ଦେଶର ୧୭ଟି ପର୍ଯ୍ୟଟନସ୍ଥଳୀ ତାଲିକା ; ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରକୁ ସାମିଲ କରିବାକୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର

• ଚଳିତ ବଜେଟରେ ଅର୍ଥମନ୍ତ୍ରୀ ୧୭ଟି ପ୍ରତିଷ୍ଠିତ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ଘୋଷଣା କରିଛନ୍ତି
• ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିର ଭଳି ପବିତ୍ରସ୍ଥଳୀ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ
• ହିନ୍ଦୁଙ୍କ ପବିତ୍ର ୪ ଧାମ ମଧ୍ୟରୁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଅନ୍ୟତମ
• ଓଡିଶାର ସ୍ୱର୍ଣ୍ଣ ତ୍ରିଭୁଜ ଭୁବନେଶ୍ୱର, ପୁରୀ ଏବଂ କୋଣାର୍କ ମନ୍ଦିର ବିଶ୍ୱର ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ

ନୂଆଦିଲ୍ଲୀ : ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକା ସହ ଏହି ତାଲିକାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସାମିଲ କରାଯିବା ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୦୧୯-୨୦ ଆର୍ଥିକ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ୧୭ଟି ପ୍ରତିଷ୍ଠିତ ପର୍ୟ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଏହି ୧୭ଟି କ୍ଷେତ୍ରକୁ ମଡେଲ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରି ବିଦେଶୀ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରାଯିବାର ଯୋଜନା ରଖିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ କଳା, ଭାସ୍କର୍ୟ୍ୟ ତଥା ସଂସ୍କୃତି ଓ ପର୍ଯ୍ୟଟନର ଧାରା ପରିସ୍ଫୁଟ। ବିଶେଷତଃ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କର ସୂର୍ଯ୍ୟ  ମନ୍ଦିର ଭଳି ପବିତ୍ର ସ୍ଥଳୀ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ । ହିନ୍ଦୁଙ୍କ ପବିତ୍ର ୪ ଧାମ ମଧ୍ୟରୁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଅନ୍ୟତମ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମଧ୍ୟ ଏଠାରେ ଅନୁଷ୍ଠିତ ହୁଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି କୋଣାର୍କର ସୂର୍ଯ୍ୟମନ୍ଦିର ଓଡିଶାର କଳାକୃତିର ପରିଚୟ ଦିଏ ଏବଂ ଏହା ବିଶ୍ୱସ୍ତରରେ ମାନ୍ୟତା ପାଇଛି। ଓଡିଶାର ସ୍ୱର୍ଣ୍ଣ ତ୍ରିଭୁଜ ଭୁବନେଶ୍ୱର, ପୁରୀ ଏବଂ କୋଣାର୍କ ମନ୍ଦିର ବିଶ୍ୱର ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ ଏବଂ ଓଡିଆ ସମାଜ-ସଂସ୍କୃତିର ପରିଚୟ ଦିଏ।
ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ଆଦର୍ଶ ପର୍ଯ୍ୟଟନ ତାଲିକାରେ ସାମିଲ କରାଯିବା ନେଇ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଟେଲଙ୍କୁ ଅନୁରୋଧ କରିଛନ୍ତି।

Comments are closed.