ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ ରେ ବ୍ୟାପକ ଦୁର୍ନୀତି : ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା: ଲୋଇସିଂହା ବ୍ଳକ ଅର୍ନ୍ତଗତ ବୁଢୀପଦର ପଞ୍ଚାୟତ ର ଘୁଷୁରାମୁଣ୍ଡା ପ୍ରାଥମିକ ସ୍କୁଲ ରେ ଗୃହ ନିର୍ମାଣ ପାଇଁ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହେଉଥିବା ବେଳେ ଉକ୍ତ ସ୍କୁଲ ପରିଚାଳନାରେ ବହୁ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। ଉକ୍ତ ସ୍କୁଲ ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ୬୦ ରୁ ଉର୍ଦ୍ଧ୍ୱ ପିଲା ପାଠ ପଢୁଥିବା ବେଳେ ଶିକ୍ଷକ ରହିଛନ୍ତି ମାତ୍ର ୩ ଜଣ। ଶ୍ରେଣୀ କୋଠରୀ ୨ ଟିର କାନ୍ଥ ରେ ଫାଟ ସୃଷ୍ଟି ହୋଇ ବିପଦ ଶଙ୍କୁଳ ଅବସ୍ଥାରେ ରହିଥିବା ବେଳେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ୨ଟି ଅତିରିକ୍ତ ଶ୍ରେଣୀ କୋଠରୀ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଗୋଟିଏ କୋଠରୀ ଅସଂପୂର୍ଣ୍ଣ ଅବସ୍ଥାରେ ପଡି ରହିଛି। ଅନ୍ୟ କୋଠରୀ ଟି ନିମ୍ନ ମାନର କାମ ଯୋଗୁଁ ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ମାଣ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଦୁଇମାସ ହେବ ଅବସର ନେଇସାରିଛନ୍ତି। ତାଙ୍କୁୁ ଶ୍ରେଣା ଗୃହ ନିର୍ମାଣ ପାଇଁ କେତେ ଅର୍ଥ ଅନୁଦାନ ଆସିଛି ସେ ବିଷୟରେ ପଚାରିବାରେ ସେ କେତେ ଅର୍ଥ ଅନୁଦାନ ଆସିଛି ଏବଂ କାମ କେବେ ଆରମ୍ଭ ହୋଇ କେବେ ସରିବା କଥା ତାହାର କୌଣସି ଉତ୍ତର ଦେଇ ପାରୁ ନାହାନ୍ତି।କାମ ଆରମ୍ଭ ପୂର୍ବରୁ ସୂଚନା ସ୍ତମ୍ଭ ମଧ୍ୟ ଲଗା ଯାଇ ନ ଥିବା ସେ ସ୍ୱୀକାର କରିଛନ୍ତି। ଗତ ପ୍ରାୟ ୨ ମାସ ତଳେ ପଲସ୍ତରା ହୋଇଥିବା ନବ ନିର୍ମିତ ଶ୍ରେଣୀ କୋଠରୀ ରୁ ସିମେଣ୍ଟ ଉଠି ଯାଇ ଖାଲ ହେଇଥିବା ଯୋଗୁଁ ନିମ୍ନ ମାନର କାମ କରାଯାଇ ପ୍ରଚୁର ଅର୍ଥ ଆତ୍ମସାତ ହୋଇଥିବା ନେଇ ଗ୍ରାମବାସୀ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ବ୍ୟତୀତ ବର୍ତ୍ତମାନ ସୁଦ୍ଧା ଏଠାରେ ରୋଷେଇ ଘର ନିର୍ମାଣ ହୋଇ ନ ଥିବା ବେଳେ ଉକ୍ତ ସ୍କୁଲ ର ପାଇଖାନ ନିର୍ମାଣ ପାଇଁ ଯୋଗାଇ ଦିଆଯାଇଥିବା ଲକ୍ଷାଧିକ ଟଙ୍କା ବାଟ ମରଣା ହୋଇଥିବା ଯୋଗୁଁ ଏଠାରେ ପାଇଖାନା ବ୍ୟବହାର ଯୋଗ୍ୟ ହୋଇ ରହି ନାହିଁ ବୋଲି ନିଜେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି। ବାରମ୍ବାର ଅଭିଯୋଗ ଆସିବା ପରେ ମଧ୍ୟ ଉପଯୁକ୍ତ ତଦନ୍ତ କରାଯାଇ ଦୃଢ କାର୍ୟ୍ୟନୁଷ୍ଠାନ ହେଉ ନ ଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।।

Comments are closed.