ପୋଲାଭରମ୍‌ ପ୍ରକଳ୍ପ ବନ୍ଦ ଆବେଦନ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ

ଆନ୍ଦୋଳନ ଲାଗି ସଜବାଜ

0
157

ମାଲକାନଗିରି : ପୋଲାଭରମ୍‍ ପ୍ରକଳ୍ପ ବନ୍ଦ ଲାଗି ଓଡ଼ିଶା ସରକାରଙ୍କ ଆବେଦନ ସୁପ୍ରିମକୋର୍ଟରେ କେବଳ ଅଗ୍ରାହ୍ୟ ହୋଇନି; ବରଂ ଇନ୍ଦିରାସାଗରରେ ନିର୍ମାଣାଧୀନ ପୋଲାଭରମ୍‍ ପ୍ରକଳ୍ପ ଏକବର୍ଷ ମଧ୍ୟରେ ସାରିବା ପାଇଁ କୁହାଯାଇଛି। ଏହି ଘଟଣାକ୍ରମକୁ ନେଇ ମାଲକାନାଗିରିରେ ଦାନା ବାନ୍ଧୁଛି ପ୍ରକଳ୍ପ ବିରୋଧୀ ଆନ୍ଦୋଳନ। ପ୍ରକଳ୍ପ ହେଲେ ନିଜ ଭିଟାମାଟି ହରାଇବା ଆଶଙ୍କାରେ ମୋଟୁବାସୀ ଆତଙ୍କିତ। ଏ ନେଇ କିନ୍ତୁ ଆରମ୍ଭ ହୋଇଯାଇଛି ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ପୋଲାଭରମ୍‍ ନେଇ ସଠିକ୍‍ ଭାବେ ତଥ୍ୟ ଉପସ୍ଥାପନା କରାଯାଇପାରିନାହିଁ। ପ୍ରକଳ୍ପ ହେଲେ ପ୍ରକୃତରେ କେତେ ଭାଗ ପ୍ରଭାବିତ ହେବ ସେ ନେଇ ସରକାରଙ୍କ ନିକଟରେ କୌଣସି ତଥ୍ୟ ନ ଥିଲା। ତେଣୁ ସରକାରଙ୍କ ଏହି ଅବହେଳା ଯୋଗୁଁ ସୁପ୍ରିମକୋର୍ଟରେ ନ୍ୟାୟ ପାଇବାରୁ ଜିଲାବାସୀ ବଞ୍ଚିତ ହୋଇଛନ୍ତି। ତେବେ କଂଗ୍ରେସ ସମୟରେ ପୋଲାଭରମ୍‍ ଡ୍ୟାମର ଡିଜାଇନ ପରିବର୍ତ୍ତନ ଓ ଉଚ୍ଚତା କମାଇବା ନିମନ୍ତେ ଆଲୋଚନା ହୋଇଥିବା ବେଳେ ୮୦୦ କୋଟିର ଏକ ବନ୍ଧ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ କିମ୍ବା କେନ୍ଦ୍ର ସରକାର ସେହି ପ୍ରସ୍ତାବକୁ ଗ୍ରହଣ କରି ନ ଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ନବରଙ୍ଗପୁର ବିଜେଡି ସାଂସଦ ବଳଭଦ୍ର ମାଝି ପୋଲାଭରମ୍‍ ପ୍ରକଳ୍ପ ନେଇ ଆରମ୍ଭରୁ କଂଗ୍ରେସ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ବେଳେରାଜ୍ୟ ସରକାର ପୋଲାଭରମ୍‍ ପ୍ରକଳ୍ପ ଦ୍ୱାରା ଇଞ୍ଚେ ଜମି ମଧ୍ୟ କ୍ଷତିଗ୍ରସ୍ତ ହେବାକୁ ଦେବେନାହିଁ ବୋଲି ଦୃଢୋକ୍ତି ବାଢିଛନ୍ତି। ଏଥିପାଇଁ ସଂଘର୍ଷ ଓ ସଂଗ୍ରାମକୁ ତୀବ୍ରତର କରାଯିବ ବୋଲି ସେ କହିଛନ୍ତି। ୟୁପିଏ ସରକାରଙ୍କ ସମୟରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେତେବେଳେ ନବରଙ୍ଗପୁର କଂଗ୍ରେସ ସାଂସଦ କାହିଁକି ମୁହଁ ଖୋଲି ନ ଥିଲେ ଏବଂ ବିରୋଧ କରି ନ ଥିଲେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ କୁମ୍ଭୀର କାନ୍ଦଣା କାନ୍ଦି ରାଜନୀତି କରୁଥିବା ଶ୍ରୀ ମାଝି ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ର ସରକାର ୧୯୭୮ ମସିହାରେ ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ତଃରାଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ଏହାମଧ୍ୟରେ କେତେ ମୁଖ୍ୟମନ୍ତ୍ରୀ ଗଲେଣି; କିନ୍ତୁ କେହି ଜଣେ ହେଲେ ବି ଏହି ପ୍ରକଳ୍ପ ବିରୋଧରେ ସ୍ୱର ଉଠାଇବା ପାଇଁ ଇଚ୍ଛା ପ୍ରକାଶ କରି ନାହାନ୍ତି। ନ ହେଲେ ଆନ୍ଧ୍ର ସରକାର କ’ଣ ନିଜ ଇଚ୍ଛା ଅନୁସାରେ ଏପରି ଯୋଜନା ପ୍ରସ୍ତୁତ କରିପାରିଥାନ୍ତା କି ବୋଲି ସେ ପ୍ରଶ୍ନ କରିଛନ୍ତି।
ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣ ବିରୋଧରେ ସେ ସମୟରେ ରାଜ୍ୟ ସରକାର କୌଣସି ପ୍ରସ୍ତାବ ନ ରଖିବାରୁ କେନ୍ଦ୍ର ସରକାର ପ୍ରକଳ୍ପ ନିର୍ମାଣ ପାଇଁ ସ୍ୱୀକୃତି ଦେବାର ପରିସ୍ଥିତି ହୋଇଥିଲା। ଏହି ପ୍ରକଳ୍ପଟି ନିର୍ମାଣ ଶେଷ ହେଲେ ଜଳଭଣ୍ଡାରଟି ଓଡିଶାରେ ରହିବ ଏବଂ ଡ୍ୟାମ୍‍ ନିର୍ମିତ ହେବ ଆନ୍ଧ୍ରରେ। ଏହି ଜଳ ଭଣ୍ଡାରରେ ୧୫୦ରୁ ୧୮୨ ଫୁଟ ଜଳ ଅଟକି ରହିବ ବୋଲି ଆନ୍ଧ୍ର ସରକାର ୧୯୭୮ ଓ ୧୯୯୬ ମସିହାରେ ଦେଇଥିବା ପ୍ରସ୍ତାବରେ ଉଲ୍ଲେଖ ରହିଛି। ଯଦି ଏପରି ହୁଏ ମାଲକାନଗିରି ଜିଲାର ଅଧିକାଂଶ ଅଞ୍ଚଳ ବର୍ଷାଦିନେ ବୁଡ଼ିଯିବା ଏହା ସହ ପ୍ରକୃତିରେ ଭରପୁର ବହୁ ଘଞ୍ଚ ଜଙ୍ଗଲ ଜଳମଗ୍ନ ହେବ। ପ୍ରକଳ୍ପ ନିର୍ମାଣ ଶେଷ ହେବା ମାତ୍ରେ ଜିଲାର ୨୮ଟି ଗ୍ରାମ ଜଳମଗ୍ନ ହେବ ଓ ପରବର୍ତ୍ତୀ ଅବସ୍ଥାରେ ଆହୁରି କେତେ ଯେ ଗ୍ରାମ ଜଳଭଣ୍ଡାର ଭିତରେ ରହିଯିବ ତାହା କହିବା କଷ୍ଟସାଧ୍ୟ। ବହୁ ଆଦିବାସୀ ବିସ୍ଥାପିତ ହେବେ। ଆଦିବାସୀଙ୍କ ଥଇଥାନ ପାଇଁ ଆନ୍ଧ୍ର ସରକାର କିମ୍ବା କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବ କି ନାହିଁ ତାହା ବି ସନ୍ଦେହ।
ଜିଲାର ୩୫ ଗ୍ରାମ ଜଳମଗ୍ନ ହେବା ସହ ପାଖାପାଖି ୫୦ହଜାର ଲୋକ ବାସଚ୍ୟୁତ ହେବା ଆଶଙ୍କା କରାଯାଉଛି। ଏହା କେବଳ ଅନୁମାନ କରାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ଭାବେ ଏହାର ସୀମା ନିର୍ଦ୍ଧାରଣ, ପଲ୍ଲୀସଭା, ଗ୍ରାମସଭା, ଉଭୟ ରାଜ୍ୟର ମିଳିତ ଉଦ୍ୟମରେ ହୋଇ ନ ଥିବା ସ୍ଥାନୀୟ ବାସିନ୍ଦା କହିିଛନ୍ତି। ଆନ୍ଧ୍ର ସରକାରଙ୍କ ଚୁକ୍ତିନାମା ଅନୁଯାୟୀ ୧୯୭୮ ମସିହାରେ ଜଳ ଭଣ୍ଡାରରେ ୧୫୦ଫୁଟ ଜଳ ରହିବ ବୋଲି ପ୍ରସ୍ତାବ ରହିଥିଲା। ଏହାପରେ ୧୯୯୭ମସିହାରେ ହୋଇଥିବା ଆନ୍ତଃରାଜ୍ୟ ଚୁକ୍ତିନାମା ବୈଠକରେ ଆନ୍ଧ୍ର ସରକାର ଜଳଭଣ୍ଡାରରେ ୧୮୨ଫୁଟ ପାଣି ରହିବ ଏବଂ ମାଲକାନଗିରି ଜିଲାରେ ୭ଟି ଗ୍ରାମ ୧୦୨୬ ହେକ୍ଟର ଜମି କ୍ଷତିଗ୍ରସ୍ତ ହେବ ବୋଲି ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ୧୯୯୯ ମସିହାରେ ହୋଇଥିବା ବୈଠକରେ ଜଳଭଣ୍ଡାରରେ ୧୭୯.୮୫ ଫୁଟ ପାଣି ରହିବା ସହ ଓଡ଼ିଶାର ୧୦ଟି ଗ୍ରାମ ଓ ୨୧୧୯.୩୮ ହେକ୍ଟର ଜଳମଗ୍ନ ହେବ ବୋଲି ଆନ୍ଧ୍ର ସରକାର ପ୍ରସ୍ତାବ ରଖିଥିଲେ। ଅର୍ଥ ଅଭାବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଆନୁଷ୍ଠାନିକ ଭାବେ କୌଣସି ସର୍ଭେ କାର୍ଯ୍ୟ ହୋଇପାରିନାହିଁ। ଜଳଭଣ୍ଡାର ଥିବା ଜଳସ୍ତରକୁ ଆଧାର କରି ବେସରକାରୀ ଭାବେ ଏକ ଆକଳନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ମାଲକାନଗିରି ଜିଲାର ମୋଟୁ, ପଡିଆ, ଓ କାଲିମେଳା ବ୍ଲକର ବହୁ ଗ୍ରାମ ଜଳମଗ୍ନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣ ହେବା ପରେ ପ୍ରକଳ୍ପ ମଧ୍ୟକୁ କେତେ ପାଣି ପ୍ରବେଶ କରିବ ତା’ର ସଠିକ ଉତ୍ତର କାହା ପାଖରେ ନାହିଁ। କାରଣ ସାବେରୀ ନଦୀ ପାହାଡ଼ିଆ ନଦୀ ହୋଇଥିବା ସହ ଏହି ନଦୀରେ ବହୁ ଛୋଟଛୋଟ ନଦୀ ମିଶିଛି। ବର୍ଷାଦିନେ ଏଥିରେ ଅଚାନକ ଜଳସ୍ତର ବୃଦ୍ଧି ପାଇଥାଏ। କେବଳ ଏତିକି ନୁହେଁ; ମୋଟୁ ତହସିଲର ୬୭୫.୧୩୦୩ ହେକ୍ଟର, ପୋଲୁରୁ ସ୪୦୧.୩୫୫୭ ହେକ୍ଟର, ତାଡିମେଟଲାର ୩୬୮୫.୧୪୭୭ହେକ୍ଟର, ଗୁଡାର ୩୯୭୫.୪୬୭୪ହେକ୍ଟର ଓ କୁଟୁନିପାଲ୍ଲିର ୯୫୦.୦୩୧୯ ହେକ୍ଟର ସଂରକ୍ଷିତ ଜଙ୍ଗଲର ସମ୍ପୂର୍ଣ ନଷ୍ଟ ହୋଇଯିବ ବୋଲି ଆକଳନ କରାଯାଉଛି। କେବଳ ସେତିକି ନୁହେଁ ପୌରାଣିକ ରହସ୍ୟକୁ ଲୁଚାଇ ରଖିଥିବା ମୋଟୁ ଅଞ୍ଚଳର ବହୁ ପର୍ଯ୍ୟଟନସ୍ଥଳ ଜଳ ଭିତରେ ଲୀନ ହେବା ଆଶଙ୍କା ରହିଛି। ସେହି ଅଞ୍ଚଳର ଖଣି ଖାଦନ ସବୁ ପାଣିରେ ଡୁବିଯିବ। ଆନ୍ଧ୍ର ସରକାର ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣ କରି ବିଜୟୱାଡା, ବିଶାଖାପାଟଣା ଭଳି ସହରକୁ ପାନୀୟ ଜଳଯୋଗାଣ, ନୂତନ ବିଦ୍ୟୁତ୍‍ ପ୍ରକଳ୍ପ ସ୍ଥାପନ ତଥା ସେ ରାଜ୍ୟର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଏହି ବୃହତ୍‍ ପରିଯୋଜନା କରିଛନ୍ତି। ବହୁ ପୂର୍ବରୁ ଆନ୍ଧ୍ର ସରକାର ବୁଦ୍ଧି ଖଟାଇ ମାଲକାନଗିରି ଜିଲାରୁ ବାହାରିଥିବା ନଦୀର ଜଳକୁ ନେଇ ନିଜ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି।
ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ଉଦାସୀନତାର ସୁଯୋଗ ନେଇ କେନ୍ଦ୍ର ସରକାର ପୋଲାଭରମ୍‍ ପ୍ରକଳ୍ପ ପାଇଁ ସ୍ୱୀକୃତି ଦେବାକୁ ବାଧ୍ୟ ହୋଇଥିବା ବେଳେ ଓଡିଶା ପକ୍ଷରୁ କେବଳ ଆନ୍ଦୋଳନ ଓ ବିକ୍ଷୋଭ କରିବା ସହ ସୁପ୍ରିମକୋର୍ଟରେ ମାମଲା ଦାୟର କରି ହାତ ବାନ୍ଧି ବସି ରହିଛନ୍ତି। ତେବେ ଏହି ପ୍ରକଳ୍ପ ସବୁଜ ସଂକେତ ପାଇବା ପରେ ଆଗାମୀ ଦିନରେ ବିସ୍ଥାପନକୁ ରୋକିବା ଦିଗରେ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ଜିଲାବାସୀ ଅପେକ୍ଷା କରି ରହିଛନ୍ତି।

LEAVE A REPLY

Please enter your comment!
Please enter your name here