ପ୍ରସ୍ତୁତି ନେଇ ବିଧାନସଭାରେ ଆଲୋଚନା ଦାବି

0

କଟକ : କ୍ୟାଲେଣ୍ଡରରେ ଆଉ ମାତ୍ର ୧୪ ଦିନ ପରେ ଆସି ପହଞ୍ଚିବ ଅକ୍ଟୋବର ୨ ତାରିଖ। ଅହିଂସାର ପୂଜାରୀ, ସତ୍ୟାନୁରାଗୀ, ସାବରମତୀର ସନ୍ଥ ମୋହନ ଦାସ କରମ୍ ଚାନ୍ଦ ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ସମାରୋହ। ଜାତିର ଜନକ, ଭାରତର ରାଷ୍ଟ୍ରପିତା, ମହାମାନବ ମହାତ୍ମା ଗାନ୍ଧୀଙ୍କର ଦେଢଶହ ବର୍ଷ ଜୟନ୍ତୀ ପାଳନ ଲାଗି ସାରା ଦେଶରେ ପ୍ରସ୍ତୁତି ପର୍ବ ଏବେ ଅନ୍ତିମ ସୋପାନରେ। ବର୍ଷ ତମାମ ଚାଲିବ ଗାନ୍ଧୀଜୀଙ୍କ ବିଷୟରେ ବିଭିନ୍ନ ଆଲୋଚନା, ଦୀକ୍ଷାନ୍ତ ଭାଷଣ, ଗାନ୍ଧୀଦର୍ଶକ ଓ ଚିନ୍ତନର ବ୍ୟାଖାନ। ଗାନ୍ଧିଜୀଙ୍କ ଜନ୍ମଦିନ ପାଳନ ଲାଗି ସମସ୍ତେ ଉତ୍ସବମୁଖର। କେନ୍ଦ୍ର ସରକାର ଏଥିପାଇଁ ପ୍ରସ୍ତୁତି ୨୦୧୭ରୁ ଆରମ୍ଭ କରି କମିଟି ଗଢିସାରିଛନ୍ତି। ବିଦେଶର ୯ ଜଣ ପ୍ରମୁଖ ଗାନ୍ଧୀ ଆଦର୍ଶବାଦୀଙ୍କୁ କମିଟିରେ ସାମିଲ କରାଯାଇଥିବାବେଳେ ଦେଶର ସମସ୍ତ ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଏଥିରେ ସାମିଲ କରାଯାଇଛି। ଅନୁରୂପ ଭାବେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀଙ୍କୁ ସ୍ବତନ୍ତ୍ର ଭାବେ ପାଳିବା ଲାଗି ପ୍ରସ୍ତୁତି ଚୂଡାନ୍ତ କରିସାରିଛନ୍ତି। ଓଡ଼ିଶାରେ ବିଭିନ୍ନ ଗାନ୍ଧିବାଦୀ ସଂଗଠନ ମଧ୍ୟ ନିଜସ୍ବ ଢଙ୍ଗରେ ଏହି ମହୋତ୍ସବକୁ ପାଳନ କରିବା ଲାଗି ଜିଲା ଓ ବ୍ଲକ୍‌ ସ୍ତରରେ କମିଟିମାନ ଗଢିସାରିଛନ୍ତି। ଓଡ଼ିଶାରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପ୍ରଚେଷ୍ଟାରେ ମଧ୍ୟ ଏନେଇ ବିଶେଷ ପ୍ରସ୍ତୁତି ଚାଲିଛି ‘ଗାନ୍ଧୀ:୧୫୦’। ତେବେ ଓଡ଼ିଶା ସରକାର ଗାନ୍ଧିଜୀଙ୍କ ଏହି ଜୟନ୍ତୀ ପାଳନ ଲାଗି କି ପଦକ୍ଷେପ ତଥା ପ୍ରସ୍ତୁତି କରିଛନ୍ତି ତାହା ସ୍ପଷ୍ଟ ହୋଇପାରି ନଥିବା କହିଛି ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଅନୁଷ୍ଠାନ। ଏହି ପ୍ରସଙ୍ଗରେ ବିଧାନସଭାର ମୌସୁମୀ ଅଧିବେଶନରେ ବିଧାୟକମାନେ ସ୍ବତନ୍ତ୍ର ପ୍ରସଙ୍ଗ ଉଠାଇ ଆଲୋଚନା କରିବାକୁ ତଥା ଏନେଇ ରୂପରେଖ ପ୍ରସ୍ତୁତ କରିବାକୁ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ଡାଃ ବିଶ୍ବଜିତ୍ ରାୟ ଚିଠି ଲେଖି ଅନୁରୋଧ କରିଛନ୍ତି।
ଓଡ଼ିଶାରେ ଗାନ୍ଧିଜୀଙ୍କ ସ୍ମୃତି ବେଶ୍ ଜାଜ୍ଜୁଲ୍ୟମାନ। ସ୍ବାଧୀନତା ସଂଗ୍ରାମ କାଳରେ ଗାନ୍ଧିଜୀ ବିଭିନ୍ନ ସମୟରେ ଓଡ଼ିଶାକୁ ୮ଥର ଆସିଛନ୍ତି। ବିଭିନ୍ନ ସ୍ଥାନରେ ଜନସଭା କରିଛନ୍ତି। ଓଡ଼ିଶାବାସୀଙ୍କୁ ଦିଗ୍‌ଦର୍ଶନ ଦେଇଛନ୍ତି। ଶାନ୍ତି, ସଦ୍‌ଭାବନା, ଭାଇଚାରା ସ୍ଥାପନ କ୍ଷେତ୍ରରେ ଗାନ୍ଧୀ ଦର୍ଶନ ଆଗାମୀ ଦିନରେ ମଧ୍ୟ ରାଜ୍ୟକୁ ଏକ ରଚନାତ୍ମକ ଦିଗରେ ଅଗ୍ରଗତି କରାଇବାକୁ ଥିବାରୁ ଓଡ଼ିଶା ସରକାର ଏଥିପ୍ରତି ବିଭିନ୍ନ ଗାନ୍ଧିବାଦୀ ସଂଗଠନ ଜରିଆରେ କାର୍ଯ୍ୟକ୍ରମ କରିବାକୁ ବିଶ୍ବଜିତ୍ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଗତମାସରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ଏହି ଉତ୍ସବ ପାଳନ ସଂପର୍କରେ ଆଲୋଚନା କରିଥିଲେ।
ସବୁ ବ୍ଲକ୍‌ରେ ଗାନ୍ଧିଜୀଙ୍କ ଫଟୋଚିତ୍ର ସମ୍ବଳିତ ଭ୍ରାମ୍ୟମାଣ ପ୍ରଦର୍ଶନୀ, ଗାନ୍ଧିଜୀଙ୍କ ରଚନାବଳୀର ଓଡ଼ିଆ ଅନୁବାଦ, ପିଲାମାନଙ୍କୁ ଗାନ୍ଧିଜୀଙ୍କ ଜୀବନୀ ପୁସ୍ତକ ବଣ୍ଟନ, ଓଡ଼ିଶାରେ ଗାନ୍ଧୀ ପ୍ରତିଷ୍ଠାନର କାର୍ଯ୍ୟାଳୟ ପ୍ରତିଷ୍ଠା ଆଦି ପ୍ରସ୍ତାବ କାର୍ଯ୍ୟକାରୀ ଲାଗି ଆଲୋଚନା ହୋଇ ରାଜ୍ୟ ସରକାର ସମସ୍ତ ସହଯୋଗ ଓ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ତେବେ ଅଦ୍ୟାବଧି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କି ପଦକ୍ଷେପ ସରକାରୀ ସ୍ତରରେ ନିଆଯାଇଛି ଓ ଅକ୍ଟୋବର ୨ ତାରିଖଠାରୁ ବର୍ଷତମାମ କି କି କାର୍ଯ୍ୟକ୍ରମ ଚାଲିବ ସେଥିନେଇ ଦ୍ବନ୍ଦ୍ବରେ ରହିଛନ୍ତି ରାଜ୍ୟର କେତେକ ଗାନ୍ଧୀବାଦୀ ସଂଗଠନ। ତୁରନ୍ତ ଏନେଇ ବିଧାନସଭାରେ ଆଲୋଚନା କରାଯିବାକୁ ମଧ୍ୟ ବୁଦ୍ଧିଜୀବୀ ମହଲରୁ ଦାବି ଉଠିଛି।

Leave A Reply