ଆନ୍ଦୋଳନରୁ ଓହରିଲା ମାଲକାନଗିରି କଂଗ୍ରେସ କମିଟି

0

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଗତ ମଙ୍ଗଳବାରଠାରୁ ଜିଲ୍ଲା କଂଗ୍ରେସ ତରଫରୁ ଦିଆଯାଇଥିବା ଧାରଣା ଗୁରୁବାର ପ୍ରତ୍ୟାହୃତ ହୋଇଛି । ଧାରଣାସ୍ଥଳରେ ଜିଲା କଂଗ୍ରେସ ଏକ ଅସ୍ଥାୟୀ ବିଦ୍ୟାଳୟ ଖୋଲି ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲା। ଆଜି ଏହି ଅସ୍ଥାୟୀ ବିଦ୍ୟାଳୟକୁ ବନ୍ଦ କରାଯାଇ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି। ଧାରଣାସ୍ଥଳରେ ଆଜି ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଉପସଭାପତି ବି.ଶ୍ରୀନିବାସ, ଛତିଶଗଡର ଯୁବ କଂଗ୍ରେସ ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ପାଢି, ସତୀଶକାଲକୁର୍ଡା ଏବଂ ଆବ୍ରାହମ ରାୟ ପ୍ରମୁଖ ଆସି ଯୋଗ ଦେଇଥିଲେ । ରାଜ୍ୟ ସରକାର ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଧିକାରକୁ ବଞ୍ଚିତ କରୁଛନ୍ତି । ଏପରିକି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଂଚିତ ହୋଇଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ । ଏମାନଙ୍କୁ ବିଦ୍ୟାଳୟରେ ଦାଖିଲା ନ ମିଳିବା ଯାଏ କଂଗ୍ରେସର ସଂଗ୍ରାମ ଜାରି ରହିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ସମ୍ପୂର୍ଣ ବିରୋଧ କରାଯିବ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଚେତାବନୀ ଦେଇଛନ୍ତି। ଗତକାଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପାଠ ପଢାଇବା ସହ ପାଠ୍ୟ ଉପକରଣ, ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ଖୁଆଇ ଅଭିନବ ପ୍ରତିବାଦ ଜଣାଇଥିଲ। ଏହି ଧାରଣାରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ସମ୍ପାଦକ ରାମପ୍ରସାଦ ପଟ୍ଟନାୟକ, କାଲିମେଳା ବ୍ଲକ ଚେୟାରମେନ ମାଲା ମାଢି, ଅନୁସୂଚିତଜାତି ଦଳୀୟ ଅଧ୍ୟକ୍ଷ ପର୍ଶୁରାମ ଭକ୍ତ, ଡି.ଶ୍ରୀନିବାସ ରାଓ, ପି.କେଶୁ ରାଓ, ପେଣ୍ଡ୍ରାପ୍ରସାଦ ପଣ୍ଡା, ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ କଂଗ୍ରେସ କର୍ମୀ ଧାରଣାରେ ଯୋଗ ଦେଇଥିଲେ। ଏହି ୫ ଦାବି ପୂରଣ ନହେଲେ ଆଗାମୀ ଦିନରେ କଂଗ୍ରେସ ରାଜ୍ୟପାଳଙ୍କ ଭବନ ଆଗରେ ଧାରଣା ଦେବ ବୋଲି ଶ୍ରୀ ମାଝୀ କହିଥିଲେ ।

Leave A Reply