ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପକ୍ଷ

କଲମ୍ବୋ :  ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ମହିନ୍ଦା ରାଜପକ୍ଷ ଶପଥ ଗ୍ରହଣ କରିଛନ୍ତି। ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷ ଗୁରୁବାର ତାଙ୍କୁ ପଦ ଓ  ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଧାନମନ୍ତ୍ରୀ ପଦରୁ ରନିଲ ବିକ୍ରମସିଂଘେ ଇସ୍ତଫା ଦେବା ପରେ ମହିନ୍ଦାଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି । ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ମହିନ୍ଦା ରାଜପକ୍ଷ ଶ୍ରୀଲାଙ୍କାର ରାଷ୍ଟ୍ରପତି ରହିଥିଲେ। ଶ୍ରୀଲଙ୍କାର ଏଲଟିଟିଇ ଉଗ୍ରପନ୍ଥୀଙ୍କୁ ନିପାତ କରିବାରେ ପ୍ରମୁଖ ଭୂମିକା ନେଇଥିବା ରାଜପକ୍ଷ ଭ୍ରାତା ନିକଟରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ।

ଏକ ୧୫ ଜଣିଆ କ୍ୟାବିନେଟ ଶୁକ୍ରବାର ଶପଥ ନେବା ନେବାର ଆଶ କରାଯାଉଛି।

ସୂଚନାଯୋଗ୍ୟ, ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷ ନିଜ ବଡଭାଇ ତଥା ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ । ସରକାରୀ ମୁଖପାତ୍ର ବିଜୟାନନ୍ଦ ହେରାଥଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ ପଦରୁ ରନିଲ ବିକ୍ରମସିଂଘେ ଇସ୍ତଫା ଦେବା ପରେ ମହିନ୍ଦାଙ୍କୁ ନୂଆ ନିଯୁକ୍ତି ଦିଆଯାଇଥିଲା।  ଶନିବାର ଶ୍ରୀଲଙ୍କାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଗୋଟାବୟ ୫୨.୨୫ ପ୍ରତିଶତ (୬୯,୨୪, ୨୫୫ଟି ଭୋଟ) ପାଇଥିଲେ। ବିପକ୍ଷ ଶାସକ ଦଳ ପ୍ରାର୍ଥୀ ପ୍ରେମଦାସା ୪୧.୯୯ ପ୍ରତିଶତ (୫୫, ୬୪, ୨୩୯ଟି ଭୋଟ) ପାଇଥିଲେ। ଅନ୍ୟ ପ୍ରାର୍ଥୀମାନେ ୫.୭୬ ପ୍ରତିଶତ ଭୋଟ ପାଇଥିଲେ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ପଦରୁ ରନିଲ ବିକ୍ରମସିଂଘେ ଇସ୍ତଫା ଦେଇ କହିଛନ୍ତି ଯେ, ଯଦିଓ ସଂସଦରେ ତାଙ୍କ ସରକାର ସପକ୍ଷରେ ବହୁମତ ରହିଛି ତେବେ ଗୋଟାବୟଙ୍କ ସପକ୍ଷରେ ଜନମତ ଥିବାରୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ପ୍ରଦାନ କରିଛନ୍ତି।

Comments are closed.