ମହୁ ମାଛି କାମୁଡ଼ାରେ ୬ଶିଶୁ ଗୁରୁତର

କାଶୀପୁର: ରାୟଗଡା ଜିଲା କାଶୀପୁର ଥାନା ଅନ୍ତର୍ଗତ ଯୋଡିପାଇ ଗ୍ରାମର କିଛି ଶିଶୁ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ମହୁ ମାଛି କାମୁଡ଼ାରେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଯୋଡିପାଇ ଗ୍ରାମର ୬ଜଣ ଶିଶୁ  ହେମଲତା ମାଝି, ବନିତା ମାଝି, ବବିତା ମାଝି, ହରିତା ମାଝି, ମମତା ମାଝି, ଉଲମା ମାଝି ଶୁକ୍ରବାର ସକାଳେ ଗାଁ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ। କାଠ ସଂଗ୍ରହ କରୁଥିବା ସମୟରେ ଅଚାନକ ଭାବେ ବସାରୁ ମହୁ ମାଛି ବାହାରି ସମସ୍ତଙ୍କୁ କାମୁଡିବା ଆରମ୍ଭ କରିଥିଲା। ସେମାନେ କାଠ ସଂଗ୍ରହ ପାଇଁ ନେଇଥିବା ଟାଙ୍ଗିଆ କୁରାଡ଼ି ଛାଡି ପ୍ରାଣ ବିକଳରେ ଗାଁ ଆଡକୁ ଦୌଡି ଆସିଥିଲେ।

ଆହତ ହୋଇଥିବା ସମସ୍ତ ଶିଶୁ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ୧୦୮କୁ ଯୋଗାଯୋଗ କରି ବିଫଳ ହୋଇଥିଲେ। ନିକଟସ୍ଥ ଏକ ଗ୍ରାମରୁ ଏକ ଭଡା ଅଟୋକୁ ଡାକି ଗୁରୁତର ଶିଶୁ ମାନଙ୍କୁ ଚିକିତ୍ସା ପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଗ୍ରାମବାସୀଙ୍କ ଠାରୁ ଜଣାପଡିଛି। ଚିକିତ୍ସା କରିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ବେଳେ ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ଡାକ୍ତର ଆର.ଆର ରାଓ କହିଛନ୍ତି।

Comments are closed.