ସ୍ତ୍ରୀଙ୍କୁ ତିନି ତଲାକ୍‌ ଦେଇ ସ୍ବାମୀ ଗିରଫ

ନୂଆଦିଲ୍ଲୀ: ତିନି ତଲାକ ବିଲ୍‌ ଆଇନରେ ପରିଣତ ହେବା ପରେ ପୁଲିସ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ତିନି ତଲାକ କହି ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଉଥିବା ସ୍ବାମୀକୁ ଗିରଫ କରାଯାଉଛି। ନୂଆଦିଲ୍ଲୀର ଆଜାଦ ମାର୍କେଟ ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀଙ୍କୁ ତିନି ତଲାକ୍‌ କହି ଛାଡ଼ପତ୍ର ଦେବା ଜଣେ ଯୁବକକୁ ମହଙ୍ଗା ପଡ଼ିଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତାକୁ ଗିରଫ କରିଛି। ଅଭିଯୁକ୍ତ ବିରୋଧରେ ମୁସଲମାନ ମହିଳା ଆଇନ-୨୦୧୯ ଅନୁସାରେ ମାମଲା ରୁଜୁ କରାଯାଇଛି।

୨୯ ବର୍ଷୀୟା ମହିଳା ରାୟମା ୟାହିୟା ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି, ୨୦୧୧ ନଭେମ୍ବର ୨୪ରେ ଅତିର ଶମୀମଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ଗତ ଜୁନ ୨୩ରେ ଅତିର ରାୟମାଙ୍କୁ ତିନି ତଲାକ ଦେବା ସହିତ ଏହାର ଫତୱା ହ୍ବାଟ୍ସଆପ୍‌ରେ ପଠାଇଥିଲେ। ଏ ନେଇ ରାୟମା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ।

ଅନ୍ୟପଟେ ଉତ୍ତରପ୍ରଦେଶର ବରେଲୀ ଜିଲାରେ ଶୁକ୍ରବାର ୩ଟି ତିନି ତଲାକ ମାମଲା ସାମ୍ନାକୁ ଆସିଛି। ଜଣେ ୨୬ ବର୍ଷୀୟ ଦିବ୍ୟାଙ୍ଗ ବ୍ୟକ୍ତି ମହମ୍ମଦ ରଶିଦ ତାଙ୍କର ୧୭ ବର୍ଷୀୟା ସ୍ତ୍ରୀଙ୍କୁ ତିନି ତଲାକ ଦେଇଥିଲେ। ସ୍ତ୍ରୀ ଅଶିକ୍ଷିତ ହୋଇଥିବା ବେଳେ ରୋଷେଇ ଜାଣି ନ ଥିଲେ। ସ୍ତ୍ରୀ ତାଙ୍କୁ ସକାଳ ଜଳଖିଆ ଦେଇ ନ ପାରିବାରୁ ରଶିଦ ତାଙ୍କୁ ମାଡ଼ ମାରିବା ସହିତ ତିନି ତଲାକ ଦେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ସେହିପରି ଶେଖପୁରା ଅଞ୍ଚଳରେ ଯୌତୁକ ଦାବିରେ ମୁସ୍ତଜାବ ଖାନ ନାମକ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତିନି ତଲାକ ଦେଇଛନ୍ତି।

Comments are closed.