ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ ଅଭିଯୋଗ

ମୁଖିଗୁଡ଼ା : ଜୟପାଟଣା ଥାନା ଅନ୍ତର୍ଗତ ଖଇରମାଲ ହାତୀ ନଦୀ ବ୍ରିଜ୍‍ ନିକଟରୁ ସୋମବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଶନିବାର ରାତିରେ ଜୟପାଟଣା ଥାନା ଅନ୍ତର୍ଗତ ଧନଶୁଲି ଗ୍ରାମର ସରତ ସାହୁଙ୍କ ଘରେ ସଶସ୍ତ୍ର ଡ଼କାୟିତି କରାଯାଇ ଲକ୍ଷ୍ୟାଧିକ ଟଙ୍କା ଏବଂ ସୁନା ଅଳଙ୍କାର ଡ଼କାୟତମାନେ ଲୁଟି ନେଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି।
ସୋମବାର ପ୍ରାୟ ୪ଟା ବେଳେ କଲମପୁର ବ୍ଳକ୍‍ ର ପୂର୍ବତନ ଅଧ୍ୟକ୍ଷ ବିପିନ୍‍ ପ୍ରଧାନୀ ଏକ ବାଇକରେ ନିଜ ସ୍ତ୍ରୀ ଏବଂ ଶାଳି ସହ ଜୟପାଟଣାରୁ ନିଜ ଗ୍ରାମ ପାତ୍ରବସା ଯାଉଥିବା ବେଳେ ଜୟପାଟଣା ତାଳଗୁଡ଼ ପ୍ରଧାନମନ୍ତ୍ରୀ ସଡ଼କ ଖଇରମାଲ ହାତୀନଦୀ ପୋଲ ନିକଟରେ ଏକ ମୋଟର ସାଇକେଲରେ କଳା ଜ୍ୟାକେଟ୍‍ ଏବଂ ମୁଖା ପିନ୍ଧିଥିବା ତିନି ଜଣ ଯୁବକ ସେମାନଙ୍କୁ ଅଟକାଇ ଛୁରୀ ଦେଖାଇ ଶ୍ରୀ ପ୍ରଧାନୀଙ୍କ ସ୍ତ୍ରୀଙ୍କ ନିକଟରୁ ମଙ୍ଗଳସୁତ୍ର, ସୁନା ଅଳଙ୍କାର ଏବଂ ଶ୍ରୀ ପ୍ରଧାନୀଙ୍କ ପକେଟ୍‍ ରୁ ୨୫୦୦ ଟଙ୍କା ନେଇ ବାଇକରେ ଫେରାର ହୋଇ ଯାଇଥିଲେ। ଏ ନେଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଛି।
ସେହିପରି ଗତ ଶନିବାର ରାତ୍ର ପ୍ରାୟ ୧୨.୩୦ବେଳେ ଜୟପାଟଣା ଥାନା ଅନ୍ତର୍ଗତ ଧନଶୁଳି ଗ୍ରାମର ସରତ ସାହୁଙ୍କ ଘରକୁ ୧୨ ରୁ ୧୫ ଜଣ ମୁଖା ପିନ୍ଧିଥିବା ବ୍ୟକ୍ତି ପଶି ଘରେ ଭଙ୍ଗାରୁଜା କରିବା ସହ ସରତଙ୍କ ବାପା ବାସୁଦେବ ସାହୁଙ୍କୁ ମାଡ଼ ମାରିଥିଲେ ଏବଂ ସରତଙ୍କ ମାଙ୍କୁ ଭୁଜାଲି ଦେଖାଇ ଟିଣ ବାକ୍ସ୍‍ରେ ଥିବା ଦୁଇ ଲକ୍ଷ ଚାଳିଶ ହଜାର ଟଙ୍କା ଏବଂ ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଜୟପାଟଣା ଥାନାରେ ଅଭିଯୋଗ ପରେ ରବିବାର ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ କରାଯାଇ ଥିଲେ ହେଁ ଡ଼କାୟିତିରେ ସଂପୃକ୍ତ ବ୍ୟକ୍ତିଙ୍କ ସନ୍ଧାନ ମିଳିନାହିଁ। ଗତ ତିନି ଦିନ ମଧ୍ୟରେ ଜୟପାଟଣା ଥାନା ଅଧିନରେ ହୋଇଥିବା ଡ଼କାୟିତି ଏବଂ ଲୁଟ୍‍ ଘଟଣାକୁ ନେଇ ସାଧାରଣ ଜନତା ସୁରକ୍ଷିତ ମଣୁ ନାହାନ୍ତି।

Comments are closed.