କ୍ରୀଡାମନ୍ତ୍ରୀ ଓ ସଚିବଙ୍କ ଗୁରୁପ୍ରିୟା ସେତୁ ପରିଦର୍ଶନ

0

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଂଚଳ ଜାନବାଇ ଠାରେ ନବନିର୍ମିତ ଗୁରୁପ୍ରିୟା ସେତୁକୁ କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ପୂର୍ତବିଭାଗସଚିବ ନଳିନୀ କୁମାର ମହାନ୍ତି ସମେତ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା ପ୍ରମୁଖ ପରିଦର୍ଶନ କରିବା ସହ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଗସ୍ତ କରି ଏହି ସେତୁର ଉଦଘାଟନ କରିବା ନେଇ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା ଏହି ଅବସରରେ କହିଛନ୍ତି ଯେ ବିଛିନ୍ନାଂଚଳର ଲାଇଫ୍‍ ଲାଇନ୍‍ ହୋଇଥିବା ଗୁରୁପ୍ରିୟା ସେତୁ ନିର୍ମାଣ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ସେତୁ ହୋଇଥିବା ବେଳେ ଏହାକୁ ନେଇ ରାଜନୀତିକରଣ କରାଯାଉଥିବା ଦୁର୍ଭାଗ୍ୟ ଜନକ । ବର୍ଷ ବର୍ଷ ଧରି ଜଳବନ୍ଦି ଥିବା ଆଦିବାସୀଙ୍କୁ ନିର୍ବାସିତ ଜୀବନରୁ ମୁକ୍ତ କରି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ବିଛିନ୍ନାଂଚଳବାସୀ ନିଶ୍ଚିତ ଭାବେ ସମର୍ଥନ କରିବେ । ପ୍ରତିକୂଳ ପରିବେଶ ସତ୍ୱେ ବହୁ ବାଧାବିଘ୍ନରେ ସେତୁ ନିର୍ମାଣ ହୋଇଥିବା ବେଳେ ସରକାର ଏଥିନିମନ୍ତେ ସମ୍ପୁର୍ଣ୍ଣ ଅନୁଦାନ ବହନ କରିଛନ୍ତି । ସେତୁ ନିର୍ମାଣ ହେଲେ ୬ଟି ପଂଚାୟତର ୩୦ ହଜାର ଆଦିବାସୀ ମୁଖ୍ୟସ୍ରୋତରେ ସାମିଲ ହେବା ସହ ଆଗାମୀ ଦିନରେ ଏମାନଙ୍କ ନିକଟରେ ସମସ୍ତ ସରକାରୀ ଯୋଜନା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ବହୁ ଉନ୍ନତିମୂଳକ କାଯ୍ୟକ୍ରମ ପହଂଚିପାରିବ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଆଗାମୀ ଦିନରେ ବିଛିନାଂଚଳର ସମସ୍ତ ପଂଚାୟତ ଯେଭଳି ବ୍ଲକ ମହକୁମାକୁ ଯୋଗାଯୋଗ ହୋଇ ପାରିବ ସେଥିନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଉଛି । ତେବେ ମାଲକାନଗିରି ଜିଲ୍ଲାବାସୀଙ୍କ ସ୍ୱପ୍ନ ଓ ସମ୍ପର୍କର ସେତୁ ଆଉ କିଛି ଦିନ ମଧ୍ୟରେ ଲୋକାର୍ପିତ ହେବ ବୋଲି ସେ କହିଛନ୍ତି । ସେହିପରି ପୁର୍ତବିଭାଗ ସଚିବ ଶ୍ରୀ ମହାନ୍ତି ମଧ୍ୟ ନିର୍ମାଣ କାଯ୍ୟ କରୁଥିବା ସଂସ୍ଥା ସହ ଆଲୋଚନା କରି ନିର୍ମାଣାଧୀନ ସେତୁର ସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ନେଇଥିଲେ ।

Leave A Reply