ମହାରାଷ୍ଟ୍ରରେ ବିଚିତ୍ର ସ୍ଥିତି – ଆଜି ସନ୍ଧ୍ୟାରୁ ଲାଗିପାରେ ରାଷ୍ଟ୍ରପତି ଶାସନ

ସମାଜ ପୋର୍ଟାଲ ଡେସ୍କ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଲାଗି ରହିଥିବା ଅନିଶ୍ଚିତତା ଏବେ ଭିନ୍ନ ରୂପ ଧାରଣ କରିବାରେ ଲାଗିଛି। କେନ୍ଦ୍ର କ୍ୟାବିନେଟ ଇତି ମଧ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିଆରୀଙ୍କ ଠାରୁ ରିପୋର୍ଟ ପାଇବା ପରେ ରାଷ୍ଟ୍ରପତି ଶାସନ ପାଇଁ ଅନୁମୋଦନ ଦେଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ, ଶିବସେନା ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ଗତକାଲି ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଥିଲା। ରବିବାର ଵିଜେପି ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ନିଜର ଅସମର୍ଥତା ପ୍ରକାଶ କରିବା ପରେ ରାଜ୍ୟପାଳ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ ଓ ୨୪ ଘଣ୍ଟା ଅର୍ଥାତ ସୋମବାର ସନ୍ଧ୍ୟା ୭ଟା ୩୦ ମିନିଟ ପର୍ଯ୍ୟନ୍ତ ସମୟ ଦେଇଥିଲେ। ପୂର୍ବରୁ ବିଜେପି ସହ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଟଣା ଓଟରା ପରେ ମିଳିତ ସରକାର ଗଠନରେ ସମର୍ଥନ କରିବ ନାହିଁ ବୋଲି ଶିବସେନା କହିଥିବା ବେଳେ ରାଜ୍ୟପାଳଙ୍କ ଠାରୁ ଆମନ୍ତ୍ରଣ ପାଇବା ପରେ ଦଳ କଂଗ୍ରେସ ଓ ଏନସିପି ସହ ଆଲୋଚନା କରିଥିଲା କିନ୍ତୁ ସୋମବାର ସଂଧ୍ୟା ସୁଦ୍ଧା ଉଭୟ ଏନସିପି ଓ କଂଗ୍ରେସ ସମର୍ଥନ କରିବା ନେଇ କୌଣସି ସଂକେତ ଦେଇ ନ ଥିଲେ। ଏହା ପଛରେ ମଧ୍ୟ କ୍ଷମତା ବଣ୍ଟନ ମୂଳ କାରଣ ହୋଇଥିବା ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି। ଯଦିଓ ଶିବସେନା ପୁନଶ୍ଚ ରାଜ୍ୟପାଳଙ୍କୁ ୨୪ ଘଣ୍ଟା ଅଧିକ ସମୟ ମାଗିଥିଲେ ଓ ଏକଥା ମଧ୍ୟ ଅବଗତ କରାଇଥିଲା ଯେ ସମର୍ଥନ ନେଇ ଅନ୍ୟ ଦଳ ସହ ଆଲୋଚନା ଚାଲିଛି କିନ୍ତୁ ରାଜ୍ୟପାଳ ଶିବସେନାର ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହ ଏନସିପିକୁ ସରକାର ଗଠନ ପାଇଁ ଗତ ସନ୍ଧ୍ୟାରେ ଆମନ୍ତ୍ରଣ କରିଥିଲେ ଓ ୨୪ ଘଣ୍ଟା ସମୟ ଦେଇଥିଲେ।

ଆଜି ମହାରାଷ୍ଟ୍ରରେ ଏନସିପିର କୌଣସି ନିଷ୍ପତ୍ତି ପୂର୍ବରୁ ରାଜ୍ୟପାଳ ଭଗତ ସିଂହ କୋସିଆରୀ କେନ୍ଦ୍ର ସରକାରଙ୍କୁ ରାଜ୍ୟରେ ଉପୁଜିଥିବା ସାମ୍ବିଧାନିକ ସଙ୍କଟ ସମ୍ପର୍କରେ ରିପୋର୍ଟ ଦେବା ସହ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଛନ୍ତି। କେନ୍ଦ୍ର କ୍ୟାବିନେଟ ମଧ୍ୟ ଏହାକୁ ଅନୁମୋଦନ କରିଛି ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇଛି। ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ୟାବିନେଟ ବୈଠକ ଡାକିଛନ୍ତି। ତେବେ ସରକାର ଗଠନ ପାଇଁ ଅଧିକ ସମୟ ନ ଦେବା ଅଭିଯୋଗ ନେଇ ଶିବସେନା ସୁପ୍ରିମକୋର୍ଟରେ ୨୪ ପୃଷ୍ଠାର ଅଭିଯୋଗ ପତ୍ର ଦାଖଲ କରିଛି।

Comments are closed.