ମାଲକାନଗିରିର ପ୍ରସିଦ୍ଧ ମାନ୍ୟମକୋଣ୍ଡା ବଡଯାତ୍ରା ଆରମ୍ଭ

0

କାଲିମେଳା : ମାଲକାନଗିରି ଜିଲ୍ଲା ପ୍ରସିଦ୍ଧ ବଡଯାତ୍ରା କାଲିମେଳା ବ୍ଲକ ମାନ୍ୟମକୋଣ୍ଡା ଠାରେ ମଙ୍ଗଳବାର ଆରମ୍ଭ ହୋଇ ଆଜି ପ୍ରଥମ ଦିନରେ ମାନ୍ୟମକୋଣ୍ଡାର ପ୍ରସିଦ୍ଧ ଦେବୀ ମା ମୁତ୍ୟେଲୁଆମ୍ମାଙ୍କ ସହିତ ଶ୍ରୀ ଶ୍ରୀ ଶ୍ରୀ କାନାମରାଜ, ବାଲରାଜ ଓ ପୋତରାଜଙ୍କ ପାଖରେ ପ୍ରଥମ ପୁଜାର୍ଜନା ଆରମ୍ଭ ହୋଇଛି। ଏହା ସହ ଠାକୁରଙ୍କ ପାଖରେ ପ୍ରଥମ ଅନ୍ନଭୋଗ ଲାଗିଛି। ମଙ୍ଗଳବାର ୩ ଠାକୁର ଓଡିଶା ଆନ୍ଧ୍ର ସିମାନ୍ତ ପୋଲୁର ତାଡକାରେଉ ଠାରେ ୨୦ ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ସହିତ ଜଳକ୍ରୀଡା କରି ସ୍ନାନ କରିବା ପରେ ସନ୍ଧ୍ୟା ସମୟରେ ମାନ୍ୟମକୋଣ୍ଡା ପୁଜା ପିଠକୁ ଆସି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ସେଠାରେ ହଜାର ହଜାର ଣକ୍ତ ତାଡକାରେଓ କୁଣ୍ଡରେ ବୁଡ ପକାଇଥିଲେ। ପରେ ଠାକୁରମାନଙ୍କୁ ଧୁପ ଦୀପ ଦେଇ ନୈବେଦ୍ୟ ଦେଇ ପୁଜାର୍ଚ୍ଚନା କରାଯାଇଥିଲା। ଏହି ଯାତ୍ରା ସମୟରେ ବଡ ବିଶେଷତ୍ୱ ହେଲା ପୁଜା ଆରମ୍ଭ ଠାରୁ ପୁଜା ଶେଷ ପର୍ଯ୍ୟନ୍ତ ଠାକୁରଙ୍କ ସିଂହାସନ ଉପର ଭାଗରେ ବହୁ ପାରା ବସିଥିବା ଦେଖିବାକୁ ମିଳନ୍ତି। ଯାହାକି ଦେବୀ ଦେବତାଙ୍କର ଆର୍ବଭାବ ବୋଲି ଭକ୍ତମାନଙ୍କ ମନରେ ଦୃଢ ବିଶ୍ୱାସ ରହିଛି। ଦେବାଦେବୀଙ୍କ ପିଠରେ  ମଙ୍ଗଳବାର ସକାଳୁ ସୂର୍ଯ୍ୟ ପୂଜା, ଚଣ୍ଡିପାଠ, ହୋମଯଜ୍ଞରେ କମ୍ପି ଉଠିଥିଲା  ମାନ୍ୟମକୋଣ୍ଡା ଅଂଚଳ। ଏଥିସହିତ ଠାକୁରଙ୍କ ପ୍ରତିକ ବାଉଁଶ ଲାଠି ଓ ମୟୁର ଗୁଛ କୁ ମଧ୍ୟ ଯଥାରିତି ଅନୁସାରେ ପୁଜାର୍ଚ୍ଚନା କରାଯାଏ। ଆଦିବାସୀ ସମ୍ପଦାୟର ଏହି ଗଣପର୍ବ ବଡଯାତ୍ରା ଏକ ସ୍ୱତନ୍ତ୍ର ମାନ୍ୟତା ପାଇଥିବାରୁ ବିଭିନ୍ନ ଆଦିବାସୀ ଗ୍ରାମରୁ ଅନେକ ଗାଁ ମୁଖିଆ ବା ପେଦା ମାନେ ମାନ୍ୟମକୋଣ୍ଡା ଠାରେ ଥିବା ପିଠରେ ଏକାଠି ହୋଇଥିଲେ। ସେମାନେ ସ୍ୱତନ୍ତ୍ର ପୋଷାକ ପିନ୍ଧି ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। କେତେକ ଯୁବକ ଯୁବତୀଙ୍କ ଦେହରେ କାଳିଶି ଲାଗିବାରୁ ସେମାନେ ଝୁଲି ଝୁଲି ନୃତ୍ୟ ପରିବେଷଣ କରିଥିଲେ। ପ୍ରତି ୨ ବର୍ଷରେ ଏହି ଯାତ୍ରା ପଡୁଥିବାରୁ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ୪ ଗୋଟି ରାଜ୍ୟର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଭକ୍ତମାନେ ନିଜର ମାନସିକ ପୂରଣ କରିବା ପାଇଁ  ବହୁ ସଂଖ୍ୟାରେ କୁକୁଡା, ଛେଳିମାନଙ୍କୁ ବଳି ଦେଇ ପୁଜା କରୁଥିବା ଦେଖିବାକୁ ମିଳିଛି। ଏହି ଯାତ୍ରାକୁ ଶାନ୍ତ ଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ କାଲିମେଳା ବ୍ଲକ ପ୍ରସାଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବହୁ ଦୋକାନବଜାର ସହ ମୀନା ବଜାର ବସିଥିବା ଦେଖିବାକୁ ପ୍ରବଳ ଭିଡ ପରିଳକ୍ଷିତ ହୋଇଥିଲା। ମାନ୍ୟମକୋଣ୍ଡା ପୁଜା କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।ତେବେ ଅଧିକ ଭିଡ ହୋଇଥିବାରୁ ଟ୍ରାଫିଲ ସମସ୍ୟା ଦେଖାଦେଇଥିଲା।  ଆଜି ରାତିରେ ୩ ଠାକୁର ଓ ଦେବୀଙ୍କର ସ୍ୱତନ୍ତ୍ର ପୁଜା ନୀତି ସରିବା ପରେ  ପୁଜାର୍ଚ୍ଚାନା କରି ବୁଧବାର ସକାଳ ୧୦ ଟାରେ ୩ ଠାକୁର ମାନ୍ୟମକୋଣ୍ଡା ଛାଡି କାଲିମେଳା ଅଭିମୁଖେ ଯାତ୍ରା କରିବେ। କାଲିମେଳା ପୁର୍ବରୁ ବୁଦୁଗୁଡା ଠାରେ ଥିବା ଅସ୍ଥାୟୀ ମଣ୍ଡପରେ ଦେବା ଦେବୀ ପୁଜା ପାଇବା ପରେ ବୁଧବାର ରାତିରେ କାଲିମେଳା ଠାରେ ଥିବା ମଣ୍ଡପରେ ରାତ୍ରିଯାପନ କରିବେ। ଠାକୁରଙ୍କୁ ପାଛୋଟି ନେବା ପାଇଁ କାଲିମେଳା ପୁଜା କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ସରିଥିବା ଦେଖିବାକୁ ମିଳିଛି। ଗୁରୁବାର କାଲିମେଳା ଯାତ୍ରା ଅନୁଷ୍ଠିତ ହେବ। ସେହି ଗୁରୁବାର ଦିନ କାଲିମେଳା ଛାଡି ମାଲକାନଗିରି ଅଭିମୁଖେ ୩ ଠାକୁର ବାହରିଯିବେ ବୋଲି ସୁଚନା ମିଳିଛି।

Leave A Reply