ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି

ବଲାଣି: ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ତାଲା ଭାଙ୍ଗି ହୁଣ୍ଡିରୁ ଟଙ୍କା ଚୋରି ଘଟଣା ବୁଧବାର ସାମ୍ନାକୁ ଆସିଛି। ଘଟଣା ଘଟିଛି କେନ୍ଦୁଝର ଜିଲା ବଲାଣି ଥାନା ଅନ୍ତର୍ଗତ ବଲାଣିଠାରେ। ପ୍ରଥମ ଚୋରି ଶାନ୍ତିନଗର ସ୍ଥିତ ହନୁମାନ ମନ୍ଦିରରେ ହୋଇଛି। ଯେଉଁଠି ମଙ୍ଗଳବାର ରାତି କେହି ଦୃର୍ବୃତ୍ତ ମନ୍ଦିରର ମୁଖ୍ୟ ଫାଟକର ତାଲା ଭାଙ୍ଗି ମନ୍ଦିରରେ ପ୍ରବେଶ କରିବା ସହିତ ଗର୍ଭଗୃହର ଗ୍ରିଲରେ ଲାଗି ଥିବା ତାଲାକୁ ତାଡି ଭିତରେ ଥିବା ଦାନ ପେଟିର ତାଲା ଭାଙ୍ଗି ନଗଦ ପ୍ରାୟ ୧୦ ହଜାର ଟଙ୍କା ଚୋରି କରିନେଇଛନ୍ତି । ଆଜି ଭୋର ସମୟରେ ମନ୍ଦିରର ପୂଜକ ପୂଜା କରିବାକୁ ଆସିବା ପରେ ତାଲା ଭଙ୍ଗା ଯାଇଥିବା ସହିତ ମନ୍ଦିର ଭିତରେ ଥିବା ହୁଣ୍ଡିଟି ଭଙ୍ଗା ଅବସ୍ଥାରେ ମନ୍ଦିର ପ୍ରାଙ୍ଗଣରେ ଥିବା ଅଷ୍ଟପ୍ରହରି ବେଢା ନିକଟରେ ପଡିଥିବାର ପାଇଥିଲେ। ଏ ନେଇ ସେ ମନ୍ଦିର କମିଟିକୁ ଜଣାଇବା ପରେ ମନ୍ଦିର କମିଟି ପୁଲିସକୁ ଖବର ଦେଇଥିଲେ।

ସେହିପରି ଅନ୍ୟ ଘଟଣାଟି ଘଟିଛି ସେଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ବିଷ୍ଣୁ ଓ ଜଗନ୍ନାଥ ମନ୍ଦିରରେ। ସେଠାରୁ ମଧ୍ୟ ତାଲା ଭାଙ୍ଗି ୫ଟି ହୁଣ୍ଡିରୁ ଟଙ୍କା ଚୋରି ହୋଇଛି। ସେଠାରୁ କେତେ ଟଙ୍କା ଚୋରି ହୋଇଛି ସେ ନେଇ ସଠିକ ତଥ୍ୟ ମିଳି ପାରିନାହିଁ। ତେବେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜରେ ଦୁଇ ଜଣ ନାବାଳକ ଏହି ଚୋରି କରୁଥିବାର ଦେଖା ଯାଉଛି। ବଲାଣି ପୁଲିସ ଉଭୟ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବରୁ ଅନେକ ଥର ଏହି ଥାନା କ୍ଷେତ୍ରର ବିଭିନ୍ନ ମନ୍ଦିରରୁ ଚୋରି ହୋଇ ଆସୁଥିବା ବେଳେ ବଲାଣି ପୁଲିସ ସମ୍ପୃକ୍ତ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି। ବାରମ୍ବାର ଦେବାଳୟକୁ ଅପରାଧୀ ଟାର୍ଗେଟ କରୁଥିବା ବେଳେ ବଲାଣି ପୁଲିସର ନିଷ୍କ୍ରିୟତା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖା ଦେବା ସହିତ ଏହି ଚୋରିରେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବାକୁ ଦାବି ହେଉଛି।

Comments are closed.