ସୁନା ଚାଲାଣ; ଏତଲାରେ ମମତାଙ୍କ ପୁତୁରା ଓ ବୋହୂଙ୍କ ନାମ

0

କୋଲକାତା: ବିଦେଶରୁ ସୁନା ଚାଲାଣ ଅଭିଯୋଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଶେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀଙ୍କ ନାମ ଆସିଛି। ଅଭିଶେକଙ୍କ ପତ୍ନୀ ଥାଇଲାଣ୍ଡରୁ ୨ କି.ଗ୍ରା. ଓଜନର ସୁନା ଆଣିଥିବା ନେଇ କଷ୍ଟମ ବିଭାଗ ପକ୍ଷରୁ ଏତଲା ଦିଆଯାଇଛି।

ସୂଚନା ମୁତାବକ, ଥାଇଲାଣ୍ଡରୁ ଆସିଥିବା ଅଭିଶେକଙ୍କ ପତ୍ନୀ ୨କି.ଗ୍ରା. ସୁନା ଆଣି ଆସିଥିବା କଷ୍ଟମ ବିଭାଗକୁ ସୂଚନା ମିଳିଥିଲା। ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଓହ୍ଲାଇବା ପ​‌ରେ କଷ୍ଟମ ବିଭାଗ ଅଧିକାରୀମାନେ ତାଙ୍କ ଲଗେଜ ଯାଞ୍ଚ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ବ୍ୟାଗ ଯାଞ୍ଚ କରିବାକୁ ବାରଣ କରିବା ସହ ସେମାନଙ୍କୁ ଧମକାଇଥିଲେ। ପରେ ଅଭିଶେକଙ୍କ ପତ୍ନୀ ପଶ୍ଚିମବଙ୍ଗ ପୁଲିସକୁ ଫୋନ କରି ଡକାଇଥିଲେ। ପୁଲିସ ପହଞ୍ଚି ତୁରନ୍ତ ଅଭିଶେକଙ୍କ ପତ୍ନୀ ଏବଂ ତାଙ୍କ ସହ ଥିବା ଜଣେ ଯୁବତୀଙ୍କୁ ଛାଡ଼ିବାକୁ କହିଥିଲା। କଷ୍ଟମ ଅଧିକାରୀମାନେ ଲଗେଜ ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ଦାବି କରିଥିଲେ ମଧ୍ୟ ସେମାନଙ୍କ କଥାକୁ ପୁଲିସ ନ ଶୁଣି ଉଭୟଙ୍କୁ ସୁରକ୍ଷା ଦେଇ ବିମାନବନ୍ଦରରୁ ବାହାରକୁ ନେଇଯାଇଥିଲା। ଏ ନେଇ  ବିମାନବନ୍ଦରର କଷ୍ଟମ ବିଭାଗ ପକ୍ଷରୁ ଅଭିଶେକ ବାନାର୍ଜୀ, ତାଙ୍କ ପତ୍ନୀ ଏବଂ ପଶ୍ଚିମବଙ୍ଗ ପୁଲିସ ନାଁରେ ଏତଲା ଦିଆଯାଇଛି। କଷ୍ଟମ ଅଧିକାରୀମାନଙ୍କ କାର୍ଯ୍ୟରେ ପୁଲିସ ହସ୍ତକ୍ଷେପ କରିବା, ଲଗେଜ ଯାଞ୍ଚ କରିବାରେ ବାଧା ଦେଇଥିବା ଦେଇ ଆଇପିସିର ଧାରା ୧୮୬ ଏବଂ ୫୦୩ ଓ କଷ୍ଟମ ଆଇନ ଧାରା ୧୩୩ ଅନୁସାରେ ଏତଲା ଦିଆଯାଇଛି।

ଏହି ଘଟଣା ପରେ ବିଜେପି ନେତା ବାବୁଲ ସୁପ୍ରିୟୋ କହିଛନ୍ତି ଅଭିଶେକ ଇସ୍ତଫା ଦେବା ଉଚିତ। ଅଭିଶେକ, ତାଙ୍କ ଦଳ ଏବଂ ଖୁଡୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ଦୁର୍ନୀତିଗ୍ରସ୍ତ ବୋଲି ବାବୁଲ ସୁପ୍ରିୟୋ ଉପହାସ କରି ଟ୍ବିଟ୍‌ କରିଛନ୍ତି। ଅନ୍ୟପଟେ ଅଭିଶେକ ଏକ ଖବରଦାତା ସମ୍ମିଳନୀ କରି ପ୍ରତିବାଦ ଜଣାଇଛନ୍ତି। ସେ କହିଛନ୍ତି, ଯଦି ତାଙ୍କ ପତ୍ନୀ କିଛି ସ୍ବତନ୍ତ୍ର ସୁବିଧା ହାତେଇଛନ୍ତି ତା’ହେଲେ କଷ୍ଟମ ବିଭାଗ ଅଧିକାରୀମାନେ ତାହାର ସିସିଟିଭି ଫୁଟେଜ ଦେଖାନ୍ତୁ। ଯଦି ତାଙ୍କ ପତ୍ନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସେ ରାଜନୀତି ଛାଡ଼ିଦେବେ ବୋଲି କହିଛନ୍ତି।

Leave A Reply