ସମର୍ଥନ, ସରକାର ଓ କ୍ଷମତା ଫାସରେ ମହାରାଷ୍ଟ୍ର

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଦୀର୍ଘ ୧୮ ଦିନର ରାଜନୈତିକ କସରତ ଏକ ପ୍ରକାର ଶେଷ ହୋଇଛି। ଆଜି ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ କିଏ ସରକାର ଗଢ଼ିବ, କିଏ କାହାକୁ ସମର୍ଥନ ଦେବା କିମ୍ବା ଦେବା ନାହିଁ ଓ ବିଶେଷ କରି ମୁଖ୍ୟମନ୍ତ୍ରୀ ପଦ ଓ କ୍ଷମତା ବଣ୍ଟନରେ ଭାଗ ନ ଛିଡ଼ିବା ମହାରାଷ୍ଟ୍ର ଗଣତନ୍ତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି କରିଛି। ପ୍ରଥମେ ବିଜେପି, ପରେ ଶିବସେନା ଓ ପୁଣି ଏନସିପିକୁ ଡାକିବା ଓ ଗୋଟିଏ ପରେ ଗୋଟିଏ ଦଳ ସରକାର ଗଠନ ପାଇଁ ସମର୍ଥନ ଯୋଗାଡ଼ ନ କରି ପାରିବା ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବାକୁ ଏକ ପ୍ରକାର ବାଧ୍ୟ କରିଛି। ଅନ୍ୟ ପକ୍ଷରେ ଗତକାଲି ରାଜ୍ୟପାଳ ଭଗତ ସିଂହ କୋସିଆରୀ ଏନସିପିଙ୍କୁ ୨୪ ଘଣ୍ଟା ସମୟ ଦେଇଥିଲେ ମଧ୍ୟ ସେହି ଅବଧି ପୂରଣ ହେବା ପୂର୍ବରୁ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବା ମଧ୍ୟ ରାଜନୈତିକ ନେତାମାନଙ୍କୁ ହତାଶ କରିଛି।

ଇତି ମଧ୍ୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ଆମେ ଏବେ ମଧ୍ୟ ବିଜେପି ସହ ସମ୍ପର୍କରେ ଅଛୁ। ଯଦି ଆମ ଦାବି ପୂରଣ ହେବ, ଆମେ ବିଜେପିକୁ ସରକାର ଗଠନରେ ସମର୍ଥନ କରିବୁ। ସେ କହିଛନ୍ତି ଯେ ଶିବସେନା ସରକାର ଗଠନ ପାଇଁ କଂଗ୍ରେସ ଓ ଏନସିପି ସହ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟପାଳ ସମୟ ଦେଲେ ନାହିଁ।

କିଏ କଣ କହିଛନ୍ତି –

ଏଲଜେପି ଅଧ୍ୟକ୍ଷ ଚିରାଗ ପାଶ୍ବାନ: ମହାରାଷ୍ଟ୍ରରେ ସରକାର ଗଠନ ନ ହୋଇ ପାରିବ ପାଇଁ ଉଭୟ ବିଜେପି ଓ କଂଗ୍ରେସସ ଦାୟୀ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ: ଯଦି ବିଜେପି ମେହେବୁବା ମୁଫତି ସହ ସରକାର ଗଢି ପାରିଲା, ଆମେ କାହିଁକି କଂଗ୍ରେସ ଓ ଏନସିପି ସହ ପାରିବୁନି। ବିଜେପି ଆମ ସହ ସମ୍ପର୍କରେ ଅଛି, ଯଦି ଦଳ ଆମ ଦାବିଲା ମାନିନେବ, ଆମେ ସରକାରକୁ ସମର୍ଥନ ଦେବୁ।

ବିଜେପି ନେତା ନାରାୟଣ ରାଣେ: ବିଜେପି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ପ୍ରୟାସ କରିବ। ଏଥି ପାଇଁ ଦେବେନ୍ଦ୍ର ଫଡନଵୀସ ଚେଷ୍ଟା କରୁଛନ୍ତି। ଏନସିପି ଓ କଂଗ୍ରେସ, ବିଜେପିକୁ ଭୁଆଁ ବୁଲାଉଛନ୍ତି।

ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଵୀସ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଦୁର୍ଭାଗ୍ୟପୂର୍ଣ୍ଣ। ଖୁବ ଶୀଘ୍ର ସ୍ଥିର ସରକାର ଗଠନ ହେବ।

ଶରଦ ପାୱାର: ଆମ ପକ୍ଷରୁ କିଛି ଅସୁବିଧା ନାହିଁ। ଯେହେତୁ ଶିବସେନା ବିଜେପି ସହ ମିଳିତ ଭାବେ ନିର୍ବାଚନ ଲଢ଼ିଛି  ତେଣୁ ଶିବସେନା ସହ ମିଳିତ ଭାବେ ଆଲୋଚନା ହେବ।

କଂଗ୍ରେସ ନେତା ଅହମଦ ପଟେଲ  – ଯେଉଁ ଭଳି ରାଷ୍ଟ୍ରପତି ଶାସନ ଜାରି କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ।

Comments are closed.