ଲଘୁଚାପ ସମ୍ଭାବନା ନାହିଁ, ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିବ

0

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଧୀରେ ଧୀରେ ସକ୍ରିୟ ହେଉଥିବାବେଳେ ଏହା ରାଜ୍ୟର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେବାକୁ ଅନୁକୂଳ ସ୍ଥିତି ରହିଛି। ୪୮ ଘଣ୍ଟା ଭିତରେ ମୌସୁମି ରାଜ୍ୟର ସମସ୍ତ ଅଞ୍ଚଳକୁ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିହାରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟ୍ରଫ୍‍ ଲାଇନ୍‍ ଦୁର୍ବଳ ହେଉଛି। ତେଣୁ ଲଘୁଚାପର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳ ଏବଂ ଅନ୍ୟ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ। ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ି ଓ ଆନନ୍ଦପୁରରେ ସର୍ବାଧିକ ୫ ସେମି ଲେଖାଏଁ ବର୍ଷା ହୋଇଛି। ସେହିପରି କେନ୍ଦୁଝର, କନ୍ଧମାଳ, ଖୋର୍ଦ୍ଧା, ମୟୂରଭଞ୍ଜ, କଟକ, କୋରାପୁଟ, ଗଜପତି, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ବି ବର୍ଷା ହୋଇଛି। ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୬ ତାରିଖରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ୨୭ରେ ଉତ୍ତର ଓଡ଼ିଶା ସହିତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୨୮ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଭାରି ବର୍ଷାର ସମ୍ଭାବନା ରହିଛି। ବର୍ଷା ପ୍ରଭାବରେ ପ୍ରବଳ ତାତିରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। ତେବେ ଦିନବେଳା ଗୁଳୁଗୁଳି ଅନୁଭୂତ ହେଉଛି। ରବିବାର ସୋନପୁରରେ ସର୍ବାଧିକ ୩୮.୪ ତାପମାତ୍ରା ରେକର୍ଡ଼ କରାଯାଇଛି।

Leave A Reply