ଆଜିଠୁ ଆସ୍ଥାର ମହାକୁମ୍ଭ

0

ପ୍ରୟାଗରାଜ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗଙ୍ଗା, ଯମୁନା ଏବଂ ଅନ୍ତଃସଲିଳା ସରସ୍ୱତୀଙ୍କର ପବିତ୍ର ସଙ୍ଗମସ୍ଥଳ ଆଲାହାବାଦ (ନୂତନ ନାମିତ ପ୍ରୟାଗରାଜ)ଠାରେ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଭାରତୀୟ ଧର୍ମ ଭାବନା, ବିଶ୍ବାସ ଓ ଆସ୍ଥାର ମହାକୁମ୍ଭ। ଏହି ବିଶାଳ ଆଧ୍ୟାତ୍ମିକ ମହାସମାଗମରେ ଯୋଗଦେବା ପାଇଁ ହିମାଳୟଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମଗ୍ର ଭାରତବର୍ଷର କୋଣଅନୁକୋଣରୁ ସାଧୁସନ୍ଥଙ୍କ ସମେତ ଦେଶବିଦେଶରୁ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ସମବେତ ହେବାରେ ଲାଗିଛନ୍ତି। ଜାତି-ପତି, ମତ-ପନ୍ଥ ସମ୍ପ୍ରଦାୟ, ଭାଷା, ପ୍ରାନ୍ତ, ଉଚ୍ଚ-ନୀଚ ସମସ୍ତ ପ୍ରକାର ଭେଦଭାବ ଭୁଲି ୪୯ ଦିବସ ବ୍ୟାପୀ ଚାଲିବାକୁ ଥିବା ଏହି ଧାର୍ମିକ ମହାମେଳାରେ ଯୋଗଦେଇ ପୟାଗର ଏହି ପବିତ୍ର ସଙ୍ଗମସ୍ଥଳରେ ପ୍ରାତଃସ୍ନାନ କରିବାକୁ ବ୍ୟଗ୍ର ହୋଇଉଠିଛନ୍ତି ଏମାନେ।
ଏହି ପ୍ରେକ୍ଷାପଟରେ ୨୦୧୯ କୁମ୍ଭମେଳାକୁ ଅଧିକ ଆକର୍ଷକ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି। ବିଭିନ୍ନ ଗଣମାଧ୍ୟମ ବିଜ୍ଞାପନ ଜରିଆର କୁମ୍ଭମେଳା ସମ୍ପର୍କରେ ଟିକିନିକି ଖବର ପରିବେଷଣ କରାଉଛି। ସାରା ବିଶ୍ବର ପର୍ଯ୍ୟଟକ ତଥା ଧର୍ମବିଶ୍ବାସୀଙ୍କୁ କିପରି ଏଠାକୁ ଆକର୍ଷିତ କରାଯାଇପାରିବ. ସେଥିପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ହେଉଛି। କେନ୍ଦ୍ର ସରକାରଙ୍କ ପର୍ଯଟନ ମନ୍ତ୍ରଣାଳୟ ପକ୍ଷରୁ ‘ଚାଲ୍ କୁମ୍ଭ ଚାଲ୍’ ଅଭିଯାନ ସ୍ଲୋଗାନ ଦେଇ ଏହାକୁ ବ୍ୟାପକ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଲୋଗୋ ଉନ୍ମୋଚିତ ହୋଇଛି। ବାରାଣାସୀରେ ପ୍ରବାସୀ ଭାରତୀୟ ସମ୍ମେଳନର ଆୟୋଜନ କରାଯାଇଛି। ମେଳାର ପ୍ରତିଟି ଦିବସକୁ ସ୍ମରଣୀୟ କରିବା ପାଇଁ ଧର୍ମଚର୍ଚ୍ଚା, ସତ୍‌ସଙ୍ଗ, ଭକ୍ତିସଙ୍ଗୀତ ସମାରୋହ, ସନ୍ଥ ସମ୍ମିଳନୀ, ସାଂସ୍କୃତିକ ବିଚିତ୍ରା ପରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାକୁ ବ୍ରାଣ୍ଡିଂ ଓ ମାର୍କେଟିଂ କରାଯିବା ଉପରେ ମଧ୍ୟ ଜୋର୍‌ ଦିଆଯାଇଛି। ପ୍ରୟାଗକୁ ଏହି ମେଳା ସମୟରେ ୧୫୦ଟି ଟ୍ରେନ ଦେଶର ବିଭିନ୍ନ ସ୍ଥାନରୁ ଚାଲିବ। ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଅନ୍ତର୍ଜାତୀୟ ବିମାନବନ୍ଦର ଓ ତାରକା ହୋଟେଲଗୁଡ଼ିକରେ ସ୍ବତନ୍ତ୍ର ବିଜ୍ଞାପନ ଦିଆଯାଇଛି। ଏଥିପାଇଁ ଚଳିତବର୍ଷ ‘୨୦୧୯ ପ୍ରବାସୀ ଦିବସ ’ ବାରାଣସୀରେ ପାଳିତ ହେବ। ଏଥିରେ ସାରା ବିଶ୍ବର ଥିବା ପ୍ରତିଷ୍ଠିତ ପ୍ରବାସୀ ଭାରତୀୟ, ବିଦେଶରେ ରହୁଥିବା ଭାରତୀୟ ଏବଂ ଭାରତୀୟ ବଂ​‌େ​‌ଶାଦ୍ଭବଙ୍କୁ ସତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବା ସହିତ ଭାବବିନିମୟର ବିରାଟ ମଞ୍ଚ କରାଯାଇଛି।
ପୁରାଣ ବର୍ଣ୍ଣନା ଅନୁଯାୟ, ପ୍ରୟାଗ, ହରିଦ୍ୱାର, ଉଜ୍ଜୟିନୀ ଏବଂ ନାସିକରେ ବାରବର୍ଷରେ ଥରେ ଲେଖାଏଁ କୁମ୍ଭଯୋଗ ହୋଇଥାଏ। ଦେବାସୁର ସଂଗ୍ରାମ ସମୟରେ ଚାରିଗୋଟି ସ୍ଥାନରେ ଏହି ଅମୃତ କୁମ୍ଭକୁ ରଖା ଯାଇଥିବାରୁ ଏବଂ ସେଥିରୁ ଅମୃତ ଛିଟିକି ପଡ଼ିଥିବାରୁ ସେହି ଚାରିଟି ସ୍ଥାନରେ ହିଁ କୁମ୍ଭମେଳାର ଆୟୋଜନ ହୋଇଥାଏ। ଗଙ୍ଗାଦ୍ୱାର (ହରିଦ୍ୱାର), ପ୍ରୟାଗ, ଧାରାନଗରୀ ଉଜ୍ଜୟିନୀ ଏବଂ ଗୋଦାବରୀ (ନାସିକ)ଠାରେ ବାରବର୍ଷରେ ଥରେ ଏହି କୁମ୍ଭଯୋଗ ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ୧୨ ମାସରେ ବାର ରାଶିର ଭ୍ରମଣ କରି ଗୋଟିଏ ରାଶିଚକ୍ର ପୁରା କରିଥାଆନ୍ତି; କିନ୍ତୁ ବୃହସ୍ପତି ବାର ବର୍ଷରେ ଗୋଟିଏ ଥର ଏହି ବାରରାଶିର ରାଶିଚକ୍ରର ଭ୍ରମଣ କରିଥାଆନ୍ତି। ତଦନୁସାରେ ଗୋଟିଏ ରାଶିକୁ ପୁଣି ଥରେ ଆସିବା ପାଇଁ ତାଙ୍କୁ ବାରବର୍ଷ ସମୟ ଲାଗିଥାଏ। ବୃହସ୍ପତିଙ୍କର ଏହି ରାଶିଭ୍ରମଣ ଆଧାରରେ ସେହିଭଳି ବିଶେଷ ଗ୍ରହଯୋଗରେ ବାରବର୍ଷରେ ଥରେ ଲେଖାଏଁ ଚାରିସ୍ଥାନରେ କୁମ୍ଭ ପର୍ବର ଆୟୋଜନ ହୋଇଥାଏ। ପ୍ରତିବର୍ଷ ମାଘ ମାସରେ ଚନ୍ଦ୍ର ଏବଂ ସୂର୍ଯ୍ୟ ମକର ରାଶିରେ ଥାଆନ୍ତି। ତେଣୁ ମାଘମେଳା ବା ମାଘସ୍ନାନ (କଳ୍ପବାସ) ପ୍ରତିବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହୋଇଥାଏ। ହେଲେ ବୃହସ୍ପତି ବାର ବର୍ଷରେ ମିଳିତ ହେଉଥିବାରୁ କୁମ୍ଭଯୋଗ ବାରବର୍ଷରେ ହୋଇଥାଏ। ଯେତେବେଳେ ବୃହସ୍ପତି କୁମ୍ଭ ରାଶିରେ ଅବସ୍ଥାନ କରିଥା’ନ୍ତି ଏବଂ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରନ୍ତି, ସେତେବେଳେ ହରିଦ୍ୱାରଠାରେ, ବୃହସ୍ପତି ମେଷ ରାଶି ଏବଂ ଚନ୍ଦ୍ର ସୂର୍ଯ୍ୟ ମକର ରାଶିରେ ଅବସ୍ଥାନ କରୁଥିବା ସମୟରେ ପ୍ରୟାଗରାଜଠାରେ, ସୂର୍ଯ୍ୟ ମେଷ ରାଶିରେ ଏବଂ ବୃହସ୍ପତି ସିଂହ ରାଶିରେ ଥିବା ସମୟରେ ଉଜ୍ଜୟିନୀରେ ଏବଂ ସୂର୍ଯ୍ୟ ତଥା ବୃହସ୍ପତି ଉଭୟ ସିଂହ ରାଶିରେ ଅବସ୍ଥାନ କରୁଥିବା ସମୟରେ ନାସିକଠାରେ କୁମ୍ଭଯୋଗ ହୋଇଥାଏ। ଏହିଭଳି ଯୋଗ ପ୍ରତ୍ୟେକ ସ୍ନାନରେ ବାରବର୍ଷରେ ଥରେ ପଡ଼ୁଥିବାରୁ ପ୍ରତି ବାରବର୍ଷରେ ଥରେ ଏହି ସ୍ଥାନମାନଙ୍କରେ କୁମ୍ଭ ପର୍ବ ଅନୁଷ୍ଠିତ ହୋଇଥାଏ। କେବଳ ହରିଦ୍ୱାର ଏବଂ ପ୍ରୟାଗରାଜଠାରେ ଛ’ବର୍ଷରେ ଅର୍ଦ୍ଧକୁମ୍ଭମାନ ଅନୁଷ୍ଠିତ ହୋଇଥାଏ।

Leave A Reply