ସହିଦ ରାଇଫଲମ୍ୟାନ ଔରଙ୍ଗଜେବ, ମେଜର ଆଦିତ୍ୟଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର

0

ନୂଆଦିଲ୍ଲୀ : ମେଜର ଆଦିତ୍ୟ କୁମାର ଓ ରାଇଫଲମ୍ୟାନ ଔରଙ୍ଗଜେବ (ମରଣୋତ୍ତର)ଙ୍କୁ ସେମାନଙ୍କ ସାହସିକତା ପାଇଁ ଚଳିତବର୍ଷ ସମ୍ମାନଜନକ ଶୌର୍ଯ୍ୟଚକ୍ର ପ୍ରଦାନ କରାଯିବ। ସୈନ୍ୟ ବାହିନୀର ୧୦ ଗଡ଼ୱାଲ ରାଇଫଲ୍ସର ମେଜର ଆଦିତ୍ୟ କୁମାରଙ୍କ ନେତୃତ୍ବ ୟୁନିଟ୍ ଚଳିତବର୍ଷ ଜାନୁଆରୀ ୨୭ ଜାମ୍ମୁ-କାଶ୍ମୀରର ସୋପିଆନରେ ପଥରଫିଙ୍ଗାଳିଙ୍କ ଉପରକୁ ଗୁଳିମାଡ କରିଥିଲେ। ଏଥିରେ ୩ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଏହାକୁ ନେଇ ବିବାଦ ଦେଖାଯାଇଥିଲା ଓ ଜାମ୍ମୁ-କାଶ୍ମୀର ପୁଲିସ ତାଙ୍କ ବିରୋଧରେ ହତ୍ୟା (୩୦୨), ହତ୍ୟା ଉଦ୍ୟମ (୩୦୭) ମାମଲା ରୁଜୁ କରିଥିଲା। ଫେବୃଆରୀ ୧୨ରେ ସୁପ୍ରିମକୋର୍ଟ ଜାମ୍ମୁ-କାଶ୍ମୀର ପୁଲିସକୁ ମେଜର ଆଦିତ୍ୟଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେହିପରି ୪ର୍ଥ ଜାମ୍ମୁ-କାଶ୍ମୀର ଲାଇଟ ଇନଫ୍ୟାଣ୍ଟ୍ରି ବାଟାଲିୟନର ରାଇଫଲମ୍ୟାନ ଔରଙ୍ଗଜେବ ନିଜ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ କେତେକ ଆତଙ୍କବାଦୀ ତାଙ୍କୁ ଅପହରଣ କରିନେଇ ହତ୍ୟା କରିଥିଲେ। ତାଙ୍କର ଗୁଳିବିଦ୍ଧ ଶରୀର ପୁଲୱାମା ଜିଲା କାଲାମପୋରା ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ସେ ମେଜର ରୋହିତ ଶୁକ୍ଳାଙ୍କ ଟିମ୍୍‌ର ସଦସ୍ୟ ଥିଲେ। ମେଜର ଶୁକ୍ଳାଙ୍କ ଟିମ୍ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସମୀର ଟାଇଗରକୁ ହତ୍ୟା କରିଥିଲା। ରିପୋର୍ଟ ଅନୁଯାୟୀ ଲସ୍କର-ଇ-ତୋଇବାର ୨ଜଣ ଓ ହିଜବୁଲ ମୁଜାହିଦ୍ଦିନର ୨ଜଣ ଆତଙ୍କବାଦୀ ଔରଙ୍ଗଜେବଙ୍କୁ ଅପହରଣ ପରେ ହତ୍ୟା କରିଥିଲେ। ଶତ୍ରୁ ସହିତ ସମ୍ମୁଖ ଲଢେଇ ବ୍ୟତୀତ ଅନ୍ୟ ସମୟରେ ଦେଖାଇଥିବା ସାହସିକତା ପାଇଁ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଥାଏ। ସୈନ୍ୟବାହିନୀର ତିନି ବିଭାଗରେ କାର୍ଯ୍ୟରତ ସମସ୍ତ ପାହ୍ୟାର ଅଫିସର, ପୁରୁଷ ଓ ମହିଳା ଏହି ସମ୍ମାନ ପାଇବାକୁ ହକଦାର। ଏହା ସହିତ ସେନା ବାହିନୀର ସେବା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଅନ୍ୟ ସୁରକ୍ଷା ବାହିନୀ ଯଥା ଅର୍ଦ୍ଧସାମରିକ ବାହିନୀ କର୍ମଚାରୀ ଏହି ସମ୍ମାନ ପାଇପାରିବେ।

Leave A Reply