ହଟିବ ଗଞ୍ଜେଇ, ଲାଗିବ ହଳଦି

0

ମାଲକାନଗିରି : ମାଲକାନଗିରି ଜିଲାରେ ଗଞ୍ଜେଇ ଚାଷ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଦଲାଲ ଓ ବ୍ୟବସାୟୀଙ୍କ ଟଙ୍କା ଲୋଭର ଶିକାର ହୋଇ ଗଞ୍ଜେଇ ଚାଷ କରୁଥିବା ଜିଲାର ନୀରିହ ଆଦିବାସୀମାନେ କିଭଳି ଏଥିରୁ ନିବୃତ ହେବେ ସେ ନେଇ ଯୋଜନା ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ପ୍ରାୟ ୬୦୦ ଆଦିବାସୀଙ୍କୁ ଗଞ୍ଜେଇ ଚାଷ ଛାଡି ହଳଦି, ଆଳୁ ଓ ଅଦା ଚାଷ ନିମନ୍ତେ ଏଠାରେ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ଜିଲାର ସ୍ୱାଭିମାନ ଅଂଚଳ ଭାବେ ପରିଚିତ ଚିତ୍ରକୋଣ୍ଡା ପଂଚାୟତର ଜଡାମ୍ବ, ପଣସପୁଟ, ଅଣ୍ଡ୍ରାପାଲ୍ଲୀ, ବଡପଡା, ଯନ୍ତ୍ରୀ, ଧୂଳିପୁଟ ଆଦି ଅଂଚଳରେ ସରକାରଙ୍କ ଏହି ଗ୍ରୀନ ଅପରେସନ ଆରମ୍ଭ ହୋଇଛି। ଆଦିବାସୀଙ୍କୁ ଏକତ୍ରିତ ଏଭଳି ଚାଷ କରିବାକୁ ପରାମର୍ଶ ଦିଆଯାଇଛି। ଏହାର ନେତୃତ୍ୱ ନେଇଛନ୍ତି ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ଅଧିକାରୀ ଲିଙ୍ଗରାଜ ପଣ୍ଡା। ଜିଲାର ପ୍ରାୟ ୧ ହଜାର ହେକ୍ଟର ଜମିରେ ବାର୍ଷିକ ଦୁଇଶହ କୋଟି ଟଙ୍କାର ଗଞ୍ଜେଇ ଚାଷ ହେଉଛି। ନୀରିହ ଆଦିବାସୀଙ୍କୁ ଟଙ୍କା ଲୋଭ ଦେଖାଇ ବାହାର ରାଜ୍ୟର ଦଲାଲ ଓ ବେପାରୀମାନେ ଜଙ୍ଗଲ ଜମି ଓ ମାଓ ପ୍ରବଣ ଅଂଚଳରେ ଏହି ଚାଷ କରିବାକୁ ପ୍ରବର୍ତ୍ତାଉଛନ୍ତି। ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢାଉ କରି କାଁ ଭାଁ ଗଂଜେଇ ଗଛ ନଷ୍ଟ କରୁଥିବା ବେଳେ ପୁଲିସ ମଧ୍ୟ ଚୋରା ଗଂଜେଇ ଚାଲାଣ ରୋକିବାରେ ଏକ ପ୍ରକାର ବିଫଳ ହୋଇଛି। ଏପରିସ୍ଥଳେ, ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବାକ ପ୍ରଶାସନର ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା ବାର୍ତ୍ତା ମଧ୍ୟ ବଣ୍ଟନ କରାଯାଉଛି। ଚୋରା ଗଂଜେଇ କାରବାରରେ ସାମିଲ ଆଦିବାସୀମାନେ ବର୍ଷ ବର୍ଷ ଧରି ଜେଲରେ କିଭଳ ସଢି ସର୍ବସ୍ୱାନ୍ତ ହେଉଛନ୍ତି ସେ ଦିଗରେ ମଧ୍ୟ ସଚେତନ କରାଯାଉଛି। ସ୍ୱାଭିମାନ ଅଂଚଳରେ ସ୍ୱାବଲମ୍ବୀ ହୋଇ ବଂଚିବା ସହ ଅଂଚଳର ଜଳବାୟୁକୁ ସୁହାଉଥିବା ହଳଦି, ଅଦା ଆଦି ଚାଷ କରିପାରିବେ ସେ ନେଇ ପ୍ରୋତ୍ସାହନ ଦିଆଯାଉଛି। ଅତ୍ୟାଧୁନିକ ଉପାୟରେ କିଭଳି ଏହି ମସଲା ଜାତୀୟ ଦ୍ରବ୍ୟ ଚାଷ କରାଯିବ ସେ ନିମନ୍ତେ ଜିଲା କୃଷି ବିଭାଗ, ଆତ୍ମା ଅନୁଷ୍ଠାନ ଏବଂ ଆଇଟିଡିଏ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି। ସମସ୍ତଙ୍କୁ ଉନ୍ନତ ମାନର ବିହନ ଯୋଗାଇ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ଗ୍ରୀନ୍‍ ଅପରେସନ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଚିତ୍ରକୋଣ୍ଡା ବ୍ଲକରେ ପ୍ରାୟ ୫୦୦ ଜଣ ଚାଷୀଙ୍କୁ ଏଥିପାଇଁ ଚିହ୍ନଟ କରାଯାଇଛି। ଏମାନେ ଆଗାମୀ ଦିନରେ ଏହିସବୁ ଚାଷ କରିବା ସହ ସ୍ୱତନ୍ତ୍ର ଭାବେ ପ୍ରଥମ ପର୍ଯ୍ୟାୟରେ ସ୍ୱାଭିମାନ ଅଂଚଳରେ କାର୍ଯ୍ୟ ଆରମ୍ଭ କରିବା ସୂଚନା ମିଳିଛି। ଚାଷୀଙ୍କ ଉତ୍ପାଦ ପାଇଁ ଯନ୍ତାପାଇଠାରେ ଏକ ମାର୍କେଟ ୟାର୍ଡ ଖୋଲାଯିବା ପାଇଁ ନିଷ୍ପତି ହୋଇଛି। ହଳଦି ଓ ଅଦାରୁ କିଭଳି ସୁଲଭ ମୂଲ୍ୟ ଚାଷୀମାନେ ପାଇ ପାରିବେ ସେଥିପାଇଁ ଆର୍‍ଏମ୍‍ସି ପକ୍ଷରୁ ପଦକ୍ଷେପ ନିଆଯିବା ସହ ପଡୋଶୀ ଆନ୍ଧ୍ରପ୍ରଦେଶ ବ୍ୟବସାୟୀ କମ୍‍ ମୂଲ୍ୟରେ ଚାଷୀଙ୍କଠାରୁ ଉତ୍ପାଦ ନେବା ବନ୍ଦ କରାଯିବା ଉଦ୍ୟମ ହେବ ବୋଲି ସୂଚନା ମିଳିଛି। ପାରମ୍ପାରିକ ସୁଆଁ, ମାଣ୍ଡିଆ ଆଦି ଶସ୍ୟ ଜାତୀୟ ଚାଷ କରାଯାଇ ଚାଷୀଙ୍କୁ ଉଚିତ ଦର ଦିଆଯିବା ପ୍ରୟାସ ଆରମ୍ଭ ହୋଇଛି। ମାଥିଲି ଓ ଖଇରପୁଟ ଅଂଚଳରେ ମଧ୍ୟ ଆଦିବାସୀମାନେ ଚୋରା ଗଂଜେଇ ଚାଷ କରୁଥିବା ବେଳେ ଏହି ସବୁ ଅଂଚଳରେ ଗ୍ରୀନ୍‍ ଅପରେସନ୍‍ ମାଧ୍ୟମରେ ୧୦୦ଜଣ ଚାଷୀଙ୍କୁ ଆଳୁ ଚାଷ ପାଇଁ ଚିହ୍ନଟ କରା ଯାଇଛି। ଏକ ଘରୋଇ କମ୍ପାନୀ ମଧ୍ୟ ଏମାନଙ୍କଠାରୁ ଆଳୁ ଆମଦାନି କରିବା ନିମନ୍ତେ ଚୁକ୍ତିବଦ୍ଧ ହୋଇଛି। ଆଇଟିଡିଏର ଜୀବିକା ମିଶନ ଓ ଜଳଛାୟା ପ୍ରକଳ୍ପ ଦ୍ୱାରା ସ୍ୱତନ୍ତ୍ର ଭାବେ ଆଳୁଚାଷ ପାଇଁ ତାଲିମ ଅତ୍ୟାଧୁନିକ ଜ୍ଞାନ କୌଶଳରେ କିଭଳି ଅଧିକ ଫସଲ ଉତ୍ପାଦନ କରା ଯାଇପାରିବ ସେଥିନିମନ୍ତେ ଆତ୍ମା ପକ୍ଷରୁ ତାଲିମ ମଧ୍ୟ ଦିଆଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଆଳୁ ଉତ୍ପାଦନ ହେବ ବୋଲି ପ୍ରକଳ୍ପ ପ୍ରଶାସକ କହିଛନ୍ତି। ଟିଏଡିପିର ଦୁଇଜଣ ଫେଲୋସିପ୍‍ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଗ୍ରୀନ୍‍ ଅପରେସନ୍‍ରେ ସାମିଲ କରାଯାଇ ଆଗାମୀ ଦିନରେ ଏହି ଅଂଚଳରେ ସବୁଜ ବିପ୍ଲବ ଅଣା ଯାଇ ପାରିବ ବୋଲି ସମନଜିତ ଡାଡ୍‍ ଓ ରାଜଶେଖର ରେଡ୍ଡି ପ୍ରକାଶ କରିଛନ୍ତି। ସମସ୍ତ ବ୍ଲକର ବିଡିଓ, ତହସିଲଦାର, ଲୋକ ପ୍ରତିନିଧି ଓ ସ୍ଥାନୀୟ ଅଂଚଳବାସୀଙ୍କୁ ନେଇ ଗଂଜେଇ ଚାଷ ରୋକିବା ପାଇଁ ସଚେତନତା କାର୍ଯ୍ୟ କରା ଯାଉଛି ବୋଲି କୁହାଯାଇଛି।

Leave A Reply