ପୁଣି ଆସୁଛି ଲଘୁଚାପ, ୩୧ରୁ ବଢ଼ିବ ବର୍ଷା

0

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୩୩ମିମି ବର୍ଷା ହୋଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ନେଇ କୌଣସି ସତର୍କ ସୂଚନା ନଥିଲେ ହେଁ ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନ ଦିଆଯାଇଛି।
ମଙ୍ଗଳବାର ଠରୁ ୩୦ତାରିଖ ମଧ୍ୟରେ ରାଜ୍ୟରେ ବଡ଼ ଧରଣର ବର୍ଷାର ସମ୍ଭାବନା ନଥିଲେ ମଧ୍ୟ ପଛକୁ ପଛ ଆଉ ଏକ ଲଘୁଚାପ ଆସୁଥିବା ଜଣାପଡ଼ିଛି। ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମି ସକ୍ରିୟ ହେବା ସହିତ ଆସନ୍ତା ସେପ୍ଟେମ୍ବର ପହିଲାରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହାଫଳରେ ଆସନ୍ତା ୩୧ତାରିଖଠାରୁ ରାଜ୍ୟରେ ବର୍ଷା ପ୍ରଭାବ ପୁଣି ବଢ଼ିବ ଏବଂ ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ଲଘୁଚାପ ସକ୍ରିୟ ଥିବା କାରଣରୁ ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡିର କଲମପୁର ବ୍ଲକରେ ସର୍ବାଧିକ ୨୦୬ମିମି ବର୍ଷା ହୋଇଥିବାବେଳେ ଭବାନିପାଟଣାରେ ୧୬୩, ବରଗଡ଼ର ଝାରବନ୍ଧରେ ୧୯୫, ବଲାଙ୍ଗିରର ଗୁଡ଼ଭେଲ୍ଲାରେ ୧୭୩ମିମି ବର୍ଷା ରେକର୍ଡ଼ କରାଯାଇଛି।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ୨୪ଘଣ୍ଟାର ବର୍ଷାରେ ରାଜ୍ୟର ୨ଟି ଜିଲାରେ ହାରାହାରି ୧୦୦ମିମିରୁ ଅଧିକ ବର୍ଷିଛି । କଳାହାଣ୍ଡିରେ ୧୪୭ ଓ ନୂଆପଡ଼ାରେ ୧୦୯ମିମି ବର୍ଷା ହୋଇଥିବାବେଳେ ତିନିଟି ଜିଲାରେ ୫୦ରୁ ୧୦୦ମିମି ବର୍ଷା ହୋଇଛି। କଲମପୁର ବ୍ଲକରେ ୨୦୦ମିମି ଟପିଯାଇଥିବାବେଳେ ୨୧ଟି ବ୍ଲକରେ ୧୦୦ରୁ ୨୦୦ମିମି ମଧ୍ୟରେ ବର୍ଷା ହୋଇଛି। ଏଥିସହିତ ରାଜ୍ୟର ବୃଷ୍ଟିପାତ ଏ ପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୧୧.୭ପ୍ରତିଶତ ଅଧିକ ରହିଛି। ୯ଟି ଜିଲାରେ ବଳକା ଓ ୨୧ଟି ଜିଲାରେ ସ୍ୱାଭାବିକ ବୃଷ୍ଟି ହୋଇଛି।
ରାଜ୍ୟର ୧୦୨ଟି ବ୍ଲକରେ ବଳକା, ୧୮୦ଟି ବ୍ଲକରେ ସ୍ୱାଭାବିକ, ୨୫ଟି ବ୍ଲକରେ ନିଅଣ୍ଟ ଓ ୭ଟି ବ୍ଲକରେ ଅତି ନିଅଣ୍ଟ ବର୍ଷା ହୋଇଛି। ବଂଶଧାରା ନଦୀ କାଶୀପୁରଠାରୁ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ତେବେ ଗୁଣୁପୁରଠାରୁ ନଦୀର ଜଳସ୍ତର ବିପଦସଙ୍କେତ ତଳେ ରହିଛି। ରାଜ୍ୟର ସମସ୍ତ ପ୍ରମୁଖ ନଦୀଗୁଡିକ ବିପଦସଙ୍କେତ ତଳେ ପ୍ରବାହିତ ହେଉଥିବାରୁ ରାଜ୍ୟରେ ବନ୍ୟା ଆଶଙ୍କା ନଥିବା କୁହାଯାଇଛି।

Leave A Reply