ସୀମାନ୍ତବାସୀଙ୍କ ଜୀବନ; ଯୁଦ୍ଧଠାରୁ କମ୍‌ ନୁହେଁ

0

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ଲାଗି ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟସ୍ଥିତ ଜୈଶ ଆତଙ୍କବାଦୀ ଶିବିରରେ ଭାରତୀୟ ବାୟୁସେନା ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଫେବୃୟାରୀ ୨୮ରେ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିବା ପରେ ଉତ୍ତେଜନା ହ୍ରାସ ପାଇଛି।

ତେବେ ଗୋଟିଏ ପଟେ ପାକିସ୍ତାନ ଅଭିନନ୍ଦନଙ୍କୁ ୱାଘା ସୀମାରେ ଭାରତକୁ ହସ୍ତାନ୍ତର କରୁଥିବାବେଳେ ଅନ୍ୟପଟେ ସେହି ସମୟରେ ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିବର୍ଷା କରୁଥିଲା। ଏଥିରେ ଜଣେ ମହିଳା ଏବଂ ତାଙ୍କର ୨ ଶିଶୁ ପ୍ରାଣ ହରାଇଥିଲେ। ସୀମାନ୍ତବାସୀଙ୍କ ଏହି ସମସ୍ୟା ନୂଆକଥା ନୁହେଁ। ଆଗରୁ ପରିସ୍ଥିତି ଯେପରି ଥିଲା ଏବେ ମଧ୍ୟ ସେପରି ରହିଛି। ବର୍ଷ ବର୍ଷ ଧରି ପାକିସ୍ତାନ ସୀମାନ୍ତରେ ଏଭଳି ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି। ସୀମାନ୍ତବାସୀଙ୍କ ଜୀବନ ଅତ୍ୟନ୍ତ ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛି। ସେମାନେ ନିଜ ଜୀବନ ପାଇଁ ଯେଉଁଭଳି ସଂଗ୍ରାମ କରୁଛନ୍ତି, ତାହା କୌଣସି ଯୁଦ୍ଧଠାରୁ କମ୍‌ ନୁହେଁ ବୋଲି ମତ ଦିଅନ୍ତି ସୀମାନ୍ତବାସୀ। ପାକ୍‌ ପଟୁ ଗୁଳି ଏବଂ ମୋର୍ଟାର ମାଡ଼ ଯୋଗୁ ବର୍ଷର ଅଧିକାଂଶ ସମୟ ସେମାନେ ଘରଦ୍ବାର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଉଛନ୍ତି, ନଚେତ ଜୀବନ ହରାଇବାକୁ ପଡ଼ୁଛି।

‘ନିଆଁ ଧାରରେ ଛିଡ଼ା ହୋଇଛୁ’

ଜଣେ ସୀମାନ୍ତବାସୀ ହେଉଛନ୍ତି ତାରସେମ ସିଂହ। ପଞ୍ଜାବର ଡେରା ବାବା ନାନକ ଅଞ୍ଚଳରେ ସେ ରହୁନ୍ତି। ପାକିସ୍ତାନର ଗୁରୁଦ୍ବାରା କର୍ତ୍ତାରପୁର ଶାହିବ ନିକଟ ଅନ୍ତର୍ଜାତୀୟ ସୀମାଠାରୁ ମାତ୍ର ୧.୫ କିଲୋମିଟର ଦୂରରେ ତାଙ୍କ ଘର। କୃଷି ତାଙ୍କର ମୁଖ୍ୟ ଜୀବିକା। ତାରସେମ କୁହନ୍ତି, ତାଙ୍କୁ ଏବେ ୬୩ ବର୍ଷ। ୧୯୭୧ ଯୁଦ୍ଧ ସମୟରେ ସେ କିଶୋର ଅବସ୍ଥାରେ ଥିଲେ। ସେତେବେଳେ ଯୁଦ୍ଧ ହେବ ବୋଲି ସେ ଭାବି ନ ଥିଲେ। କିନ୍ତୁ ଯେତେବେଳେ ଜାଣିଲେ ଯୁଦ୍ଧ ଆରମ୍ଭ ହୋଇଯାଇଛି, ସେତେବେଳେ ସେ ଉପାୟଶୂନ୍ୟ ହୋଇ ପରିବାର ଲୋକଙ୍କୁ ଧରି ଘରାଛାଡ଼ି ୩୦ କିଲୋମିଟର ଦୂର ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲେ। ଯୁଦ୍ଧ ସରିଗଲା। କିନ୍ତୁ ସେବେଠାରୁ ପାକିସ୍ତାନ ସୀମାନ୍ତରେ ଲଗାତର ଭାବେ ଗୁଳିମାଡ଼ କରିଆସୁଛି। ଭାରତୀୟ ଯବାନ ଏହାର ଜବାବ ଦେଉଛନ୍ତି। ସୀମାନ୍ତରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଚାଲିଆସୁଛି। ଗୋଳାବାରୁଦ ବର୍ଷା ଲାଗି ରହୁଛି। ତାଙ୍କ ପରିବାର ଏବଂ ସୀମାନ୍ତ ନିକଟରେ ରହୁଥିବା ଲୋକେ ଏକପ୍ରକାର ନିଆଁର ଧାର ଉପରେ ଛିଡ଼ା ହୋଇଥିବା କହିଛନ୍ତି ତାରସେମ୍‌।

Image courtesy: Indian express
୪ ରାଜ୍ୟକୁ ଲାଗିରହିଛି ୩୩୨୩ କି.ମି.ର ସୀମାରେଖା

ସୀମାନ୍ତରେ ଭାରତ ଏବଂ ପାକିସ୍ତାନ ସୀମାର ଦୈର୍ଘ୍ୟ ୩୩୨୩ କିଲୋମିଟର। ଜାମ୍ମୁ-କାଶ୍ମୀରଠାରୁ ଗୁଜରାଟ ପର୍ଯ୍ୟନ୍ତ ଭାରତର ୪ ରାଜ୍ୟ ଅଧୀନରେ ଏହି ସୀମାରେଖା ଆସୁଛି। ଜାମ୍ମୁ-କାଶ୍ମୀରକୁ ୧୨୨୫ କିଲୋମିଟର ସୀମା ଲାଗିରହିଥିବାବେଳେ ରାଜସ୍ଥାନକୁ ୧୦୩୭ କିଲୋମିଟର, ପଞ୍ଜାବକୁ ୫୫୩ କିଲୋମିଟର ଏବଂ ଗୁଜରାଟକୁ ୫୦୮ କିଲୋମିଟର ଲାଗିରହିଛି। ମୋଟ ସୀମାରେଖାରୁ ୨୨୯୦ କି.ମି. ହେଉଛି ଅନ୍ତର୍ଜାତୀୟ ସୀମା, ଯାହାକୁ ବିଏସଏଫ ଯବାନମାନେ ଜଗିଛନ୍ତି।

Image courtesy: Ndtz
୪ବର୍ଷରେ ୩୩୮୦ ଯୁଦ୍ଧବିରତି ଉଲ୍ଲଂଘନ

ନିୟନ୍ତ୍ରଣ ରେଖାରେ କ୍ରମାଗତ ଭାବେ ଯୁଦ୍ଧବିରତି ଉଲ୍ଲଂଘନ ବୃଦ୍ଧି ପାଇଛି। ବିଶେଷକରି ଗତ ୪ବର୍ଷ ମଧ୍ୟରେ ନିୟନ୍ତ୍ରଣ ରେଖାରେ ୩୩୮୦ ଥର ଯୁଦ୍ଧବିରତି ଉଲ୍ଲଂଘନ କରିଛି ପାକ୍‌। ଇକୋନୋମିକ ଟାଇମ୍ସରେ ପ୍ରକାଶିତ ତଥୃ ଅନୁଯାୟୀ, ୨୦୧୫ରେ ୧୫୨ ଥର, ୨୦୧୬ରେ ୨୨୮, ୨୦୧୭ରେ ୮୬୦ ଏବଂ ୨୦୧୮ରେ ୨୧୪୦ ଥର ପାକ୍‌ ସେନା ଦ୍ବାରା ଯୁଦ୍ଧବିରତି ଉଲ୍ଲଂଘନ କରାଯାଇଛି।

ଯୁଦ୍ଧବିରତି ଚୁକ୍ତିକୁ ନେଇ ପ୍ରଶ୍ନ

ସୀମାରେ ଏଭଳି ସମସ୍ୟା ଯୋଗୁ ୨୦୦୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖାରେ ଯୁଦ୍ଧବିରତି ପାଇଁ ଏକ ଚୁକ୍ତି ହୋଇଥିଲା। ଏହାପରେ ୨୦୦୬ ପର୍ଯ୍ୟନ୍ତ ସବୁ ଠିକଠାକ ଥିଲା। କିନ୍ତୁ ଏହା ପରଠାରୁ ପାକ୍‌ ପକ୍ଷରୁ କ୍ରମଶଃ ଯୁଦ୍ଧବିରତି ଉଲ୍ଲଂଘନ ଜାରି ରହିଛି।

୫୩ ନାଗରିକଙ୍କ ଜୀବନ ଯାଇଛି, ୨୯୨ ଜଣ ଆହତ ହୋଇଛନ୍ତି

ପାକିସ୍ତାନ ସେନା ପକ୍ଷରୁ ଯୁଦ୍ଧବିରତି ଉଲ୍ଲଂଘନ ଏବଂ ସୀମାପାର ଗୁଳିମାଡ଼ ଯୋଗୁ ସୀମାନ୍ତରେ ବସବାସ କରୁଥିବା ସାଧାରଣ ଜନତାଙ୍କ ଜୀବନ ହାନି ହେଉଛି। ୨୦୧୫ରୁ ୨୦୧୮ ଫେବୃୟାରୀ ମଧ୍ୟରେ ମୋଟ ୫୩ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୨୯୨ ଜଣ ଆହତ ହୋଇଛନ୍ତି।

ସୀମାନ୍ତବାସୀଙ୍କ ପାଇଁ ୧୪,୪୬୦ ବଙ୍କର

ପାକ୍‌ ଦ୍ବରା ଯୁଦ୍ଧବିରତି ଉଲ୍ଲଂଘନ ଏବଂ ସୀମାପାର ଗୁଳିମାଡ଼ରୁ ସୀମାନ୍ତ ଗ୍ରାମବାସୀଙ୍କୁ ସୁରକ୍ଷା ଦେଲା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବଙ୍କର ନିର୍ମାଣ କରାଯାଉଛି। ଗତବର୍ଷ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୧୪,୪୬୦ ବଙ୍କର ନିର୍ମାଣ ପାଇଁ ଅନୁମୋଦନ କରିଛି। ଏଥିପାଇଁ ୪୧୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଅଧିକାଂଶ ଭୂତଳ ବଙ୍କର ନିର୍ମାଣ କରାଯିବ, ଯେଉଁଥିରେ ଯୁଦ୍ଧ ସମୟରେ ଲୋକମାନେ ଆଶ୍ରୟ ନେଇପାରିବେ। ଜାମ୍ମୁ-କାଶ୍ମୀରର ରଜୌରିରେ ସର୍ବାଧିକ ୪୯୧୮ଟି ବଙ୍କର ନିର୍ମାଣ ହେବାକୁ ଥିବାବେଳେ ଅନ୍ୟଗୁଡ଼ିକ ସାମ୍ବା, ଜାମ୍ମୁ, କାଠୁଆ ଏବଂ ପୁଞ୍ଚ ଜିଲା​‌ରେ ତିଆରି ହେବ।

Image courtesy: maps of India
ଶାନ୍ତି ପାଇଁ କର୍ତ୍ତାରପୁର କରିଡର ପ୍ରୋଜେକ୍ଟ

ପାକିସ୍ତାନର କର୍ତ୍ତାରପୁରରୁ ଭାରତ-ପାକ୍‌ ସୀମା ଦେଇ ଭାରତର ଡେରାବାବା ନାନକ ପର୍ଯ୍ୟନ୍ତ ଏକ କରିଡର ନିର୍ମାଣ ପାଇଁ ଉଭୟ ଦେଶ ମଧ୍ୟରେ ଗତବର୍ଷ ନଭେମ୍ବରରେ ଚୁକ୍ତି ହୋଇଥିଲା। ଦୁଇଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଲାଗି ବିନା ଭିଜାରେ ତୀର୍ଥଯାତ୍ରୀମାନଙ୍କ ଯିବା ଆସିବା ପାଇଁ ଏହି କରିଡରର ପରିକଳ୍ପନା କରାଯାଇଥିଲା। ଏହାପରେ କର୍ତ୍ତାରପୁର ଉଭୟ ଦେଶ ମଧ୍ୟରେ ଶାନ୍ତିର ଏକ ପ୍ରତୀକ ଭାବେ ଗଣାଯାଉଛି। କିନ୍ତୁ ଏହାର ୩ମାସ ପରେ ଉଭୟ ଦେଶ ମୁହାଁମୁହିଁ ହୋଇଛନ୍ତି। ଗତ ୨୬ ତାରିଖ ସକାଳ ପ୍ରାୟ ୯ଟା ୪୫ ବେଳେ ଗୋଟିଏ ପଟେ ଶାନ୍ତି ପାଇଁ ପାକିସ୍ତାନ ପକ୍ଷରୁ ରାସ୍ତା ନିର୍ମାଣ ଚାଲିଥିଲାବେଳେ ଅନ୍ୟପଟେ ପାକ୍‌ ବାୟୁସେନା ଭାରତୀୟ ସୀମା ଉଲ୍ଲଂଘନ କରିଥିଲା।

ଇନ୍‌ପୁଟ୍‌: ଇଟି

Leave A Reply