ମହାରାଷ୍ଟ୍ର ବିଧାନସଭା ନିର୍ବାଚନ : ୧୩ରୁ ମୋଦୀ ଆରମ୍ଭ କରିବେ ପ୍ରଚାର ଅଭିଯାନ

ମୁମ୍ବଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇ ଉଠିଛି। ବିଜୟାଦଶମୀ ପରେ ଏବେ ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ ତାରିଖ ରବିବାର ଦିନ ବିଧିବଦ୍ଧ ଭାବେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିବେ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ଟି ନିର୍ବାଚନ ସଭାରେ ଯୋଗ ଦେବେ। ସେହିଭଳି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସଭାପତି ତଥା ତାରକା ପ୍ରଚାରକ ଅମିତ ଶାହା ୧୮ଟି ନିର୍ବାଚନୀ ସଭାରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। ସେ ଚଳିତ ସପ୍ତାହରେ ଲାଟୁର ଜିଲ୍ଲାରୁ ତାଙ୍କର ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ।

ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ୍‍  କହିଛନ୍ତି ଯେ ଚଳିତ ମାସ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜଲଗାଓଁଠାରେ ପ୍ରଥମ ନିର୍ବାଚନ ସଭାରେ ଉଦ୍‍ବୋଧନ ଦେଇ ଦଳପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ। ସେହିପରି ସେ ସେହିଦିନ ବିଦର୍ଭ ଅଞ୍ଚଳର ସକୋରିଠାରେ ଏକ ନିର୍ବାଚନ ସଭାରେ ମଧ୍ୟ ଉଦ୍‍ବୋଧନ ଦେବେ। ମହାରାଷ୍ଟ୍ର ବିଧାନସଭାର ମୋଟ୍‍ ୨୮୮ ଆସନ ମଧ୍ୟରୁ ବିଜେପି ୧୬୪ଟିରେ ଏବଂ ଏହାର ସହଯୋଗୀ ଦଳ ଶିବସେନା ୧୨୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମୋଟ୍ ୩୨୩୯ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି।

 

Comments are closed.