ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୩୪୦ ଦାଗୀ ପ୍ରାର୍ଥୀ, ୩୨୯ କୋଟିପତି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୧୪ ରାଜ୍ୟର ୧୧୬ ଲୋକସଭା ଆସନ ପାଇଁ ୩୪୦ ଜଣ ଅର୍ଥାତ ୨୧% ଦାଗୀ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏହି ପ୍ରାର୍ଥୀଙ୍କ ବିରୋଧରେ ଏକ ଓ ଏକାଧିକ ଅପରାଧିକ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ୨୩୦ ଜଣ ଅର୍ଥାତ ୧୪% ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି।
ତୃତୀୟ ପ୍ରର୍ଯ୍ୟାୟରେ ୩୯୨ ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି। ଏଡିଆର ତୃତୀୟ ପ୍ରର୍ଯ୍ୟାୟ ନିର୍ବାଚନରେ ଲଢୁଥିବା ୧୬୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୯୪ ଜଣ ପ୍ରାର୍ଥୀଙ୍କ ସତ୍ୟପାଠକୁ ବିଶ୍ଲେଷଣ କରି ଏହି ରିପୋର୍ଟ ପ୍ରକାଶ କରିଛି। ତୃତୀୟ ପର୍ଯ୍ୟାୟରେ ଅପ୍ରେଲ ୨୩ରେ ମତଦାନ ଗ୍ରହଣ କରାଯିବ।

ଦାଗୀ ପ୍ରାର୍ଥୀଙ୍କ ମଧ୍ୟରୁ ୨୯ ପ୍ରାର୍ଥୀଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲା ରହିଛି। ସେମାନଙ୍କ ବିରୋଧରେ ବଳାତ୍କାର, ଯୌନ ଉତ୍ପୀଡ଼ନ ଏବଂ ମହିଳାଙ୍କ ପ୍ରତି କ୍ରୁରତା ଭଳି ଅଭିଯୋଗ ରହିଛି। ୧୪ ପ୍ରାର୍ଥୀ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସତ୍ୟପାଠରେ ସ୍ୱୀକାର କରିଛନ୍ତି। ୧୩ ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ମାମଲା ରହିଥିବାବେଳେ ୩୦ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଛି। ୨୬ ପ୍ରାର୍ଥୀଙ୍କ ବିରୋଧରେ ଉତ୍ତେଜକ ଓ ଘୃଣା ଭାଷଣ ଦେବାର ଅଭିଯୋଗ ରହିଛି। ବିଜେପିର ୯୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୮ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସେହିପରି କଂଗ୍ରେସର ୯୦ ପ୍ରାର୍ଥୀଙ୍କ ମଧ୍ୟରୁ ୪୦ ଜଣ, ବିଏସ୍‍ପିର ୯୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ, ସିପିଆଇର ୧୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ, ଶିବସେନାର ୨୨ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ, ଏସ୍‍ପିର ୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ, ଟିଏମସିର ୯ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।
୧୫୯୪ ପ୍ରାର୍ଥୀଙ୍କ ମଧ୍ୟରୁ ୩୯୨ ଜଣ ଅର୍ଥାତ ୨୫% ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟିରୁ ଅଧିକ ରହିଛି। କଂଗ୍ରେସର ୯୦ ପ୍ରାର୍ଥୀଙ୍କ ମଧ୍ୟରୁ ୭୪ ଜଣ, ବିଜେପିର ୯୭ ପ୍ରାର୍ଥୀଙ୍କ ମଧ୍ୟରୁ ୮୧ ଜଣ, ଏସ୍‍ପିର ୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୯ ଜଣ, ବିଏସ୍‍ପିର ୧୨ ପ୍ରାର୍ଥୀ ଏବଂ ଶିବସେନାର ୭ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟିରୁ ଅଧିକ ରହିଛି।

Comments are closed.