ସର୍ତ୍ତ ହେଲା କାଳ; ୨ ହଜାର ଲୋଭରେ ଅଣ୍ଡା ଖାଇ ଯୁବକଙ୍କ ମୃତ୍ୟୁ

ଆବଶ୍ୟକ ଠାରୁ ଅଧିକ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ। ଏହାର ଏକ ଜ୍ବଳନ୍ତ ଉଦାହରଣ ଉତ୍ତର ପ୍ରଦେଶର ଜୌନପୁରରେ ଦେଖିବାକୁ ମିଳିଛି। ସାଙ୍ଗ ହସ-ମଜାକରେ ୫୦ଟି ଅଣ୍ଡା ଖାଇବା ସର୍ତ୍ତ ଲଗାଇ ଜଣେ ବ୍ୟକ୍ତିଙ୍କୁ ପ୍ରାଣ ହରାଇବାକୁ ପଡିଛି। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାମ ହେଉଛି ସୁବାଷ ଯାଦବ। ସେ ଶାହଗଞ୍ଜ କୋତବାଲୀ ଅନ୍ତର୍ଗତ ଅର୍ଗୁପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି।

ଘଟଣା ଏହିପରି, ଶୁକ୍ରବାର ସନ୍ଧ୍ୟାରେ ସୁବାଷ ଜଣେ ସାଙ୍ଗଙ୍କ ସହ ଅଣ୍ଡା ଖାଇବାକୁ ବିବିଗଞ୍ଜ ବଜାରକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା ଯେ, କିଏ କେତେ ଅଣ୍ଡା ଖାଇ ପାରିବେ। ପରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସର୍ତ୍ତ ମଧ୍ୟ ଲାଗିଥିଲା। ଯିଏ ୫୦ଟି ଅଣ୍ଡା ଖାଇବ ଏବଂ ଏକ ବୋତଲ ମଦ ପିଇବ, ସିଏ ୨୦୦୦ ଟଙ୍କା ଜିତିବ।

ସର୍ତ୍ତ ଜିତିବା ପାଇଁ ସୁବାଷ ଅଣ୍ଡା ଖାଇବା ଆରମ୍ଭ କରିଥିଲେ। ସୁବାଷ ୪୧ଟା ଅଣ୍ଡା ଆରମରେ ଖାଇ ଦେଇଥି​‌ଲେ। କିନ୍ତୁ ୪୨ ନମ୍ବର ଅଣ୍ଡା ଖାଇବା ସମୟରେ ହିଁ ସେ ଅଚେତ ହୋଇ ପଡିଲେ। ପରେ ସେଠାରେ ଥିବା ସ୍ଥାନୀୟଲୋକେ ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଲକ୍ଷ୍ନୌସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ​‌

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ସୁବାଷ ଦ୍ବିତୀୟ ବିବାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀଙ୍କ ୪ଟି ଶିଶୁକନ୍ୟା ଥିବା ବେଳେ ଶିଶୁପୁତ୍ର ଲୋଭରେ ସେ ଦ୍ବିତୀୟ ବିବାହ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ଦ୍ବିତୀୟ ପତ୍ନୀ ଗର୍ଭବତୀ ଥିବା ଜଣାପଡିଛି।

Comments are closed.