ଲଘୁଚାପ ସକ୍ରିୟ :୨୪ଘଣ୍ଟାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାବେଳେ ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ହରିୟାନା ଓ ପଞ୍ଚାବ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରରୁ ମୌସୁମି ଟ୍ରଫଲାଇନ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ତଥା ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ‌ ସକ୍ରିୟ ଥିବାବେଳେ ଏହାର ପ୍ରଭାବରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିଛି । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଏବଂ କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଲଘୁଚାପ ସକ୍ରିୟ ଥିବାରୁ ଏହାର ପ୍ରଭାବରେ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ଏହାଛଡ଼ା ବାଲେଶ୍ବର, ମୟୂରଭଞ୍ଜ, ଢ଼େଙ୍କାନାଳ, ଅନୁଗୋଳ, ବୌଦ୍ଧ, କଟକ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ବଲାଙ୍ଗୀର, ସୋନପୁର, ବରଗଡ଼ ଓ କନ୍ଧମାଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ୨୦ତାରିଖରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ବିଶେ‌ଷ କରି କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ଼, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ ଝାରସୁଗୁଡ଼ା ଆଦି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏସବୁ ଜିଲା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି ବୋଲି ପାଣିପାଗ ବିଭାଗ ବୁଲେଟିନରେ ସୂଚନା ଦିଆଯାଇଛି।
ଗତ ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୭୮.୨ମିମି ବର୍ଷା ହୋଇଥିବାବେଳେ ବାରିପଦାରେ ୬୩.୪, ହୀରାକୁଦରେ ୬୦.୭, ସମ୍ବଲପୁରରେ ୪୭, କଟକରେ ୩୯.୪, ତାଳଚେରରେ ୩୫, ଭୁବନେଶ୍ବର ଓ ଫୁଲବାଣୀରେ ୨୮, ଚାନ୍ଦବାଲିରେ ୨୧, ପାରାଦ୍ବୀପରେ ୨୭, ଅନୁଗୋଳରେ ୨୯, କେନ୍ଦୁଝରଗଡ଼ରେ ୨୫.୬, ସୁନ୍ଦରଗଡ଼ରେ ୨୫ ମିମି ବର୍ଷା ରେକର୍ଡ଼ କରାଯାଇଛି। ଆସନ୍ତାକାଲି ୯ଟି ଜିଲାରେ ପ୍ରବଳ ବର୍ଷା ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ୭ଟି ଜିଲାରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନ ମିଳିଛି।

Comments are closed.