ଜିଲାପାଳଙ୍କୁ ଗୁହାରି ପାଇଁ ରାତିରେ ବାହାରିଲେ ହଷ୍ଟେଲ ଛାତ୍ର

0

ମାଲକାନଗିରି : ଜିଲାପାଳଙ୍କୁ ସ୍କୁଲ ଛାତ୍ରାବାସର ସମସ୍ୟା ଜଣାଇବାକୁ ରାତି ଅଧରେ ବିଦ୍ୟାଳୟ ପାଚେରୀ ଡେଇଁ ୪୦ କୁନି କୁନି ପିଲା ଚାଲିଚାଲି ଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ସେମାନଙ୍କୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିଲାଙ୍କୁ ହଷ୍ଟେଲ ପଠାଇବାର ବ୍ୟବସ୍ଥା କରିଥିଲା। ମାଲକାନଗିରି ଜିଲା କୋରକୋଣ୍ଡା କାର୍ଲାକାଟା ଆବାସିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ସ୍କୁଲ କର୍ତ୍ତୃପକ୍ଷ ଛାତ୍ର ମାନଙ୍କ ସମସ୍ୟାକୁ ଅଣଦେଖା କରିଆସୁଥିବା ପିଲାମାନେ ଅଭିଯୋଗ କରିଛନ୍ତି।

ଅଭିଯୋଗନୁଯାୟୀ, କାର୍ଲାକଟା ଉନ୍ନିତ ମଧ୍ୟ ଇଂରାଜୀ ଆବାସିକ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ପିଲାମାନଙ୍କୁ ସଠିକ୍ ସୁବିଧା ଯୋଗାଇ ଦିଆଯାଉନାହିଁ। ଖାଦ୍ୟ ପେୟ ଓ ବିଦ୍ୟୁତ୍ ସବୁଥିରେ ଅବ୍ୟବସ୍ଥା । ବୁଝାବୁଝି କରିବାକୁ ହଷ୍ଟେଲରେ ସୁପରିଟେଣ୍ଡେଣ୍ଟ ମଧ୍ୟ ନାହାନ୍ତି। ଗୁରୁବାର ରାତିରେ ଏହି ଛାତ୍ର ମାନଙ୍କ ପାଇଁ ଖାଦ୍ୟର କୌଣସି ବ୍ୟବସ୍ଥା ହୋଇନଥିଲା। ଏ ନେଇ ହଷ୍ଟେଲ ପିଲାମାନେ ଏହି ସମସ୍ୟା ଜିଲାପାଳଙ୍କୁ ଜଣାଇବାକୁ ନିଷ୍ପତି ନେଇଥିଲେ। ହଷ୍ଟେଲର ପ୍ରାୟ ୪୦ ଛାତ୍ରଛାତ୍ରୀ ବିଦ୍ୟାଳୟ ପାଚେରୀ ଡେଇଁ ୨୫ କିଲୋମିଟର ଦୂରରେ ଥିବା ଜିଲାପାଳଙ୍କୁ ଭେଟିବା ପାଇଁ ରାସ୍ତାରେ ଚାଲିଚାଲି ଯାଉଥିଲେ। ତେବେ ସ୍ଥାନୀୟ ଲୋକମାନେ ଏହା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ । ଅର୍କଟେଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅଟୋ ଯୋଗେ ପିଲାମାନଙ୍କୁ ହଷ୍ଟେଲକୁ ପଠାଇବା ବ୍ୟବସ୍ଥା କରିଥିଲା। ଏହାସହ ଏନେଇ ପୁଲିସ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଜଣାଇବା ପରେ ପିଲାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ରାତିରେ ଛାତ୍ରାବାସରେ ରନ୍ଧାରନ୍ଧି ହେବା ପରେ ପିଲାମାନେ ବିଳମ୍ବିତ ରାତିରେ ଖାଦ୍ୟ ଖାଇଥିଲେ।

Leave A Reply