋକେ କହିଛନ୍ତି।

 

Leave A Reply