ହରିୟାଣା ଛାତ୍ରୀ ଗଣବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ତିନି ଗିରଫ

0

ଚଣ୍ଡିଗଡ଼ : ହରିୟାଣାର ରେୱାରୀ ନିକଟ ଝାଗରସ୍ଥିତ କୃଷିକ୍ଷେତ୍ରରେ ୧୯ବର୍ଷୀୟା ମେଧାବୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାର ପଞ୍ଚମ ଦିନରେ ରବିବାର ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ପୁଲିସ୍‍ କହିବା ଅନୁସାରେ ରବିବାର ନିଶୁ ଓ ଦୀନଦୟାଲ ନାମକ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ନିଶୁ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବାବେଳେ ଦୀନଦୟାଲ ବଳାତ୍କାର ହୋଇଥିବା ଫାର୍ମର ନଳକୂପ ମାଲିକ। ସେ ଅଭିଯୁକ୍ତମାନଙ୍କୁ ନଳକୂପ ଷ୍ଟୋର ରୁମ୍‍ ଦୁଷ୍କର୍ମ ପାଇଁ ଭଡ଼ାରେ ଦେଇଥିଲା। ଏଥିସହିତ ପୁଲିସ ଏହି ଅପରାଧରେ ବ୍ୟବହୃତ ଗାଡ଼ିକୁ ଜବତ କରିଛି। ପୀଡ଼ିତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିବା ସ୍ଥାନୀୟ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲର ଡାକ୍ତର ସଞ୍ଜୀବଙ୍କୁ ପୁଲିସକୁ ଖବର ଦେଇ ନଥିବା କାରଣରୁ ଗିରଫ କରାଯାଇଛି। ନିଶୁ ହିଁ ଡାକ୍ତରଙ୍କୁ ଘଟଣାସ୍ଥଳକୁ ଡକାଇ ଛାତ୍ରୀଙ୍କ ଚିକିତ୍ସା କରାଇଥିଲା। ଅପରାଧର ଅନ୍ୟ ମୁଖ୍ୟ ଅଭିଯୁକ୍ତ ମନୀଷ ଓ ସେନା କର୍ମଚାରୀ ପଙ୍କଜଙ୍କୁ ଅଦ୍ୟାବଧି ଗିରଫ କରାଯାଇପାରି ନାହିଁ। ପୁଲିସର ୧୦ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‍ଆଇଟି) ହରିୟାଣା, ଦିଲ୍ଲୀ ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ସେମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି। ଶହେରୁ ଅଧିକ ଲୋକଙ୍କୁ ଜେରା କରାଗଲାଣି ବୋଲି ଏସ୍‍ଆଇଟି ମୁଖ୍ୟ ନାଜନିନ୍‍ ଭାସିନ୍‍ କହିଛନ୍ତି। ଅପରପକ୍ଷରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନରେ ଅବହେଳା ଓ ଜନତାଙ୍କ ପ୍ରତିକ୍ରିୟା ଦୃଷ୍ଟିରୁ ରେୱାରୀ ଜିଲା ପୁଲିସ ଅଧୀକ୍ଷକ(ଏସ୍‍ପି) ରାଜେଶ ଡୁଗାଲଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ରାହୁଲ ଶର୍ମାଙ୍କୁ ନିଯୁକ୍ତ କରାଯାଇଛି।
ପୀଡ଼ିତାଙ୍କ ମାଆ ୨ଲକ୍ଷ ଟଙ୍କାର ସରକାରୀ ସହାୟତା ରାଶିକୁ ଫେରାଇ ଦେଇଛନ୍ତି। ଚେକ୍‍ ଆଣି ଆସିଥିବା ଅଧିକାରୀଙ୍କୁ ‘ଝିଅ ପାଇଁ ନ୍ୟାୟ ଚାହାନ୍ତି; ଟଙ୍କା ନୁହେଁ’ ବୋଲି ସେ କହିଛନ୍ତି। ‘ମୋ ଝିଅର ଇଜ୍ଜତର ମୂଲ୍ୟ କ’ଣ ଏହି ଟଙ୍କା’ ବୋଲି ସେ ପ୍ରଶ୍ନ କରିଛନ୍ତି। ‘ଇତିମଧ୍ୟରେ ଘଟଣାର ୫ଦିନ ବିତିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ତୁରନ୍ତ ସେମାନଙ୍କୁ ଧରି ଫାଶୀ ଦିଆଯିବା ଆମେ ଚାହୁଁଛୁ’ ବୋଲି ସେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଘଟଣାର ଏତଲାରେ ତିନି ଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲେ ମଧ୍ୟ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ଏଥିରେ ପ୍ରାୟ ୧୦ଜଣ ସାମିଲ ଥିଲେ। ଇତିମଧ୍ୟରେ ଏସ୍‍ଆଇଟି ମୁଖ୍ୟ ନାଜନିନ୍‍ ଭାସିନ୍‍ ବଳାତ୍କାର ସ୍ଥାନ ପରିଦର୍ଶନ କରିଛନ୍ତି ଓ ପୀଡ଼ିତାଙ୍କ ଡାକ୍ତରୀ ମାଇନା ପରେ ସେ ଗଣବଳାତ୍କାରର ଶିକାର ହୋଇଥିବା ସ୍ପଷ୍ଟ କରିଛନ୍ତି। ଗିରଫ ଦୀନଦୟାଲ ଅଭିଯୁକ୍ତମାନଙ୍କୁ ସହାୟତା କରିଥିବା ନେଇ ସ୍ୱୀକାର କରିଛି। ଏମିତିକି ବଳାତ୍କାରୀମାନେ ଦୁଷ୍କର୍ମ ମଝିରେ ଛାତ୍ରୀଙ୍କ ଚେତା ଫେରିବାରୁ ପୁନଶ୍ଚ ନିଶାଦ୍ରବ୍ୟଯୁକ୍ତ ପାଣି ପିଆଇଥିଲେ ବୋଲି ସେ କହିଥିବା ଭାସିନ୍‍ କହିଛନ୍ତି। ବଳାତ୍କାର ପରେ ଛାତ୍ରୀଙ୍କୁ ବସ୍‍ଷ୍ଟପ୍‍ରେ ଛାଡ଼ି ଚାଲିଯିବା ସମୟରେ ଅଭିଯୁକ୍ତ ମନୀଷ ଛାତ୍ରୀଙ୍କ ବାପାଙ୍କୁ ଫୋନ୍‍ରେ ଝିଅ ଅସୁସ୍ଥ ଥିବା ଜଣାଇଥିଲେ ବୋଲି ଭାସିନ୍‍ ସୂଚନା ଦେଇଛନ୍ତି।
ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସେନା କର୍ମଚାରୀ ପଙ୍କଜକୁ ଗିରଫ କରିବା ପାଇଁ ଏସ୍‍ଆଇଟି ଶନିବାରଠାରୁ ତାର କାର୍ଯ୍ୟସ୍ଥଳ ରାଜସ୍ଥାନର କୋଟାକୁ ଯାଇଥିଲେ ମଧ୍ୟ ଏଥିରେ ସଫଳ ହୋଇ ନାହିଁ। ଜୟପୁରସ୍ଥିତ ଦକ୍ଷିଣ-ପଶ୍ଚିମ କମାଣ୍ଡର ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ଚେରିସ ମାଥସନ୍‍ କହିଛନ୍ତି ଯେ ‘ପଙ୍କଜକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ; ତାକୁ ଗିରଫ କରିବାରେ ଆମେ ସାହାଯ୍ୟ କରିବୁ।’
ଏହି ଘଟଣାକୁ ଜାତୀୟ ମହିଳା ଆୟୋଗ ଦୃଢ଼ ନିନ୍ଦା କରିବା ସହ ହରିୟାଣା ପୁଲିସ ମହାନିର୍ଦେଶକଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ପୁଲିସ ମହାନିର୍ଦେଶକ ବି.ଏସ୍‍ ସାନ୍ଧୁଙ୍କୁ ଡକାଇ ରିପୋର୍ଟ ତଲବ କରିଛନ୍ତି। କହିଛନ୍ତି ଯେ ଏଭଳି ଘଟଣାରେ ଜଣେ ସେନା କର୍ମଚାରୀ ସମ୍ପୃକ୍ତ ହେବା ଦୁର୍ଭାଗ୍ୟଜନକ। ବିରୋଧୀ ଦଳଙ୍କ ପକ୍ଷରୁ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।

Leave A Reply