ନଦୀରେ ବୁଡ଼ି ଯାଦୁଗର ନିଖୋଜ; ହାତ-ଗୋଡ଼ରେ ଶିକୁଳି ବାନ୍ଧି ନଦୀରେ ପଶିଥିଲେ

କଲକତା : ଯାଦୁ ଦେଖାଇବାକୁ ଯାଇ ହାୱଡା ବ୍ରିଜ ନିକଟ ଗଙ୍ଗା ନଦୀରେ ବୁଡ଼ି ଜଣେ ଯାଦୁଗର ନିଖୋଜ ହୋଇଯାଇଛନ୍ତି। ରବିବାର ସେ ହାତ-ଗୋଡ଼ରେ ଲୁହା ଶିକୁଳି ଓ ଆଖିରେ କଳାପଟା ବାନ୍ଧି ନଦୀରେ ପ୍ରବେଶ କରିଥିଲେ। ମାତ୍ର ଯାଦୁଗର ଜଣକ ଆଉ ନଦୀରୁ ପଦାକୁ ବାହାରିନଥିଲେ। ଫଳରେ ଦର୍ଶକ ପୁଲିସ୍‍କୁ ଖବର ଦେଇଥିଲେ। ପୁଲିସ୍‍ ପହଞ୍ଚି ନଦୀରେ ତଲାସୀ କରୁଛି। ପୁଲିସ୍‍ ସୂଚନା ଅନୁସାରେ ନିଖୋଜ ଯାଦୁଗରଙ୍କ ନାମ ଚଞ୍ଚଲ ଲାହୋରୀ ଓ ବୟସ ୪୧ ବର୍ଷ। ପଶ୍ଚିମବଙ୍ଗ ସୋନାରପୁରରେ ତାଙ୍କ ଘର।
ଜିଲାପାଳ ସୟଦ ୱାକର କହିଛନ୍ତି ଯେ ଯାଦୁଗର ଚଞ୍ଚଲ ଏକ କ୍ରେନ୍‍ ସାହାଯ୍ୟରେ ନଦୀରେ ପ୍ରବେଶ କରିଥିଲେ। ନଦୀ ଗର୍ଭରେ ଜଞ୍ଜିରରୁ ନିଜ ହାତ-ଗୋଡ଼ ଖୋଲି ବାହାରକୁ କିପରି ଆସିବ, ତାହା ସେ ସେ ଦର୍ଶକଙ୍କୁ ଦେଖାଇବାକୁ ଚାହୁଁଥିଲେ। ହେଲେ ଏପରି କିଛି ହୋଇନଥିଲା। ପୂର୍ବରୁ ଦୁଇ ଥର ସେ ଏପରି ଯାଦୁ ଦେଖାଇ ସାରିଛନ୍ତି। ୨୦୧୩ରେ ଯାଦୁ ଦେଖାଉଥିବାବେଳେ ସେ ଅତି ନିକଟରୁ ମୃତ୍ୟୁ ମୁଖରୁ ବଞ୍ଚିଥିଲେ। ସେ ଗଙ୍ଗା ନଦୀରେ ଯାଦୁ ଦେଖାଇବା ପାଇଁ ପୁଲିସ୍‍ ପ୍ରଶାସନର ଅନୁମତି ନେଇଥିଲା। ଏହାସତ୍ତ୍ବେ ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା।

Comments are closed.