୧୧ରୁ ‘ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ-୨୦୧୮’

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଫ୍ଲାଗ୍‍ସିପ୍‍ ଦ୍ୱିବାର୍ଷିକ ନିବେଶକ ସମ୍ମିଳନୀ ‘ମେକ୍‍ ଇନ୍‍ ଓଡ଼ିଶା ୨୦୧୮’ ଆସନ୍ତା ରବିବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ଜନତା ମଇଦାନଠାରେ ଚଳିତମାସ ୧୧ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଏକ୍ସପୋକୁ ଉଦ୍‍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀ ଜରିଆରେ ରାଜ୍ୟ ସରକାର ବିନିର୍ମାଣ କ୍ଷେତ୍ରରେ ଓଡ଼ିଶାର ନିପୁଣତା ଏବଂ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ରହିଥିବା ପୁଞ୍ଜିନିବେଶ ସୁଯୋଗକୁ ପ୍ରଦର୍ଶନ କରିବେ। ରାଜ୍ୟର ସର୍ବକାଳୀନ ସର୍ବବୃହତ ଶିଳ୍ପ ପ୍ରଦର୍ଶନୀ କୁହାଯାଉଥିବା ଏହି କାର୍ଯ୍ୟକ୍ରମର ଆକର୍ଷଣରେ ‘ଦେଓମାଳୀ’ ନାମରେ ଏକ ଥିମ୍‍ ପାଭିଲିୟନ୍‍ ରହିବ। ଏଥିରେ ଏକ ବୃତ୍ତାକାର ଗମ୍ବୁଜରେ ବିଭିନ୍ନ ସମ୍ଭାବନାକୁ ଦର୍ଶାଯିବ। ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ଗମ୍ବୁଜ ନିର୍ମାଣ କରାଯାଉଛି। ଏହା ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏବଂ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ପ୍ରଦର୍ଶିତ କରିବ।
ଏହାବ୍ୟତୀତ ଏଠାରେ ‘କାଇନେଟିକ୍‍ ଇନ୍‍ଷ୍ଟାଲେସନ୍‍’ ଭଳି ବ୍ୟାପକ କଟିଂ-ଏଜ୍‍ ଟେକ୍ନୋଲୋଜିର ବ୍ୟବହାର ହୋଇଛି, ଯାହା ଦର୍ଶକଙ୍କୁ ୧୦୮ ଚକ୍ରର ସୁନ୍ଦର ଏକୀକରଣ ଚମତ୍କାରିତା ଦେଖାଇବ। ଏଥିରେ ଦର୍ଶକମାନଙ୍କୁ ଭର୍ଚୁଆଲ୍‍ ରିଅଲିଟି ଜରିଆରେ ଓଡ଼ିଶାର ଭବିଷ୍ୟତର ସ୍ମାର୍ଟସିଟି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରାଯିବ। ଦର୍ଶକମାନେ ଏହା ଜରିଆରେ ଔଦ୍ୟୋଗିକତା କ୍ଷେତ୍ରରେ ନିଜର ଛାପ ଛାଡ଼ିଥିବା ସଫଳ ଓଡ଼ିଆଙ୍କୁ ଜାଣିପାରିବେ। ଉଦ୍‍ଘାଟନ କାର୍ଯ୍ୟକ୍ରମ ପରେ ଓଡ଼ିଶାର ଐତିହ୍ୟ ଓ ଆଧୁନିକ କଳାକୁ ପ୍ରଦର୍ଶନ କରିବା ଉଦେଶ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।


ଏ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ, ‘ଏକ୍ସପୋ ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ ୨୦୧୮ର ସବୁଠୁ ବଡ଼ ଆକର୍ଷଣ ହେବ। ଦର୍ଶକଙ୍କ ନିମନ୍ତେ ଏହାକୁ ଏକ ଅଭୂଲା ଅଭିଜ୍ଞତାରେ ପରିଣତ କରିବାକୁ କୌଣସି ପ୍ରଚେଷ୍ଟାକୁ ହାତଛଡା କରାଯାଇନାହିଁ। ଟାଟା ଷ୍ଟିଲ୍‍, ଆଦିତ୍ୟ ବିର୍ଲା ଗ୍ରୁପ୍‍, ଜିନ୍ଦଲ ଷ୍ଟିଲ୍‍ ଆଣ୍ଡ ପାୱାର, ଆଦାନି ଗ୍ରୁପ୍‍ ଏବଂ ଆଇଟିସି ଭଳି ବୃହତ କମ୍ପାନୀଙ୍କ ବ୍ୟତୀତ ଏଥିରେ ୨୫ରୁ ଅଧିକ ଏମ୍‍ଏସ୍‍ଏମ୍‍ଇ ଏବଂ ୨୦ରୁ ଅଧିକ ଷ୍ଟାର୍ଟ ଅପ୍‍ ଓଡ଼ିଶାରେ ପୁଞ୍ଜିନିବେଶ ଅଭିଜ୍ଞତା ଏବଂ ସେମାନଙ୍କର ବିନିର୍ମାଣ ଦକ୍ଷତା ପ୍ରଦର୍ଶନ କରିବେ। ରାଜ୍ୟର ଫୋକସ୍‍ କ୍ଷେତ୍ର ଯଥା- ଖାଦ୍ୟ ପ୍ରକ୍ରିୟାକରଣ, ଧାତବ କ୍ଷେତ୍ରରେ ଡାଉନ୍‍ଷ୍ଟ୍ରିମ୍‍ ଶିଳ୍ପ, ଇଲେକ୍ଟ୍ରୋନିକ୍‍ ମାନୁଫାକ୍‍ଚରିଂ, କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ, ବୟନ ଓ ପୋଷାକ, ପ୍ରତିରକ୍ଷା କ୍ଷେତ୍ରର ୧୦୦ରୁ ଅଧିକ ପ୍ରଦର୍ଶନକାରୀ କମ୍ପାନୀର ନେତୃ ସ୍ଥାନୀୟ ବ୍ୟକ୍ତିଙ୍କୁ ଭେଟିବା ସହ ରାଜ୍ୟରେ ମାନୁଫାକ୍‍ଚରିଂ ଓ ଶିଳ୍ପ ଅଭିବୃଦ୍ଧି ପାଇଁ ଥିବା ସମ୍ଭାବନାକୁ ପ୍ରଦର୍ଶନ କରିବେ।
ଚଳିତମାସ ୧୨ରୁ ୧୫ ତାରିଖ ଯାଏ ଏକ୍ସପୋ ସର୍ବସାଧାରଣଙ୍କ ପାଇଁ ମୁକ୍ତ ରହିବ। ପରିଦର୍ଶନ ସମୟ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୮.୩୦ ଯାଏ ରହିବ।

Leave A Reply