ଶ୍ରେଣୀଗୃହରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କଲା ମଦ୍ୟପ, ଥାନାରେ ଅଟକ

ଦେଓଗାଁ: ଶନିବାର ସକାଳୁଆ ସ୍କୁଲ ଚାଲୁଥିବା ସମୟରେ ଦେଓଗାଁ ବ୍ଳକ ଅରଡ଼ା ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗାଁର ଜଣେ ବ୍ୟକ୍ତି ମଦ ପିଇ ବିଦ୍ୟାଳୟ ଭିତରକୁ ପ୍ରବେଶ କରି ଶିକ୍ଷକ ଓ ଛାତ୍ରଛତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲା। ଏପରି କି ମଦ୍ୟପ ଜଣକ ଅର୍ଦ୍ଧଉଲଗ୍ନ ହୋଇ ବିଦ୍ୟାଳୟ ପରିସରରେ ବୁଲିଥିଲା। ଏହାକୁ ନେଇ ଗାଁରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେଓଗାଁ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଦେଓଗାଁ ପୁଲିସ ମଦ୍ୟପ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଘଟଣାର ତଦନ୍ତ ଚାଲିଥିବା ଦେଓଗାଁ ଆଇଆଇସି ଲୋକନାଥ ଭୋଇ ସୂଚନା ଦେଇଛନ୍ତି। ସମ୍ପୃକ୍ତ ଯୁବକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.