ହକି ମ୍ୟାଚ ଚାଲିଥିବା ବେଳେ ବଜ୍ରପାତରେ ୩ ଜଣଙ୍କର ମୃତ୍ୟୁ, ୩ ଗୁରୁତର

0

ସୁନ୍ଦରଗଡ: : ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ଶାଗବାହାଲ ରାଜୀବ ଗାନ୍ଧୀ ଖେଳ ପଡ଼ିଆରେ ଏକ ହକି ମ୍ୟାଚ ଚାଲିଥିବା ବେଳେ ହଠାତ ଘଡ଼ଘଡ଼ି ସହ ବର୍ଷା ହେବାରୁ  ଏକ ଅଘଟଣ ଘଟିଛି । ବର୍ଷା ହେବାରୁ ଦର୍ଶକ ସମେତ ହକି ଖେଳାଳୀମାନେ ଯେ ଯୁଆଡ଼େ ଦୌଡ଼ି ପଳାଇଥିବା ବେଳେ ଆୟୋଜକ ଗୋଷ୍ଠୀର କିଛି ସଦସ୍ୟ ଓ ଅନ୍ୟମାନେ ପଡ଼ିଆ ନିକଟରେ ଥିବା ଏକ ଗଛ ମୂଳେ ଆଶ୍ରୟ ନେଇଥିଲେ ମାତ୍ର ହଠାତ ଏହି ଗଛ ଉପରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଥିଲା । ହେଲେ ଏମାନଙ୍କ ମଧ୍ୟରୁ ଅନ୍ୟ ଜଣେ ମୃତ୍ୟୁବରଣ କରିଥିଲେ। ମୃତକମାନଙ୍କ ମଧ୍ୟରେ ଗୋଟିଏ ପରିବାରର ଦୁଇ ଜଣ ଭାଇ ଅଛନ୍ତି । ମୃତ୍ୟୁବରଣ କରିଥିବା ଦୁଇ ଭାଇ ସୁମନ୍ତ ଗୌଡ଼(୨୯) ଓ ସୁଶାନ୍ତ ଗୌଡ଼(୨୦) ହୋଇଥିବା ବେଳେ ଅନ୍ୟ ଜଣେ ରବି ନାରାୟଣ ତନ୍ତୀ(୨୫)  । ଆହତଙ୍କ ମଧ୍ୟରେ ଜହରୁ ତନ୍ତୀ, ମହେଶ୍ୱର ତନ୍ତୀ, ମନୋଜ ଲାକ୍ରା ସୁନ୍ଦରଗଡ଼ ସଦର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏମାନଙ୍କ ଅବସ୍ଥା ଠିକ ଅଛି ବୋଲି ଚିକିତ୍ସା କରୁଥିବା ଡ଼ାକ୍ତର ସୂଚନା ଦେଇଛନ୍ତି । ଉକ୍ତ ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ସେଠାରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଛି । ତଳସରା ପୁଲିସ ସୁନ୍ଦରଗଡ଼ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବକୁ ମର୍ଗ ହାଉସରେ ସଂରକ୍ଷିତ ରଖିଥିବାର ଜଣାପଡ଼ିଛି ।

Leave A Reply