ପାରାଦୀପରୁ ୫ ଲୁଟେରା ଗିରଫ ; ଲ୍ୟାପଟପ, ଫୋନ, ଅଳଙ୍କାର ଓ ଅଫୁଟା ଗୁଳି

ପାରାଦୀପ :  ପାରାଦୀପ ପୁଲିସ ୫ଜଣ ଲୁଟେରାଙ୍କୁ ଗିରଫ କରିଛି ।  ଲୁଟ, ରାହାଜାନୀ ପାଇଁ ଉଦ୍ୟମ କରୁଥିବା ବେଳେ ଚଢ଼ାଉ କରି ପୁଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ, ଗୋଟିଏ ଲ୍ୟାପଟପ, ୬ଟି ମୋବାଇଲ ଫୋନ, ୪୭ଗ୍ରାମର ସୁନା ଅଳଙ୍କାର, ଦୁଇ ରାଉଣ୍ଡ ଅଫୁଟା ଗୁଳି ,କଟୁରୀ ଓ ଲୁହା ରଡ, ଲଙ୍କା ଗୁଣ୍ଡ ଆଦି ସାମଗ୍ରୀ ଜବତ କରିଛି । ଗତ କିଛି ଦିନ ତଳେ ଏରସମା ଓ ତିର୍ତୋଲ ଥାନା ଅଞ୍ଚଳରେ ଦୁଇ ଜଣ ମହିଳା ଶିକ୍ଷୟତ୍ରୀ ସ୍କୁଟିରେ ଯାଉଥିବା ବେଳେ ଏହି ଲୁଟେରା ମାନେ ସେମାନଙ୍କ ଠାରୁ ସୁନା ଗହଣା ଓ ଟଙ୍କା ଲୁଟ କରିଥିଲେ। ଏ ନେଇ ଦୁଇଟି ଥାନାରେ ପୃଥକ ପୃଥକ ଭାବେ ଏତଲା ହେବା ପରେ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ତେବେ ଶନିବାର ବିଳମ୍ବିତ ରାତିରେ ପାରାଦୀପ ଲକ୍ ଥାନା ଅନ୍ତର୍ଗତ ରଙ୍ଗିଆଗଡ ପୋଲ ନିକଟରେ ଏହି ଲୁଟେରା ଗ୍ୟାଙ୍ଗ ଡକାୟତି କିମ୍ବା ରାହାଜାନୀ ପାଇଁ ଯୋଜନା  କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିଲା । ସେମାନଙ୍କ ଠାରୁ ଏସବୁ ସାମଗ୍ରୀ, ମାରଣାସ୍ତ୍ର ଓ ବାଇକ ଜବତ କରାଯାଇଛି। ଏହି ଲୁଟେରା ମାନେ ସ୍ଥାନୀୟ ପାରାଦୀପ ଓ କୁଜଙ୍ଗ ଥାନା ଅଞ୍ଚଳର। ଏମାନଙ୍କ ନାମରେ ପାରାଦୀପ, କୁଜଙ୍ଗ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ୧୨ଟି ମାମଲା ରହିଛି। ଆଜି ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Comments are closed.