ମେଣ୍ଟ ଗଠନ ପରେ ବିଜେପି ଭୟଭୀତ : ଅଖିଳେଶ

0

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ର୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମେଣ୍ଟ ଗଠନର ଦିନକ ପରେ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ମେଣ୍ଟ ଗଠନ ପରେ ବିଜେପି ଭୟଭୀତ ହେବା ସହିତ ପରାଜୟ ନେଇ ମନରେ ନିରାଶା ଦେଖାଦେଇଛି। ଉତ୍ତରପ୍ରଦେଶରେ ବିଜେପିର ବିଜୟ ସମ୍ଭାବନା କ୍ଷୀଣ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସେ ତାଚ୍ଛଲ୍ୟ କରିଛନ୍ତି। ନରେନ୍ଦ୍ର ମୋଦୀଙ୍କ ସ୍ଲୋଗାନ ଥିଲା- ‘ମୋ ପୁଲିଂ ବୁଥ୍‍, ସବୁଠୁ ଶକ୍ତିଶାଳୀ’। ଏହା ଏବେ ବିପରୀତ ଦିଗରେ ଗତି କରୁଛି। ମହାମେଣ୍ଟ ନିଶ୍ଚିତ ଭାବେ ବିଜେପିକୁ ହରାଇବ। ଫୁଲପୁର, ଗୋରଖପୁର ଏବଂ କାଇରାନା ଉପ-ନିର୍ବାଚନରେ ବିଜେପି ଯେପରି ପରାଜୟର ସ୍ୱାଦ ଚାଖିଥିଲା, ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ସେଇ ଦଶା ଭୋଗିବାକୁ ପଡ଼ିବ ବୋଲି ଅଖିଳେଶ କହିଛନ୍ତି। ସେହିପରି ବିଏସ୍‍ପି ସୁପ୍ରିମୋ ମାୟବତୀ ମଧ୍ୟ କଂଗ୍ରେସ ସହିତ କାହିଁକି ମେଣ୍ଟ କରିବାଠୁ ଦୂରେଇ ରହିଲେ ସେ ନେଇ ମତ ରଖିଛନ୍ତି। ସେ କହିଛନ୍ତି, ଦୀର୍ଘ ବର୍ଷ ଧରି କଂଗ୍ରେସ ଶାସନରେ ରହିବାବେଳେ ଦାରିଦ୍ର୍ୟ, ବେକାରୀ ଏବଂ ବିଭିନ୍ନ ସମୟରେ ଭିନ୍ନଭିନ୍ନ ଦୁର୍ନୀତିରେ ଜଡ଼ିତ। କଂଗ୍ରେସ ସହିତ ମେଣ୍ଟ କରିଥିଲେ ଦଳର କିଛି ଫାଇଦା ହୋଇ ନ ଥାନ୍ତା। ଉଭୟ କଂଗ୍ରେସ ଓ ବିଜେପି ଉପରେ ରାଫେଲ ଏବଂ ବୋଫର୍ସ ଦୁର୍ନୀତି ନେଇ ତାଚ୍ଛଲ୍ୟ କରିଥିଲେ। ଅତୀତରେ କଂଗ୍ରେସ ସହିତ ମେଣ୍ଟ କରି ଦଳ କ୍ଷତି ସହିଥିଲା। ଦଳୀୟ ଭୋଟ କଂଗ୍ରେସକୁ ଯେତେ ଯାଇଥିଲା, କଂଗ୍ରେସର ସେତିକି ଭୋଟ ବିଏସ୍‍ପିକୁ ଆସି ନ ଥିଲା। ସେଥିପାଇଁ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରିବାକୁ ନିଷ୍ପତ୍ତି ନିଆଗଲା ବୋଲି କହିଛନ୍ତି।

Leave A Reply